
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରୁ ମାତ୍ର ୮ କିମି ଦୂରରେ ଯାହାକି ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମ ପଞ୍ଚାୟତରେ ଅବସ୍ଥିତ ଆଲ୍ୟାବାଦ ଗ୍ରାମରେ ମା’ ବୁଢ଼ୀଠାକୁରାଣୀଙ୍କ ନବନିର୍ମିତ ଭବ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ଗତ ଶନିବାର ଠାରୁ ଆରମ୍ଭ ହୋଇଛି । ଶନିବାର ଦିନ ସଭିଙ୍କ ଦୀକ୍ଷାଗ୍ରହଣ, ଅଙ୍କୁରାରୋପଣ, ରବିବାର ବନଯୋଗ, ମନ୍ଦିରର ରତ୍ନମୁଦ, ନାମଯଜ୍ଞ ଆରମ୍ଭ ସାଂଗକୁ ବର୍ଣ୍ଣାଢ଼୍ୟ ସମାରୋହରେ କଳସ ଯାତ୍ରା ଅନୁଷ୍ଠିତ ହୋଇ ଗ୍ରାମ ପରିସର ଉତ୍ସବ ମୁଖର ହୋଇଉଠିଛି । ଜଳଯାତ୍ରା ଦିବସରେ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଶୁଭ ଉନ୍ମୋଚନ କରିଥିଲେ । ସୋମବାର ସକାଳୁ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ ଦେବତା ଅଧିବାସ ସାଂଗକୁ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋ-ଯଜ୍ଞ ଆଦି ବିଦ୍ଧିବଦ୍ଧ ଭାବେ ଆରମ୍ଭ ହୋଇଛି । ସନ୍ଧ୍ୟା ସମୟରେ ଦୈନିକ ଜ୍ଞାନଯଜ୍ଞ ଆରମ୍ଭ ପରିଚାଳିତ ହୋଇ ଆସୁଅଛି । ଏଥିରେ ବହୁ ସଂଖ୍ୟାରେ ଭକ୍ତଙ୍କ ଗହଳି ତଥା ଜନସମାଗମ ହେବାରେ ଲାଗିଛି । ପଣ୍ତିତ ଅଶୋକ କୁମାର ଶତପଥୀ, (ବାଲିଙ୍କିଶରଣପୁର) ଏବଂ ପଣ୍ତିତ କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଯଜ୍ଞାନୁଷ୍ଠାନ ବିଦ୍ଧିବଦ୍ଧ ଭାବେ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା, ଆହୂତି ଆଦି ସମ୍ପନ୍ନ ହୋଇଆସୁଅଛି । ପୁରୋହିତ ପଣ୍ତିତ ରମେଶ ଚନ୍ଦ୍ର ପଣ୍ଡା, ରାଜେନ୍ଦ୍ର ପଣ୍ଡା, ରବିନ୍ଦ୍ର ପଣ୍ଡାଙ୍କ ସମେତ ବହୁ ଗଣ୍ୟମାନ୍ୟ ସାଧୁ ସନ୍ଥ, ବ୍ରାହ୍ମଣ ପୁରୋହିତ ପଣ୍ତିତ ବର୍ଗଙ୍କ ପୌରହିତ୍ୟରେ ଯଜ୍ଞ-ପ୍ରତିଷ୍ଠା ଉତ୍ସବ, ବେଦ ମନ୍ତ୍ର ଉଚ୍ଚାରଣରେ ଆଧ୍ୟତ୍ମିକ ପରିବେଶ ମଧ୍ୟରେ ସ୍ଥାନଟି ଉଚ୍ଛୁଳି ପଡୁଛି । ଏହି ଯଜ୍ଞ ଉତ୍ସବ ଆସନ୍ତା ୨୫ ତାରିଖରେ ଉଦଯାପିତ ହେବ ବୋଲି କୁହାଯାଇଛି ।