ବାଲିଗୁଡ଼ା ଆଦର୍ଶ ପୋଖରୀରେ ବୋଟିଂ ବ୍ୟବସ୍ଥା ଓ କଲେଜ ନିକଟରେ ଆକର୍ଷଣୀୟ ସେଲ୍‌ଫି ପଏଣ୍ଟ ଉଦ୍‌ଘାଟିତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁଦାନ କ୍ରମେ ବିକାଶ ପଥରେ ଆଗଇ ଚାଲିଛି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ । କନ୍ଧମାଳ ଜିଲ୍ଲାରେ ପ୍ରଥମ ଥର ପାଇଁଁ ବାଲିଗୁଡ଼ା ବସ୍‌ଷ୍ଟାଣ୍ଡ୍ ନିକଟସ୍ଥ ଆଦର୍ଶ ପୋଖରୀରେ ଆରମ୍ଭ ହୋଇଛି ବୋଟିଂ ବ୍ୟବସ୍ଥା । ଏଥି ସହିତ ଅଞ୍ଚଳବାସୀଙ୍କ ପାଇଁ ମନୋରଞ୍ଜନ ପାଇଁ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ନିର୍ମାଣ ହୋଇଛି ମନଲୋଭା ସେଲ୍‌ଫି ପଏଣ୍ଟ୍ । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲ୍ଲିକ ଓ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଉପସ୍ଥିତରେ ଏହାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ବାଲିଗୁଡ଼ାର ଉନ୍ନତି ପାଇଁ ଅନେକ ଅର୍ଥ ମଞ୍ଜୁର କରିଛନ୍ତି । ଯାହାଫଳରେ ଆଜି ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ ୱାର୍ଡରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରାଯାଇଛି । ଏଥି ସହିତ ସହରକୁ ସୌନ୍ଦର୍ଯ୍ୟ କରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଏନ୍ଏସି ଗଠନ ହେବା ପରେ ଗତ ଆଠବର୍ଷ ମଧ୍ୟରେ ବାଲିଗୁଡ଼ାର ଅନେକ ବିକାଶ ହୋଇପାରିଛି । ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଏନ୍‌ଏସି ଏବଂ ଦଳ ପକ୍ଷରୁ ଧନ୍ୟବାଦ ଜଣାଯାଇଛି । ସେପଟେ ସମସ୍ତ ଜନ ପ୍ରତିନିଧିଙ୍କ ପୂର୍ଣ୍ଣ ସହଯୋଗ ମିଳିବାରୁ ବାଲିଗୁଡ଼ା ସହରର ସୌନ୍ଦର୍ଯ୍ୟ କରଣ ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିପାରିଛୁ ବୋଲି କହିଛନ୍ତି ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା । ଏହି ଅବସରରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ସାଂସଦ ପ୍ରତିନିଧିଙ୍କ ସମେତ ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପାଧ୍ୟକ୍ଷା ଶାନ୍ତିଲତା ନାୟକ, ସମସ୍ତ ୱାର୍ଡ କାଉନ୍‌ସିଲର୍‌ ଓ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.