csstore

କବିତା : ଦେବୀ ପାଦରେ

ମାଧୁରୀ ପ‌ଣ୍ଡା

ଏଥର ମୋ’ପାଖେ
ଶବ୍ଦ ନାହିଁ, ପ୍ରେମ ନାହିଁ
ଆବେଗ ଶୂନ୍ୟ,
ତୋ ନୀଳପାଦରେ
କେବଳ ରଖିଦେଇ ଯାଏ
ଏ ସଂକ୍ରମିତ ସମୟ ।

ଯେଉଁଠି ତୋ ପାଦ
ସେଇଠି କୁଢକୁଢ ଶବଙ୍କ
ମହୋତ୍ସବ, ସେ ଭିତରେ
ମୋ ଭାଇ, ଝିଅ, ପ୍ରେମିକବି
ମା’…।

ମୁଁ ଖାଲି ହୋଇ ଚାଲିଛି
ଗୋଟେ ଅକଥନୀୟ
ଅସହାୟତାରେ ଛଟପଟ
ମୋ ରାତିଦିନ,
ଅନେକ କ୍ଷତରେ ଭରା
ମୋ ଦେହ, କହ ମା’
ତୋ ପାଖେ କୋଉ ପ୍ରାର୍ଥନା
ପ୍ରଥମେ ଭୋଗ ଲାଗିବ ?

ଏ ପାଣି,ପବନରେ
ଅସମୟରେ ବାହୁଡି
ଯାଉଥିବା
ସ୍ୱପ୍ନ ମାନଙ୍କ ରକ୍ତ,
ଏବେ ଭୟ, ଆଶଙ୍କା ମତେ ବି
ଧରି ରଖିଲେଣି, ମୁଁ ରିକ୍ତ ।

ଏତିକି କରିପାରେ
ଅସହାୟ ସମୟର
ମଉଳି ଯାଉଥିବା
ନୀଳକଁଇ ସାଜି
ତୋ ପାଦରେ
ଲୋଟିଯାଇ ପାରେ ।!

ତୋ ଓଠରେ
ହସ ଫୁଟିବ ତ ??

ଦାମନଯୋଡ଼ି, କୋରାପୁଟ – ୭୬୩୦୦୮
ମୋ.ନଂ.୮୮୯୫୧୮୫୪୨୫

jayashree
Leave A Reply

Your email address will not be published.