ବରଗଡ, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ୱାର୍ଡ ନମ୍ବର–୧ ଅନ୍ତର୍ଗତ ଜିରାନଦୀ ବିହାର ଅଞ୍ଚଳରେ ଖୋଲାଯାଇଥିବା ଏକ ମଦ ଦୋକାନକୁ ବିରୋଧ କରି ସ୍ଥାନୀୟ ମହିଳାମାନେ ତୀବ୍ର ଆନ୍ଦୋଳନ କରିଛନ୍ତି । ମଦ ଦୋକାନକୁ ତୁରନ୍ତ ବନ୍ଦ କରିବା ଦାବିରେ ସେମାନେ ବରଗଡ଼–ଭଟଲି ମୁଖ୍ୟ ସଡ଼କରେ ରାସ୍ତାରୋକ କରିଥିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ମଦ ଦୋକାନଟି ଜନବସତିପୂର୍ଣ୍ଣ ଅଞ୍ଚଳରେ ଖୋଲାଯାଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତିଦିନ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଯାତାୟାତ କରୁଛନ୍ତି । ଏପରି ସ୍ଥାନରେ ମଦ ଦୋକାନ ଚାଲୁ ରହିଲେ ସାମାଜିକ ପରିବେଶ ଉପରେ କୁପ୍ରଭାବ ପଡ଼ିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିବ ବୋଲି ସେମାନେ କହିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ବରଗଡ଼ ଟାଉନ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସ୍ଥାନୀୟ ମହିଳାମାନେ ଚେତାବନୀ ଦେଇଛନ୍ତି । ବର୍ତ୍ତମାନ ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
