ଫିରିଙ୍ଗିଆ ଥାନା ଜାଳି ଦେଲେ ଉତ୍ୟକ୍ତ ଲୋକ

କନ୍ଧମାଳ : (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାଧିକାରୀଙ୍କ ନିଲମ୍ବନ ଏବଂ ଗିରଫ ଦାବୀରେ ଉତ୍ୟକ୍ତ ଲୋକ ଥାନା ପୋଡି ଦେବା ସହ ଶନିବାର ଫିରିଙ୍ଗିଆ-ବାଲିଗୁଡା ମୁଖ୍ୟ ରାସ୍ତାକୁ ଉତ୍ୟକ୍ତ ଲୋକେ ଅବରୋଧ କରିଥିବା ଖବର ମିଳିଛି । ସେମାନଙ୍କୁ ବୁଝାଇବାକୁ ଯାଇଥିବା ସଦର ଏସ୍‌ଡିପିଓ ସୁପ୍ରଶନ୍ନ ମଲ୍ଲିକ, ତହସିଲଦାର ଏମ୍‌ ଅନୁରାଧାଙ୍କୁ ଲୋକେ ଗୋଡାଇ ଗୋଡାଇ ପିଟିଥିବା ଭଳି ଅଭାବନୀୟ ଖବର ମିଳିଛି । ଏହାପରେ ଥାନା ଭିତରେ ପଶି ପୋଡା ଜଳା କରିବା ସହ ଜବତ ଗାଡିକୁ ଲୁଟି ନେଇ ଉତ୍ୟକ୍ତ ଜନତା ଥାନା ଭିତରକୁ ପ୍ରବଳ ଟେକା ପଥର ମାଡ କରିଥିବା ଜଣାପଡିଛି । ଘଟଣାସ୍ଥଳରେ ଫୋର୍ସ ଅଧିକ ନ ଥିବାରୁ ପରିସ୍ଥିତି ଉତେଜନାପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ, ଫିରିଙ୍ଗିଆ ଥାନା ପୋଲିସ ଗାଡିରେ ଗଞ୍ଜେଇ ଚାଲାଣ ହେଉଥିବା ଅଭିଯୋଗ କରି ଏବଂ ଥାନାଧିକାରୀ ତପନ କୁମାର ନାହାକଙ୍କୁ ଗିରଫ ଦାବୀରେ ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଆସି ରାସ୍ତା ଅବରୋଧ କରିଥିଲେ । ପ୍ରାୟ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରାସ୍ତାରୋକ ଚାଲିଥିଲା । ସଦର ଏସ୍‌ଡିପିଓ ଶ୍ରୀ ମଲ୍ଲିକ ଏବଂ ତହସିଲଦାର କିଛି ଫୋର୍ସଙ୍କ ସହ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଉତ୍ୟକ୍ତ ଲୋକେ ଠେଲା ପେଲା ଆରମ୍ଭ କରି ଦେଇଥିଲେ । ଏହାପରେ ଉଭୟଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ । ପରେ ସେମାନେ କିଛି ଫୋର୍ସଙ୍କ ସହ ଆସି ଥାନାରେ ପହଞ୍ଚିଥିଲେ । ହେଲେ ଲୋକେ ସେଠାକୁ ମଧ୍ୟ ଆସି ଥାନା ଭିତରକୁ ପଶିଥିଲେ । ସେଠାରେ ପୋଲିସ ଏବଂ ଲୋକଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଏହାପରେ ପରିସ୍ଥିତି ଅଣାୟତ୍ତ ହୋଇପଡିଥିଲା । ମିଳିଥିବା ଖବର ଅନୁସାରେ ଏସ୍‌ଡିପିଓ ଏବଂ ତହସିଲଦାର ଘଟଣାରେ ଆହତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.