jayashree

ହର୍ମୁଜ୍ ପ୍ରଣାଳୀ ପାର୍ ହେଲା ୪ଟି ସାର ବୋଝେଇ ଜାହାଜ

  • ଖରିଫ୍ ୨୦୨୬ ପାଇଁ ଆସିଲା ୟୁରିଆ, ଡିଏପି ଏବଂ ସଲଫର୍ ସାର
  • ଭାରତୀୟ ବନ୍ଦରରେ ଜାହାଜ ପହଞ୍ଚିବା ସହିତ ସାର ଯୋଗାଣ ଶୃଙ୍ଖଳ ହେବ ମଜବୁତ

ନୂଆଦିଲ୍ଲୀ, (ପିଆଇବି) : ଗତ ସପ୍ତାହରେ ଚାରିଟି ସାର ବୋଝେଇ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର୍ ହୋଇ ଭାରତ ଉପକୂଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହା ଭାରତର ସାର ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି। ପଶ୍ଚିମ ଏସିଆ ସଂଘର୍ଷ କାରଣରୁ ଉତ୍ପନ୍ନ ବିଶ୍ୱ ବାଣିଜ୍ୟିକ ଆହ୍ୱାନ ସତ୍ତ୍ୱେ ଏହି ଜାହାଜଗୁଡ଼ିକ ୟୁରିଆ, ଡିଏପି ଏବଂ ସଲଫର୍ ସାର ନେଇ ଭାରତ ଉପକୂଳରେ ଖୁବ୍ ଶୀଘ୍ର ପହଞ୍ଚିବେ । ଏସବୁ ଜାହାଜ ପାରାଦୀପ, କ୍ରିଷ୍ଣାପଟନମ, କାକିନାଡ଼ା ଏବଂ ମୁନ୍ଦ୍ରା ବନ୍ଦରରେ ପହଞ୍ଚିବାକୁ ଯାଉଛି। ଫଳରେ ଖରିଫ୍ ଋତୁ ୨୦୨୬ ପାଇଁ ସାର ଯୋଗାଣ ଶୃଙ୍ଖଳ ସୁଦୃଢ଼ ହେବ।
ଭାରତରେ ବର୍ତ୍ତମାନ ୧୯୬.୦୮ ଲକ୍ଷ ଟନ୍ ସାର ମହଜୁଦ ରହିଛି। ଏହା ପୂର୍ବବର୍ଷର ଷ୍ଟକ୍ ୧୬୮.୬୭ ଲକ୍ଷ ଟନ ଠାରୁ ଅଧିକ । ଦେଶରେ ବର୍ତ୍ତମାନ ୮୧.୪୪ ଲକ୍ଷ ଟନ୍ ୟୁରିଆ, ୨୦.୯୨ ଲକ୍ଷ ଟନ ଡିଏପି, ୫୫,୯୧ ଲକ୍ଷ ଟନ୍ ଏନପିକେ, ୧୨.୬୮ ଲକ୍ଷ ଟନ୍ ଏମଓପି, ୨୫.୧୩ ଲକ୍ଷ ଟନ୍ ଏସଏସପି ସାର ଗଚ୍ଛିତ ରହିଛି ।
କୃଷି କାର୍ଯ୍ୟକଳାପ ମଧ୍ୟ ଦ୍ରୁତ ଗତିରେ ଜାରି ରହିଛି। ସଂକଟ ପରେ ମାର୍ଚ୍ଚ ୧ରୁ ଜୁନ୍ ୨୧ ତାରିଖ ମଧ୍ୟରେ ୧୫୩.୪ ଲକ୍ଷ ଟନ୍ ସାର ବିକ୍ରି ହୋଇଛି ଯାହା ଗତ ବର୍ଷ ତୁଳନାରେ ୧୩.୨ ଲକ୍ଷ ଟନ୍ ଅଧିକ। ଦେଶର ଚାଷୀଙ୍କୁ ଅସ୍ଥିର ବିଶ୍ୱ ବଜାର ଠାରୁ ସୁରକ୍ଷିତ ରଖିବା ଲାଗି ଆମଦାନୀ ବ୍ୟତୀତ ଘରୋଇ ଉତ୍ପାଦନ ପ୍ରତି ମଧ୍ୟ ସରକାର ଧ୍ୟାନ ଦେଉଛନ୍ତି । ଚଳିତ ବର୍ଷ ଦେଶରେ ୧୩୩.୧୨ ଲକ୍ଷ ମେଟ୍ରିକ ଟନ୍ ସାର ଉତ୍ପାଦନ କରାଯାଇଛି। ଭାରତ ବିଶ୍ୱ ବଜାରରୁ ୯୦ ଲକ୍ଷ ମେଟ୍ରିକ ଟନ୍ ଅତିରିକ୍ତ ୟୁରିଆ ଏବଂ ପିଏଣ୍ଡକେ ସାର ଯୋଗାଣ ସୁନିଶ୍ଚିତ କରିଛି। ୨୮ଟି ଭାରତୀୟ ବାଣିଜ୍ୟିକ ଦୂତାବାସ ଜରିଆରେ ଏକ ବ୍ୟାପକ କ୍ରୟ ରଣନୀତି ଅନ୍ତର୍ଗତ ବିଭିନ୍ନ ଅନ୍ତର୍ଜାତୀୟ ମାର୍ଗରୁ ସାର ଆମଦାନୀ ଉତ୍ସ ବିକଶିତ କରାଯାଇଛି । ଓମାନ, ମାଲେସିଆ, ଭିଏତନାମ, ଜର୍ଜିଆ, ନାଇଜେରିଆ, ରୁଷିଆ, ଫିନଲ୍ୟାଣ୍ଡ, ଇଜିପ୍ଟ, ଆଲଜେରିଆ, ତୁର୍କୀ ଏବଂ ନେଦରଲ୍ୟାଣ୍ଡରୁ ୟୁରିଆ ଆମଦାନୀ କରାଯାଇଛି । ସେହିପରି ରୁଷ, ମରକ୍କୋ, ଇଜିପ୍ଟ, ଆମେରିକା, ଜୋର୍ଡାନ, ଦକ୍ଷିଣ କୋରିଆ, ଟ୍ୟୁନିସିଆ ଏବଂ ସାଉଦି ଆରବରୁ ଡିଏପି/ଏନପିକେ ସାର ଆମଦାନୀ କରାଯାଇଛି । ଭାରତର ସାର ସୁରକ୍ଷା ସୁଦୃଢ଼, ସ୍ଥିର ଓ ସୁପରିଚାଳିତ ହେବା ନିଶ୍ଚିତ କରିବା ପାଇଁ ସାର ବିଭାଗ ରାଜ୍ୟ ସରକାର, ବଣ୍ଟନ ସଂସ୍ଥା ଏବଂ ସମବାୟ ସମାଜ ସହିତ ମିଳିତ ଭାବରେ ନିରନ୍ତର କାର୍ଯ୍ୟ କରୁଛି ।

Leave A Reply

Your email address will not be published.