କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ସହରର ପ୍ରଥମ ପ୍ରାଥମିକ ଶିକ୍ଷାନୁଷ୍ଠାନ ଭାବେ ଗୌରବ ବହନ କରିଥିବା ଐତିହାସିକ ‘ସେଣ୍ଟ୍ରାଲ ପ୍ରାଥମିକ ବିଦ୍ୟାଳୟ’ ଏବେ ଆକର୍ଷଣୀୟ ନୂତନ ରୂପରେ ଉଦ୍ଘାଟିତ ହୋଇଯାଇଛି । ୧୯୧୯ରେ ସ୍ଥାପିତ ହୋଇଥିବା ଏହି ଶତାବ୍ଦୀ ପ୍ରାଚୀନ ବିଦ୍ୟାଳୟଟି କେସିଙ୍ଗା ପୋଷ୍ଟ ଅଫିସ ପାର୍ଶ୍ୱରେ ଦୀର୍ଘ ଦିନ ଧରି ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିଲା । ଶେଷରେ ପ୍ରାୟ ୮୦ଲକ୍ଷ ଟଙ୍କା ବ୍ୟୟରେ ଏହାର କାର୍ଯ୍ୟକଳାପ କରାଯାଇ ଏକ ସୁଦୃଶ୍ୟ ନୂତନ କୋଠା ଓ ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ କରାଯାଇଛି । ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନୂତନ ଭବନର ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ନଗରପାଳ ନୃପରାଜ ଯାଦବ, ଜିଲ୍ଲା ଶିକ୍ଷା ଅଧିକାରୀ ରମାକାନ୍ତ ସେଠୀ, କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ, ବିଡିଓ ଜନ୍ମେଜୟ ସାହୁ, ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ପ୍ରମୁଖ ବିଦ୍ୟାଳୟର ଗୌରବମୟ ଇତିହାସ ଏବଂ ସହର ପ୍ରତି ଏହାର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ସିଟିଜେନ ଫୋରମର ନିରନ୍ତର ଦାବି ଓ ସହଯୋଗ ଯୋଗୁଁ ବିଦ୍ୟାଳୟର ଏହି ନବକଳେବର ସମ୍ଭବ ହୋଇପାରିଥିବାରୁ ଫୋରମ ସଭାପତି ତଥା ପୁରାତନ ଛାତ୍ର ଡାକ୍ତର ହେମସାଗର ସାହୁ, ଶିକ୍ଷାବିତ୍ ଡି. ଚନ୍ଦ୍ରଶେଖର ଆଚାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଆନନ୍ଦ କୁମାର ବେହେରାଙ୍କୁ ସାଧୁବାଦ ଜଣାଯାଇଥିଲା । ପିଙ୍କୁ ପରିଡ଼ା, ନମିତା ରାଣୀ ସାହୁ , ମଗନ ସିନ୍ଦୁର, ପ୍ରଶାନ୍ତ ବାନାର୍ଜୀ, ପ୍ରୀତେଶ ପଟେଲ, ବିରଦୀ ଜୈନ, ଅରୁଣ ଅଗ୍ରୱାଲ, ପ୍ରୀତେଶ ପଟେଲ, ଧରଣୀ ନାୟକ ଏବଂ ବିମଳ ବାଗଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
Prev Post
Next Post
