pakka

ଶ୍ରୀମନ୍ଦିରରେ ପାରମ୍ପରିକ ପହିଲି ଭୋଗ ଏକ ସ୍ୱତନ୍ତ୍ର ନୀତି ଅନନ୍ୟ ନିଆରା

  • ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ

ଧନୁ ସଂକ୍ରାନ୍ତି ବା ମୁଆଁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ଯାଏଁ ଶ୍ରୀମନ୍ଦିରରେ ଆରମ୍ଭ ହୁଏ ପହିଲି ଭୋଗ ନୀତି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୁଏ । ଆସ ମୁଆଁ ଖାଇବା, ପହିଲି ଭୋଗରେ ମନ ଭରିବା, ଆତ୍ମ- ସନ୍ତୋଷରେ ମହାପ୍ରସାଦ ପେଟ ଭରି ଖାଇବା । ଆମ ପରମ୍ପରା ଆମ ସଂସ୍କୂତି ଆମ ହୂତ ଗୌରବର ମୂକସାଷୀ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାର୍ମିକ ପରମ୍ପରାର ନୀତି ପଦ୍ଧତି । ଆମ ସଂସ୍କୃତି ଓତଃପ୍ରୋତ ଭାବେ ଜଡିତା ଋତୁ ଅନୁଯାୟୀ ଶ୍ରୀଜଗନ୍ନାଥଙ୍କ ମଣୋହିରେ ସୁସ୍ୱାଦିଷ୍ଟ ମହାପ୍ରସାଦର ଯେଉଁ ଝଲକ ଓଡିଶାର ପ୍ରତ୍ୟେକ ଓଡିଆ ପରିବାରରେ ନାନା ଖାଦ୍ୟର ବାସନା ଚହଟି ଉଠୁଛି । ପୌଷ ମାସର ପ୍ରାରମ୍ଭରେ ମା’ ଲକ୍ଷ୍ମୀ ଠାକୁରାଣୀ ନିଜ ବାପ ଘରକୁ ମୁଆଁଭାର ନେଇ ଯାଇଥାନ୍ତି । ଯାହାକି ଧନୁମୁଆଁ ରୂପେ ପରିଚିତ । ଏହି ମୁଆଁ ଆମ କୃଷିଭିତ୍ତିକ ପରମ୍ପରାର ପ୍ରତିକ ଅଟେ । ଖଳାରୁ ନୂଆଁଧାନ ଅମଳ ହୋଇ ଘରକୁ ଆସିଥାଏ ଓ ଆଖୁ ପେଢା ଯାଇ ମହ ମହ ବାସନାରେ ଭରପୂର ଗୁଡ଼ ପେଢା ଯାଇ ଆସିଥାଏ । ଏଥିରୁ ମୁଆଁ ଖଇ ଗୁଡ଼ରେ ନଡିଆ ଜୁଆଣି ଦେଇ ତିଆରି କରାଯାଇ ଘରର ଈଷ୍ଟଦେବ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ । ଏହି ମୁଆଁ ଆମ ସଂସ୍କୃତି ଓ ପରମ୍ପରାର ପ୍ରତିକ । ଓଡିଶାର ପ୍ରତ୍ୟେକ ସ୍ଥଳରେ ବିଶେଷ କରି ବିଷ୍ଣୁ ମନ୍ଦିରରେ ଧନୁ ସଂକ୍ରାନ୍ତି ଦିନ ପୂଜା ପରେ ଉପସ୍ଥିତ ଲୋକମାନଙ୍କୁ ମୁଆଁ ବଣ୍ଟାଯାଏ । ଏହି ଧନୁ ସଂକ୍ରାନ୍ତିରୁ ଉତ୍ତାରାୟଣ ବା ମକର ସଂକ୍ରାନ୍ତି ଯାଏଁ ପହିଲି ଭୋଗ ପ୍ରତ୍ୟେକ ମନ୍ଦିରରେ ହୋଇଥାଏ । ଯେହେତୁ ମହାଲଷ୍ମୀ ବାପ ଘରକୁ ଚାଲିଯାଇଥାନ୍ତି ମା’ ଯଶୋଦା ବାଲଗୋପାଲ କାହ୍ନୁକୁ ଭୋରରୁ ପହିଲି ଭୋଗ ରାନ୍ଧି ଖୁଆଇଥାନ୍ତି । ମୁଖ୍ୟତଃ ଖେଚୁଡି ସହ ନାନା ପିଠା କରି ଖୁଆଇଥାନ୍ତି । ମଠ, ମନ୍ଦିରରେ ପହିଲି ଭୋଗ ହୋଇଥାଏ । ପବିତ୍ର ପୌଷ ମାସରେ ଶ୍ରୀମନ୍ଦିରର ନୀତିକାନ୍ତି ସ୍ୱତନ୍ତ୍ର ଲାଗି ହୋଇଥାଏ । ଏହି ଦିନାଙ୍କରେ ରାତି ୨ଟା ପରେ ପରେ ଦ୍ୱାର ଫିଟା, ମଙ୍ଗଳ ଆଳତୀ ନୀତି ଲାଗିହୁଏ । ଏହି ମାସ ତମାମ ପହିଲି ଭୋଗ ଲାଗି ହୁଏ । ଏଥିରେ ୨୩ ପ୍ରକାର ପିଠା ଓ ଅନ୍ୟାନ୍ୟ ବ୍ୟଞ୍ଜନ ଲାଗି ହୋଇଥାଏ । ବଡଝିଲି, ବଢି, ନାଡି, ଚୂଡାଭଜା, ଛତୁ, ବଡା, କାକରା, ଟାକିରି, ଗଇଁଠା, ମଣ୍ଡା, ଏଣ୍ଡୁରି, ଚୂଡାପୁଆ, ଅମାଲୁ, ଚଢେଇନେଦା, ଗୁଳା, ଦରସୁଆ ବଢି, କାନ୍ତି, ନଡୁଗଜା, ନଳୀ ମୁଗେଇ, ଆରିସା, କଣ୍ଟେଇ ପ୍ରମୁଖ ପହିଲି ଭୋଗରେ ଶ୍ରୀଜୀଉଙ୍କୁ ଲାଗି ହୁଏ । ପହିଲି ଭୋଗ ବାତ୍ସଲ୍ୟ ମମତାର ନୈସର୍ଗିକ ପ୍ରେମରେ ମାତା ଯଶୋଦା ମଧୁର ବ୍ୟଞ୍ଜନରେ ମନଭରି ରୋଷେଇ କରିଥାନ୍ତି । ପ୍ରତିକ ପହିଲି ଭୋଗରେ ନୀତିପବିତ୍ର ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇଥାଏ ।

ବିଶ୍ୱ ପ୍ରସିଦ୍ଧ ଶ୍ରୀଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି, ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ପାଳିତ ହେବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇଥାଏ । ରତ୍ନସିଂହାସନରେ ଅଧିଷ୍ଠିତ ମହାପ୍ରଭୁଙ୍କୁ ସମର୍ପିତ ହୋଇଥାଏ । ପୌରାଣିକ ମତ ଅନୁଯାୟୀ, ଭାରତର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ । ଏହି କ୍ଷେତ୍ରରେ ଭୋଗର ପ୍ରାଧାନ୍ୟ ରହିଛି । ବିଭିନ୍ନ ଯାନିଯାତ୍ରାରେ ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ମଧ୍ୟ ରହିଛି । ବଡ଼ ଦେଉଳରେ ଲାଗିଛି ନାଟମଞ୍ଚ ନିତି ପୁନିଅ ନିତି ହାଟ ଶ୍ରୀ ଜଗନ୍ନାଥଙ୍କ ସେବାରେ ଶୃଙ୍ଗାର, ବୀର, ବାତ୍ସଲ୍ୟାଦି ସମସ୍ତ ରସର ସେବାଭାବ ରହିଥାଏ । ତନ୍ମଧ୍ୟରୁ, ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ବାତ୍ସଲ୍ୟରସ ଉପାସନାର ସମୟ । ଧନୁ ସଂକ୍ରାନ୍ତିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥାଏ, ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି । ସକାଳୁ ସକାଳୁ କୂଆ କା’ କା’ ରାବିବା ବେଳକୁ ମହାପ୍ରଭୁଙ୍କ ପାଖରେ ଲାଗି ହୋଇଥାଏ ପହିଲି ଭୋଗ । ରାମ କୃଷ୍ଣ ବେନିଭାଇଙ୍କୁ ଖୁଆଇ ଦେଇଥାନ୍ତି ମାଆ ଯଶୋଦା । ସେଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସଅଳ ନୀତିକାନ୍ତି ହୋଇଥାଏ । ମାସେ ଯାଏଁ ଶ୍ରୀଜୀଉଙ୍କୁ ଅର୍ପଣ ହୋଇଥାଏ ପହିଲି ଭୋଗ । ମାଆଙ୍କ ହାତରନ୍ଧା ଖାଦ୍ୟ ଖାଇଥାନ୍ତି, ମହାପ୍ରଭୁ । କଥିତ ଅଛି ଯେ, ଏହି ମାସରେ ମହାଲକ୍ଷ୍ମୀ ବାପଘର ଯାତ୍ରା କରିଥାନ୍ତି । ଏଣୁ ବାତ୍ସଲ୍ୟ ମମତାମୟୀ ମା’ ଯଶୋଦା ଶ୍ରୀଜଗନ୍ନାଥଙ୍କୁ ପ୍ରଭାତରୁ ଶୀଘ୍ର ରୋଷଇ କରି ବିଭିନ୍ନ ପ୍ରକାରର ବ୍ୟଞ୍ଜନ ସହିତ ସ୍ୱାଦିଷ୍ଟ-ଅନ୍ନଭୋଗ ଶୀତୁଆ ସମୟରେ ଗରମ ଗରମ ଖାଇବାକୁ ଦେଇଥାନ୍ତି । ଏଣୁ, ଏହି ଭୋଗ ମା’ ଯଶୋଦାଙ୍କ ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ଓ ନୈସର୍ଗିକ ପ୍ରେମର ନିଦର୍ଶନର ପ୍ରମାଣ ଦେଇଥାଏ । ସେଥିପାଇଁ ଏହି ପହିଲି ଭୋଗର ବ୍ୟବସ୍ଥା ଚାଲିଆସିଛି । ପୌରାଣିକ ଆଖ୍ୟାନ ଅନୁଯାୟୀ ଏକଦା ଦ୍ୱାରକାରେ ଶ୍ରୀକୃଷ୍ଣ ମାତା ଯଶୋଦାଙ୍କ ସ୍ମୁର୍ତ୍ତିରେ ବ୍ୟାକୁଳିତ ହୋଇ ବାଳ ଗୋପାଳ ରୂପ ଧାରଣ କରିଥିବା ବେଳେ ନାରଦ ସେଠାରେ ଉପସ୍ଥିତ ହୋଇ ତାହାର ରହସ୍ୟ ଜିଜ୍ଞାସା କରିଥିଲେ । ଉତ୍ତରରେ ଶ୍ରୀକୃଷ୍ଣଙ୍କ ଦ୍ୱାରା ପ୍ରେରିତ ହୋଇ ନାରଦ ଗୋପପୁରରେ ଉପସ୍ଥିତ ହେଲେ । କୃଷ୍ଣ ବଳରାମ ଦୁଇ ଭାଇଙ୍କୁ ଯଶୋଦାଙ୍କ କୋଳରେ ବସି ନାନା ସୁମିଷ୍ଟ ଦ୍ରବ୍ୟ ଆନନ୍ଦରେ ଭୋଜନ କରୁଥିବାର ଦେଖିଲେ । ଶ୍ରୀଜଗନ୍ନାଥଙ୍କ ପହିଲି ଭୋଗ ଏହାର ସ୍ମାରକୀ । ଏହା ଖ୍ରୀଷ୍ଟୀୟ ଷୋଡଶ ଶତାଦ୍ଦୀରେ ପ୍ରଚଳିତ ହୋଇଆସିଥିବା କୁହାଯାଏ । ପରମ୍ପରାନୁସାରେ, ଧନୁ ସଂକ୍ରାନ୍ତିରେ ବଡଓଡିଆ ମଠରୁ ଠାକୁରଙ୍କ ଭୋଗପାଇଁ ମୁଆଁ ଆସିଥାଏ । ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ରାତ୍ର ଦୁଇ ଘଡି ଥାଇ ଦ୍ୱାର ଫିଟା ନୀତି, ମଙ୍ଗଳ ଆଳତି, ଅବକାଶ ହୁଏ । ତାହା ପରେ ଘୋଡାବେଶ ଓ ଅଳଙ୍କାର ଲାଗି ହୋଇଥାଏ । ତତ୍ପରେ, ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ଗୋପଳବଲ୍ଲଭ ଭୋଗ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତ୍ତାରୁ ପହିଲି ଭୋଗ ଲାଗି ହୁଏ । ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏହି ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଞ୍ଚୋପଚାରରେ ପୂଜା କରାଯାଇଥାଏ । ଏହି ପହିଲି ଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି- ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ, ଏଣ୍ଡୁରି, ଲଡୁ, ଗଜା, ଖଇର-ଚୂଳ, ମଣ୍ଡା ପିଠା, ଚୁଡାପୁଆ, ବଡ଼ି, କଣ୍ଟେଇ ପ୍ରଭୃତି । ଶ୍ରୀମନ୍ଦିର ସ୍ୱତ୍ତ୍ୱଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏହି ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବା ପାଇଁ ଏହି ଦିନମାନଙ୍କରେ ମଙ୍ଗଳ ଆଳତି ପରେ ହିଁ ରୋଷ ହୋମ ଅନୁଷ୍ଠିତ ହୋଇଥାଏ ।

Leave A Reply

Your email address will not be published.

nine + 13 =