pakka

ରମ୍ୟ ରଚନା : ମୋବାଇଲ ମନ୍ଥନ

kalikesh
  • ଜୟଶ୍ରୀ ସାହୁ

ଯାହା ବି ହଉ,ବିଳମ୍ବରେ ହେଉ ପଛେ, ସୋସିଆଲ ମିଡିଆର ମହତ୍ବ ଅନୁଭବି ହେଲା ଏତେ ଦିନ ପରେ । ଏଣିକି, ମୋବାଇଲ ଧରିବା ମାତ୍ରେ ଶିହରିତ ହେଇ ଯାଉଛି ମନପ୍ରାଣ । ‘ଏ ଦେହ ଥିଲେ ସର୍ବ ପାଇ’ ନ୍ୟାୟରେ ମୂଢମତି ଏତେ ଦିନକେ ବୁଝି ପାରିଲା ଯେ ନିରାକାର ଶୂନ୍ୟବ୍ରହ୍ମଙ୍କ ସାକାର ମୂର୍ତୀ ହେଉଛି ମୋବାଇଲ ଫୋନ । ଜ୍ଞାନ, କର୍ମ, ଭକ୍ତିର ତ୍ରିବେଣୀ ସଂଗମ ଏ ନିଆରା ମାଧ୍ୟମ । ମୋବାଇଲ ନାହିଁ ତ ଜ୍ଞାନ ନାହିଁ । ଯେତେ ସାଧନା କରନ୍ତୁ, ଯେତେ ପାଠ ପଢିଥାନ୍ତୁ ପଛେ, ସୋସିଆଲ ମିଡିଆରେ ଖାତିର ନାହିଁ ତ’ ବେକାର ଆପଣଙ୍କ ଯେତେ ବିଦ୍ୟା ବୁଦ୍ଧି ଜ୍ଞାନ । ଏଣୁ, ମନଧ୍ୟାନ ଦେଇ କରୁଥାନ୍ତୁ ଫେସବୁକ ଧ୍ୟାନ, ହ୍ବାଟ୍ସଆପ କୀର୍ତନ । ଆପଣ ନିଜେ ଅନୁଭବ କରି ସାରିଥିବେ, ବିଦ୍ୟାଦେବୀଙ୍କ କର ସ୍ପର୍ଶ ମାତ୍ରେ ମୁର୍ଖ କାଳିଦାସଙ୍କ ମସ୍ତିସ୍କରେ ତୁରନ୍ତ ଜ୍ଞାନ ସଞ୍ଚାର ପରି ମୋବାଇଲ ମାତାଙ୍କ ଦୟାରୁ ଆପଣଙ୍କ ମଗଜର ଝରକା କବାଟ ବି ଧଡଧାଡ ଖୋଲି ଯିବ । ମୋବାଇଲ ଥାଉ ଥାଉ ସେ ପୁରୁଣାକାଳିଆ ଢାଞ୍ଚାରେ ବର୍ଷ ବର୍ଷ ଧରି କେତେ ଆଉ ପାଠ ପଢିବେ ? ପୁଣି, ଡାକ୍ତରି ପଢିଲେ, ଇଞ୍ଜିନିୟରିଂ ନାଇଁ । କଳା ପଢିଲେ, ବିଜ୍ଞାନ ନାଇଁ । ଏବେ ଦେଖନ୍ତୁ, କେବଳ ଗୁଗୁଲ୍‌ ଓ ୟୁଟୁବ୍‌ ପ୍ରସାଦରୁ ଚିକିତ୍ସା, ଶିକ୍ଷା, ଧର୍ମ, ଦର୍ଶନରୁ ଆରମ୍ଭ କରି ଅର୍ଥନୀତି, ଜ୍ୟୋତିଷୀ ଆଦି ହରେକ ବିଷୟ ଉପରେ ଆପଣଙ୍କର ନାହିଁ ନ ଥିବା ଗୁରୁଜ୍ଞାନ ଆସିଯିବ । ଯେତେ ଥର, ଯେତେ ସମୟ ଧରି ଆପଣ ଏ ଡିଜିଟାଲ ମହୋଦଧିରେ ବୁଡ଼ ପକେଇବେ, ସେତିକି ଗଭୀର ଓ ପ୍ରଚଣ୍ଡ ହେବ ଆପଣଙ୍କ ବୋଧଶକ୍ତି । ଏଣିକି, ଲଜ୍ଜା ସରମ ଅପସରି ଯିବ ଓ ଷଣ୍ଢ ପରି ଜ୍ଞାନ ଲଢେଇରେ ମାତିଯିବେ । ଦକ୍ଷତା ଆପଣଙ୍କ ଏତେ ମାତ୍ରାରେ ବଢି ଯିବ ଯେ, କୌଣସି ବି ବିଷୟବସ୍ତୁ ଉପରେ ଆପଣ ଆଲୋଚନା, ବିତଣ୍ଡା ଯୁକ୍ତି ଓ ଆବଶ୍ୟକ ସ୍ଥଳେ ପାଟିତୁଣ୍ଡ, ବାଡିଆବାଡି ବି କରିପାରିବେ । ଏ ସର୍ବବ୍ୟାପୀ ମାଧ୍ୟମ ନିଜ ଗୁଣରେ ଆପଣଙ୍କୁ ସମଦର୍ଶୀ କରିବ ଆଉ ନିଜ ପର ଭେଦାଭେଦ ରହିବ ନାଇଁ । ପିଣ୍ଡ ବ୍ରହ୍ମାଣ୍ତ ତତ୍ବକୁ ଅନୁସରି ପ୍ରଚଣ୍ଡ ନିଦାଘରେ ନିଜ ଘରର ତାପମାତ୍ରା ୩୫ ଡିଗ୍ରୀ ଥିବା ସମୟରେ ଆପଣ ଅକାଟ୍ୟ ଯୁକ୍ତି କରି ପାରିବେ ଯେ ସମଗ୍ର ବ୍ରହ୍ମାଣ୍ତର ତାପମାତ୍ରା ବି ସେଇ ୩୫ ଡିଗ୍ରୀ । ଏ ଡିଜିଟାଲ ଚଷମାର ବୈଶିଷ୍ଟ୍ୟ ହେଲା,ଏହା ପିନ୍ଧିବା ମାତ୍ରେ ଆପଣଙ୍କୁ ସର୍ବାଗ୍ରେ ଶିକ୍ଷକ ସମାଜର ଦୋଷତ୍ରୁଟି ଅଣୁ ପରମାଣୁ ପ୍ରମାଣେ ଦେଖାଯିବ ଓ ଏହି ପରଜୀବୀ ଗୋଷ୍ଠୀଙ୍କ ହାତରେ ଦେଶର ଭବିଷ୍ୟତ କଥା ଚିନ୍ତା କରି ଆପଣଙ୍କ ଆତ୍ମା କାନ୍ଦି ଉଠିବ । ଏ ପରାଙ୍ଗପୁଷ୍ଟ, ଅପାରଗ ଗୋଷ୍ଠୀଙ୍କୁ ଆପଣ ସୋସିଏଲ ମିଡିଆରେ ଯେତିକି ଗାଳି ଦେବେ, ଆପଣଙ୍କ ବ୍ୟକ୍ତିତ୍ବ ସେତିକି ନିଖାରି ଉଠିବ ଓ ଆପଣଙ୍କ ଏ ଭାବମୂର୍ତ୍ତି ଆଗରେ ଆପଣଙ୍କ ସନ୍ତାନ ନତମସ୍ତକ ହେବାକୁ ବାଧ୍ୟ ହେବ ।

ଗୁରୁଙ୍କ ମୂର୍ତୀ ପ୍ରତିଷ୍ଠା କରି ଏକଲବ୍ୟ ମାରଣ ବିଦ୍ୟା ଶିଖିଗଲା ଅଥଚ ଅନ୍‌ଲାଇନ୍‌, ଅଫ୍‌ଲାଇନ୍‌ କ୍ଲାସ, ସେମିନାର, ଟିଉସନ ଆଦି ଯାହା କଲେ ବି ଆଜି କାଲିକା ପିଲାଙ୍କୁ ଆଜିକା ଶିକ୍ଷକ ତାରି ପାରିଲେନି ! ମହାଭାରତୀୟ ପରମ୍ପରା ଅନୁସରଣ କରି ସେଇ ପ୍ରାଚୀନ ଗୁରୁଙ୍କ ଆରାଧନା କରାଯାଉ, ଗୁରୁମୂର୍ତୀ ସ୍ଥାପନ କରାଯାଉ । ଡିଜିଟାଲ ଯୁଗକୁ ଦେଖି ଗୁରୁମୂର୍ତୀ ସେଇ ଅନୁଯାୟୀ ପ୍ରକାଣ୍ଡ ବି ହେଉ । ଖରା ବର୍ଷା, ଶୀତ କାକରରେ ଅବିଚଳିତ ହସହସ ଗୁରୁମୂର୍ତୀଙ୍କୁ ଦେଖି ଏ ଅପାରଗ ଆଧୁନିକ ଅଧ୍ୟାପକ ଗୋଷ୍ଠୀ ବି ଶିଖିବେ, କେମିତି ଅଂଶୁଘାତ ପରି ପ୍ରାକ୍ରୁତିକ ବିପର୍ୟୟକୁ ଚୁଟକିରେ ଉଡେଇ ଦିଆଯାଏ ।

ସ୍ବାମୀ ବିବେକାନନ୍ଦଙ୍କ ଯୋଗ୍ୟତମ ଦାୟାଦ ହିସାବରେ ପୁସ୍ତକ ସ୍ପର୍ଶ ମାତ୍ରକେ ଜ୍ଞାନପ୍ରାପ୍ତି ପରି ଯେ କୌଣସି ପୋଷ୍ଟ ଉପରେ ଆଖି ପଡିଯିବା ମାତ୍ରେ ଆପଣ ତତ୍‌କ୍ଷଣାତ ଦୋଷୀକୁ ଠଉରେଇ ତାକୁ ଅଭିଶାପ ଦେବା ଆରମ୍ଭ କରିଦେବେ । ଆପଣ ଉପଲବ୍ଧି କରିବେ, ମୋବାଇଲ ବ୍ୟବହାର ପରେ ଚିଠି ଲେଖାର ଦୁର୍ଦଶା ପରି ସୋସିଆଲ ମିଡିଆର ଆବିର୍ଭାବ ପରେ ଭାରତରେ କୋର୍ଟ କଚେରୀ, ଜଜ୍, ମାଜିଷ୍ଟ୍ରେଟ ଆଦିଙ୍କ କାମ ଖତମ୍‌ ହୋଇଯାଇ ଆପଣଙ୍କ କାମ ଆରମ୍ଭ ହେଇ ଯାଇଛି । ହଁ, ଫେସବୁକ, ହ୍ବାଟ୍ସଆପର କମେଣ୍ଟ ଆଧାରରେ ମୋବାଇଲ ଭୋଟିଂ କରି ଦୋଷୀକୁ ଦଣ୍ଡ ଦେବା ବ୍ୟବସ୍ଥା ଚାଲୁ କଲେ ଭାରତୀୟ ନାଗରିକର ବହୁମୂଲ୍ୟ ଖଜଣା ପଇସା ବହୁ ପରିମାଣରେ ବଞ୍ଚିଯିବ, ଜନଗଣଙ୍କ ଉର୍ବର ମସ୍ତିଷ୍କ ଓ ବହୁମୂଲ୍ୟ ସମୟର ଉପଯୁକ୍ତ ବିନିଯୋଗ ହେବ ଓ ଭାରତରେ ଯଥାର୍ଥ ଗଣତନ୍ତ୍ର ପ୍ରତିଷ୍ଠିତ ହେବ ବୋଲି ଆପଣଙ୍କର ବି ଜ୍ଞାନୋଦୟ ହେଇସାରିଥିବ । ଏଣୁ ଆସନ୍ତୁ ମୋବାଇଲ ମନ୍ଥନରୁ ଅପୂର୍ବ, ଅଭିନବ ତଥ୍ୟ ହାସଲ କରି ତାର ଉପଯୋଗ କରି ନିଜକୁ ତଥା ଦେଶକୁ ଉନ୍ନତିର ମାର୍ଗରେ ଆଗେଇ ନେବା ।

pp
Leave A Reply

Your email address will not be published.

two × 4 =