
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲେହେଡି ଗ୍ରାମ ନିକଟସ୍ଥ ବାଞ୍ଜିଯୋର୍ରେ ବାଇକ ସହ ଯୁବକ ଭାସି ଯାଇଥିବା ବେଳେ ଅଗ୍ନିଶମ ବାହିନୀ ଦ୍ଵାରା ସୁରକ୍ଷିତ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ଗତ ଦୁଇଦିନ ହେବ ସୁବର୍ଣ୍ଣପୁର ଜିଲ୍ଲାରେ ମୂଷଳ ଧାରାରେ ବର୍ଷା ଜାରିରହିଛି । ସହରଠୁ ଗ୍ରାମାଞ୍ଚଳ ବ୍ୟାପୀ ବର୍ଷାଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେବାସହ ନଦୀ, ନାଳରେ ପ୍ରବଳ ସ୍ରୋତରେ ଜଳ ନିଷ୍କାସିତ ହେଉଛି । ଅନେକ ସ୍ଥାନରେ ରାସ୍ତା ଉପରେ ବର୍ଷା ଜଳ ପ୍ରବାହିତ ହେଉଛି । ଗତକାଲି ରବିବାର ଦିନ ସନ୍ଧ୍ୟାରେ ଉଲୁଣ୍ଡା ବ୍ଲକ ପାଇକପାଲି ଗ୍ରାମର ବାସିନ୍ଦା ଫକୀର ମୋହନ ଭୋଇ (୪୩) ବର୍ଷ ବାଇକ୍ରେ ଘରକୁ ଯାଉଥିଲେ । ଲେହେଡି – ପାଇକପାଲି ରାସ୍ତାର ବାଞ୍ଜିଯୋର୍ରେ ପ୍ରାୟ ୩ ଫୁଟ୍ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ସେ ବାଇକ୍ ଧରି ଯୋର୍ ପାର ହେଉଥିବା ବେଳେ ଜଳ ସ୍ରୋତରେ ବାଇକ୍ ସହ ଭାସି ଯାଇଥିଲେ । ଭାସି ଯାଉଥିବା ବେଳେ ଏକ ଗଛ ଡାଳରେ ଲାଗି ଯିବାରୁ ସୌଭାଗ୍ୟ କ୍ରମେ ବଞ୍ଚି ଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା କ୍ରମେ ତୁରନ୍ତ ସୋନପୁର ଅଗ୍ନିଶମ ଅଧିକାରୀ ଭବେନ୍ଦ୍ର ନାଥ ଦେ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଫକୀରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ଅଗ୍ନିଶମ ଦଳକୁ ଏଥିପାଇଁ ଜନସାଧାରଣରେ ବେଶ୍ ପ୍ରଶଂସା ମିଳିଛି । ସେପଟେ ଆଜି ଭୋରରୁ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଜିଲ୍ଲାପାଳ ଛୁଟି ଘୋଷଣା କରିବା ସହ ଡୁଙ୍ଗୁରିପାଲି ଠାରେ ଥିବା ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରକୁ ବାତିଲ କରିଥିବା ସୂଚନା ମିଳିଛି ।