csstore

କବିତା : ସବୁ ଠିକ୍ ଅଛି

  • ରାମକୃଷ୍ଣ

ତଥାପି ଭାବି ନେବାକୁ ହେବ ଯେ
ସବୁ ଠିକ୍ ଅଛି
କେବଳ ଟିକେ ଛନ୍ଦ ବିଗିଡି଼ ଯାଇଛି ପଦପାତର
ଅଦିନ ବର୍ଷାରେ ଧୋଇଯାଇଛି ଉଠାଣି ରାସ୍ତା
କିଛି ଡାଳ ଭାଂଗି ପଡିଛନ୍ତି ଫଳନ୍ତି ଗଛରୁ
ଭୁତର ଭୟ ଲୁଚି ରହିଛି ଆଲୁଅରେ
କିଛି ଆତ୍ମୀୟ ସ୍ୱଜନ ବିଦାୟ ନେଇଛନ୍ତି
ନିର୍ଦ୍ଧାରିତ ସମୟର ଅନେକ ପୂର୍ବରୁ

ତଥାପି ସବୁ ଠିକ୍ ଅଛି ବୋଲି ଭାବି ନେଲେ ହିଁ
ନିଶ୍ୱାସ ଫେରି ପାଇବ ତାର ସ୍ୱଛନ୍ଦ ଲୟ
ଏମିତି ଅନେକ ଝଡ଼ ଆସିଛି ବାରଂବାର
ଦେହରୁ ରକ୍ତମାଂସ ଝୁଣିଦେବା ସତ୍ତ୍ବେ
ଆମେ ସଲଖି ଛିଡା ହୋଇଛୁ ପୁନର୍ବାର
ପୁଣି ମଜ୍ଜି ଯାଇଛୁ କଳି ତକରାଳ ଓ ନାଚଗୀତରେ

ତାର ଅଚାନକ ଗରିଲା ଆକ୍ରମଣରେ
ଝରକା କବାଟ କିଳି ଆମେ ଲୁଚି ରହିଲେ
ଭାବିନେଲେ ଆମକୁ ସାରିଦେଇ ସେ ବାହୁଡିବ
ଏବେ ଜଣା ପଡିଗଲା ସେ ଯେ ଅବାହୁଡା଼ ଅତିଥି
ଆଖି ଆଢୁଆଳରେ ଲୁଚି ରହିଥିବ
ଗୋଠରୁ ଟାଣି ନେଉଥିବ ଜଣକ ପରେ ଜଣକୁ

ଆମର ଅନେକ କଥା ଶିଖିବାର ଅଛି ଗଛରୁ
ଝଡ଼ର ଯାତୟତକୁ ବେଖାତିର କରି
ଯିଏ ଛିଡା ହୋଇଥାଏ ମାଟିର ମୋହରେ
ଭଂଗା ଡାଳର କ୍ଷତରୁ କଅଁଳୁଥାଏ ପତ୍ର
ଫୁଲ ଫୁଟୁଥାଏ, କଷି ଧରୁଥାଏ ଫଳ
ଋତୁ ଆସିଲେ

ଆଜି ନହେଲେ କାଲି
ଅଚାନକ ଅଦୃଶ୍ୟ ହେବା ହିଁ ତ ଆମର ନିୟତି
ସବୁ ଠିକ୍ ଅଛି ବୋଲି ତେଣୁ
ଭାବିନେବା ହିଁ ଠିକ୍ ।।

jayashree
Leave A Reply

Your email address will not be published.