jayashree

ଗାଁ ସ୍କୁଲରେ ଡିଇଓଙ୍କ ଉପସ୍ଥିତି : ଶିକ୍ଷା କ୍ଷେତ୍ରରେ ସୃଷ୍ଟି କଲା ନୂଆ ଉତ୍ସାହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରିଥିଲେ । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ପର୍ଶୁରାମ ହାଇସ୍କୁଲ, କୁଡାସିଂହା, ସଚ୍ଚିଦାନନ୍ଦ ହାଇସ୍କୁଲ, ଭୁତିଆରବାହାଲ ଓ ପଞ୍ଚାୟତି ହାଇସ୍କୁଲ, ମୁରିବାହାଲକୁ ପରିଦର୍ଶନ କରି ବିଦ୍ୟାଳୟ ଗୁଡିକର ଶିକ୍ଷାଦାନ ବ୍ୟବସ୍ଥା, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପରୀକ୍ଷା ଫଳାଫଳ ଓ ବିଭିନ୍ନ ଭିତ୍ତିଭୂମି ସୁବିଧାର ସମୀକ୍ଷା କରିଥିଲେ । ପରିଦର୍ଶନ ସମୟରେ ସେ ଶ୍ରେଣୀଗୃହ ବୁଲି ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ପାଠ ପଢ଼ାର ମାନ ଯାଞ୍ଚ କରିଥିଲେ । ବିଦ୍ୟାଳୟର ପରିମଳ ବ୍ୟବସ୍ଥା, ପାନୀୟ ଜଳ, ଗ୍ରନ୍ଥାଗାର, ବିଜ୍ଞାନ ପ୍ରୟୋଗଶାଳା ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ତଦାରଖ କରିଥିଲେ । ଶିକ୍ଷକମାନଙ୍କ ସହ ଆଲୋଚନା ବେଳେ ଡିଇଓ ଶ୍ରୀ ମିଶ୍ର ଛାତ୍ରଛାତ୍ରୀଙ୍କ ମୌଳିକ ଶିକ୍ଷଣ ଦକ୍ଷତା ବୃଦ୍ଧି, ନିୟମିତ ଶ୍ରେଣୀ ଶିକ୍ଷାଦାନ ଓ ଶତପ୍ରତିଶତ ଉପସ୍ଥାନ ଉପରେ ଗୁରୁତ୍ୱାରୋପ କରିଥିଲେ । ସରକାରଙ୍କ ଶିକ୍ଷା କ୍ଷେତ୍ରରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସଫଳ ଭାବେ କାର୍ଯ୍ୟକାରୀ କରିବାକୁ ସେ ପରାମର୍ଶ ଦେଇଥିଲେ । ପରିଦର୍ଶନ ସମୟରେ ପର୍ଶୁରାମ ହାଇସ୍କୁଲ କୁଡାସିଂହାର ପ୍ରଧାନଶିକ୍ଷକ ଦିଲୀପ ବେହେରା, ଭୁତିଆରବାହାଲ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସିକତା ପଟେଲ ଓ ପଞ୍ଚାୟତି ହାଇସ୍କୁଲ, ମୁରିବାହାଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ବିଦ୍ୟାଳୟର ଶୈକ୍ଷିକ କାର୍ଯ୍ୟକଳାପ, ପରୀକ୍ଷା ଫଳାଫଳ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଏବଂ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଇଥିଲେ । ମୁରିବାହାଲ ବ୍ଲକର ହାଇସ୍କୁଲ ପରିଦର୍ଶନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ମଧ୍ୟ ଉପସ୍ଥିତ ଥିଲେ

Leave A Reply

Your email address will not be published.