csstore

କବିତା : କଥାରେ କଥାରେ

ଶ୍ରଦ୍ଧାଞ୍ଜଳି ପଣ୍ଡା

କଥାରେ କଥାରେ ତୁମେ
ଗଢି ଦେଇପାର
ଚନ୍ଦ୍ରଲୋକରେ, ଇନ୍ଦ୍ର-ମହଲ ଟିଏ
ସାତତାଳ ପାଣି ଭିତରେ
ହୀରା ନୀଳା ମୋତି ମାଣିକ୍ୟର
ରାଜ ଉଆସ ଟିଏ ।

ହେଲେ କେବେ
ବୁଝିବାକୁ ଚେଷ୍ଟା କରିଛ
ଗଛ ତଳେ କିମ୍ବା ତମ୍ବୁ ଭିତରେ
ଶୋଇ ରାତିରେ ତାରା ଗଣୁଥିବା
ଗରିବ ପରିବାରର କଷ୍ଟକୁ ?

କଥାରେ କଥାରେ ତୁମେ
କରିପାର ଆକାଶ ମାର୍ଗରୁ
ସୁନାର ବର୍ଷା
ହେଲେ କେବେ ବୁଝିଛ କି
ମାଟି ସହ ମାଟି ହେଇ
କ୍ଷେତରେ ସୁନା ବର୍ଷା କରି ପାରୁଥିବା
ଚାଷୀର ଦାରିଦ୍ରତାକୁ ?

କଥାରେ କଥାରେ ତୁମେ
ସୃଷ୍ଟି କରିପାର
ମରୁଭୂମିରେ ମହାଦୃମ
ତିଆରି କରିପାର ସ୍ୱର୍ଗକୁ ନିଶୁଣୀ
ସମୁଦ୍ର ଜଳକୁ ମିଠା
ହେଲେ କେବେ ଭାବିଛ କି
କହିବା ଆଉ କରିବା
ଭିତରେ ଥିବା ପାର୍ଥକ୍ୟକୁ ?

କଥାରେ କଥାରେ ତୁମେ
ଦେଖେଇ ପାର
ଦ୍ୱିପହରେ ରଙ୍ଗୀନ ସ୍ୱପ୍ନ
ସୂର୍ଯ୍ୟାଲୋକରେ ତାରା ସହ ଜହ୍ନ ।
ହେଲେ କେବେ ଗଢିବାକୁ
ଚେଷ୍ଟା କରିଛ କି
ରଙ୍ଗୀନ ସ୍ୱପ୍ନକୁ କଳା ଧଳା
ଆଇନ୍ ଭିତରେ ଭର୍ତ୍ତି କରି
ଡଷ୍ଟବିନକୁ ଫୋପାଡ଼ି ଦେଇଥିବା ଜୀବନକୁ ?

କଥାରେ କଥାରେ ତୁମେ
କଳାକୁ ଧଳା
ଆଉ ଧଳାକୁ କଳା କରିପାର
ନିର୍ଦୋଷକୁ ଦଣ୍ଡ ଆଉ ଦୋଷୀକୁ
କ୍ଷମା ବି କରିପାର
କାରଣ,
ଆଇନ ତୁମର
ପାର୍ଟି ବି ତୁମର
କଥା ବି ତୁମର
ଆଉ କଥା କହୁଥିବା ସେ ସାଉଣ୍ଡ୍ ସେଟ୍ ଟା ବି
ତୁମ ନିଜ ଲୋକର

କେବଳ ଯାହା
ତୁମ ସବୁ କଥାରେ ତାଳିମାରିବା କାମ ଆମର ।।

jayashree
Leave A Reply

Your email address will not be published.