- ବରଗଡ଼ ପାଇଁ ସୈନିକ କଲ୍ୟାଣ ବୋର୍ଡ, ସିଏସଡି କାଉଣ୍ଟର ଓ ସୈନିକ ସ୍କୁଲ ଦାବି ଉଠାଇଲେ
ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ବରଗଡ଼ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର ପୂର୍ବତନ ସୈନିକ, ସେମାନଙ୍କ ପରିବାର ଓ ଯୁବପିଢ଼ିଙ୍କ ସ୍ୱାର୍ଥ ସହ ଜଡିତ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି । ଏ ସମ୍ପର୍କରେ ସେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଏକ ବିସ୍ତୃତ ପତ୍ର ପ୍ରଦାନ କରି ଶୀଘ୍ର ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସାଂସଦ ଶ୍ରୀ ପୁରୋହିତ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ବରଗଡ଼ ଜିଲ୍ଲାରେ ବହୁ ସଂଖ୍ୟକ ପୂର୍ବତନ ସୈନିକ ଓ ସେମାନଙ୍କ ପରିବାର ବସବାସ କରୁଛନ୍ତି । ବରଗଡ଼ ଜିଲ୍ଲା ଭେଟେରାନ୍ସ ଆସୋସିଏସନ ୨୦୧୬ ମସିହାରୁ ୨ ହଜାରରୁ ଅଧିକ ପୂର୍ବତନ ସୈନିକ ଓ ସେମାନଙ୍କ ନିର୍ଭରଶୀଳଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସତ୍ତ୍ୱେ ଆବଶ୍ୟକ କଲ୍ୟାଣକାରୀ ଭିତ୍ତିଭୂମିର ଅଭାବ ଯୋଗୁଁ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ସମ୍ବଲପୁରରେ ଥିବା ଜିଲ୍ଲା ସୈନିକ କଲ୍ୟାଣ ବୋର୍ଡ ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୁବର୍ଣ୍ଣପୁର, ସୁନ୍ଦରଗଡ଼, ଦେବଗଡ଼ ଓ ଝାରସୁଗୁଡ଼ା ସହ ସାତୋଟି ଜିଲ୍ଲାକୁ ସେବା ଯୋଗାଇ ଆସୁଛି । ଏହାର ବିଶାଳ କାର୍ଯ୍ୟପରିସର କାରଣରୁ ବରଗଡ଼ ଜିଲ୍ଲାର ପୂର୍ବତନ ସୈନିକମାନଙ୍କୁ ପେନ୍ସନ, ଡକ୍ୟୁମେଣ୍ଟେସନ ଓ ଅନ୍ୟାନ୍ୟ କଲ୍ୟାଣକାରୀ ସୁବିଧା ପାଇଁ ଦୀର୍ଘ ଦୂରତା ଯାତ୍ରା କରିବାକୁ ପଡୁଛି । ତେଣୁ ବରଗଡ଼ରେ ଏକ ସ୍ୱତନ୍ତ୍ର ଜିଲ୍ଲା ସୈନିକ କଲ୍ୟାଣ ବୋର୍ଡ ସ୍ଥାପନ କରିବାକୁ ସେ ଦାବି କରିଛନ୍ତି । ସେହିପରି ସମ୍ବଲପୁରରେ ଥିବା ଏକମାତ୍ର ସିଏସଡି କ୍ୟାଣ୍ଟିନ ଉପରେ ସାତୋଟି ଜିଲ୍ଲାର ପୂର୍ବତନ ସୈନିକ ନିର୍ଭରଶୀଳ ଥିବାରୁ ବୃଦ୍ଧ ସୈନିକମାନଙ୍କୁ ଅନେକ ଘଣ୍ଟା ଯାତ୍ରା ଓ ଅପେକ୍ଷା କରିବାକୁ ପଡୁଛି । ଏହି ଅସୁବିଧା ଦୂର କରିବା ପାଇଁ ବରଗଡ଼ରେ ଏକ ସିଏସଡି ଏକ୍ସଟେନ୍ସନ କାଉଣ୍ଟର ଖୋଲିବାକୁ ସାଂସଦ ଅନୁରୋଧ କରିଛନ୍ତି । ପତ୍ରରେ ସାଂସଦ ଆହୁରି ଉଲ୍ଲେଖ କରିଛନ୍ତି ଯେ, ପଶ୍ଚିମ ଓଡ଼ିଶା ଦେଶର ସଶସ୍ତ୍ର ବାହିନୀକୁ ବହୁ ସଂଖ୍ୟାରେ ଯୁବକ ଯୋଗାଇ ଆସୁଥିଲେ ମଧ୍ୟ ଏହି ଅଞ୍ଚଳରେ କୌଣସି ସୈନିକ ସ୍କୁଲ ନାହିଁ । ବରଗଡ଼ ଜିଲ୍ଲାର ପଦ୍ମପୁରଠାରେ ସୈନିକ ସ୍କୁଲ ସ୍ଥାପନ ପାଇଁ ଆବଶ୍ୟକ ସମସ୍ତ ପ୍ରକ୍ରିୟା ପୂରଣ ହୋଇସାରିଛି ଏବଂ ସୈନିକ ସ୍କୁଲ ସୋସାଇଟି ନିକଟରେ ଆବେଦନ ମଧ୍ୟ ପଞ୍ଜୀକୃତ ହୋଇଛି । ଏହି ସ୍କୁଲ ସ୍ଥାପନ ହେଲେ ଅଞ୍ଚଳର ଗ୍ରାମାଞ୍ଚଳ ଯୁବପିଢ଼ି ଉନ୍ନତ ଶିକ୍ଷା ସହ ପ୍ରତିରକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାର ସୁଯୋଗ ପାଇବେ ଏବଂ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ସହାୟକ ହେବ । ଶେଷରେ ସାଂସଦ ଶ୍ରୀ ପୁରୋହିତ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ବରଗଡ଼ରେ ଜିଲ୍ଲା ସୈନିକ କଲ୍ୟାଣ ବୋର୍ଡ ସ୍ଥାପନ, ସିଏସଡି ଏକ୍ସଟେନ୍ସନ କାଉଣ୍ଟର ମଞ୍ଜୁରୀ ଏବଂ ପଦ୍ମପୁର ପ୍ରସ୍ତାବିତ ସୈନିକ ସ୍କୁଲକୁ ଅନୁମୋଦନ ପ୍ରଦାନ କରିବାକୁ ଦୃଢ଼ ଭାବେ ଅନୁରୋଧ କରିଛନ୍ତି । ଏହି ପଦକ୍ଷେପ ପୂର୍ବତନ ସୈନିକ, ସେମାନଙ୍କ ପରିବାର ଏବଂ ପଶ୍ଚିମ ଓଡ଼ିଶାର ଯୁବପିଢ଼ୀଙ୍କ ପାଇଁ ଏକ ଐତିହାସିକ ସଫଳତା ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଉପରୋକ୍ତ ସମସ୍ୟା ସଂକ୍ରାନ୍ତରେ ଗଠନ ମୂଳକ ଆଲୋଚନା ହୋଇଥିବାରୁ ସାଂସଦ ଶ୍ରୀ ପୁରୋହିତ କେନ୍ଦ୍ର ମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
