ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଶରଧାବାଲିର ମୁକ୍ତାକାଶ ରଂଗ ମଞ୍ଚରେ ଶିଶୁ ମହୋତ୍ସବ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଉନବିଂଶତମ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବକୁ ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର । ଶିଶୁ ମନରେ ଓଡ଼ିଶା, ଓଡ଼ିଆ ଭାଷା ଓ ସଂସ୍କୃତିକୁ ଭଲପାଇବାର ଶିକ୍ଷା ଏବେଠାରୁ ଉଜ୍ଜୀବିତ କରାଇଲେ ଆମ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତିରେ ସମୃଦ୍ଧ ହେବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ତିରିଶଟି ଜିଲ୍ଲାର ତିନିଶହ ଶିଶୁମାନଙ୍କ ଏହି କାର୍ଯ୍ୟକ୍ରମରେ ଶିଶୁ ସାହିତ୍ୟିକ ସଦାଶିବ ମିଶ୍ର ଅଧ୍ୟକ୍ଷତା କରିଥିବାବେଳେ, ଉତ୍ସବ କମିଟି ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ସମଗ୍ର ଓଡ଼ିଶାର ଶିଶୁମାନଙ୍କୁ ନେଇ ଅନୁଷ୍ଠିତ ଏହି ଉତ୍ସବ, ଓଡ଼ିଶାର ସଂଗୀତ, ବାଦ୍ୟ ଓ ନୃତ୍ୟକୁ ବିକଶିତ କରିବ ବୋଲି ବକ୍ତବ୍ୟ ରଖିଥିଲେ । ସଂପାଦକ ଶଂଖମିତ୍ର ସିଂହାରୀ, ଆବାହକ ପ୍ରଶାନ୍ତ ପଟ୍ଟନାୟକ, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଚକ୍ରଧର ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁନି କୁନି ଶିଳ୍ପୀମାନେ ଚମତ୍କାର ସଂଗୀତ, ନୃତ୍ୟ ଓ ବାଦ୍ୟ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ କୁ.ଶ୍ୟାମପ୍ରକାଶ ସେନାପତି ସଞ୍ଚାଳନ କରିଥିବା ବେଳେ ବଦ୍ରି ମିଶ୍ର, ସୁଂଧାଶୁଭୂଷଣ ରଥ, ଭୁବନମୋହନ ପୂଜାପଣ୍ଡା, ସୁକାନ୍ତ ପଣ୍ଡା, ଜଗନ୍ନାଥ ସିଂହାରୀ, ଅମରେଶ୍ଵର ମହାପାତ୍ର, ସ୍ନିଗ୍ଧା ଭଟ୍ଟାଚାର୍ଯ୍ୟ, ସୋନାଲି ମଧୁସ୍ମିତା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ ଅତିଥିମାନେ ଅନୁଷ୍ଠାନର ସ୍ମରଣିକା, ‘ଶିଶୁ ପ୍ରତିଭା’ ଉନ୍ମୋଚନ କରିଥିବା ବେଳେ ଶିଶୁମାନଙ୍କୁ ପୁରସ୍କାର ବିତରଣ କରିଥିଲେ ।

Leave A Reply

Your email address will not be published.

five × 4 =

error: Content is protected !!