ମା’ତାରାତାରିଣୀଙ୍କ ପାଦଦେଶରେ ଭୋକିଲା ମାଙ୍କଡ଼, କୁକୁରମାନଙ୍କୁ ଖାଦ୍ୟ ବାଣ୍ଟି ପୂର୍ବତନ ସରପଞ୍ଚ ପ୍ରଶଂସିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କୋରନା ସମୟରେ ମନ୍ଦିର ଭକ୍ତଶୂନ୍ୟ ରହୁଥିବା କାରଣରୁ ତାରାତାରିଣୀ ପୀଠ ପରିସରରେ ବିଚରଣ କରୁଥିବା ମାଙ୍କଡ଼ ଓ କୁକୁର ମାନେ ଭୋକରେ କାଳାତିପାତ କରୁଥିବା ନେଇ ଛତ୍ରପୁରର କିଛି ଯୁବ ସ୍ୱେଚ୍ଛାସେବୀଙ୍କ ସହ ପୂର୍ବତନ ରାଇପୁର ସରପଞ୍ଚ ସୀମାଞ୍ଚଳ ସାହୁ ବାହାରି କୁକୁର ଓ ମାଙ୍କଡ଼ମାନଙ୍କୁ ଖାଦ୍ୟଦ୍ରବ୍ୟ ବିତରଣ କରି ସମାଜରେ ପ୍ରଶଂସିତ ହୋଇଛନ୍ତି । ପ୍ରକାଶ ଥାଉକି, କରୋନା ସଂକ୍ରମଣରୁ ଦୁରେଇ ରହିବା ନିମନ୍ତେ ଗଞ୍ଜାମ ଜିଲ୍ଲାରେ ଦୀର୍ଘଦିନ ଧରି ସମସ୍ତ ଧର୍ମାନୁଷ୍ଠାନ, ମଠ ଓ ମନ୍ଦିର ଗୁଡ଼ିକ ବନ୍ଦ ରହିଛି । ବିନା ଭକ୍ତରେ କେବଳ ମନ୍ଦିରରେ ଦିଅଁଙ୍କ ନୀତିକ୍ରାନ୍ତି ପ୍ରଚଳିତ ହୋଇଆସିଛି । ତେବେ ଏହିଭଳି ସମୟରେ ଏଭଳି କୌଣସି ଧାର୍ମିକ ଅନୁଷ୍ଠାନ ଖୋଲାନଯିବା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶ ମଧ୍ୟ ରହିଛି । ଏହି ସବୁ ଧାର୍ମିକ ଅନୁଷ୍ଠାନ ଉପରେ ନିର୍ଭର କରୁଥିବା ପଶୁ ପକ୍ଷୀଙ୍କ, ବୁଲା କୁକୁର ଓ ମାଙ୍କଡ଼ଙ୍କ ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି । ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତନ୍ତ୍ରପୀଠ ଆଦିଶକ୍ତି ମା’ ତାରାତାରିଣୀଙ୍କ ପାଦଦେଶ ପରିସରରେ ଆଶ୍ରୟ ନେଇଥିବା ଶହ ଶହ ହନୁ ଓ ପାତି ମାଙ୍କଡ଼ ଏବଂ ସିଂହଦ୍ୱାର ତଳେ ବିଚରଣ କରୁଥିବା ବୁଲା କୁକୁର ମାନେ ଖାଇବାକୁ ନପାଇ ଭୋକିଲା ହୋଇ ହାହା-କାର ଅବସ୍ଥାରେ ରହିଛନ୍ତି । ପୂର୍ବେ ମନ୍ଦିର ଖୋଲା ଯାଉଥିବାରୁ ବହୁ ଭକ୍ତ ମା’ଙ୍କ ଦର୍ଶନ କରିବାକୁ ଆସିଥିବା ବେଳେ ମା’ଙ୍କ ପୂଜା କରିଥିବା କିଛି ଭୋଗ/ଫଳ, ଚଣା, ମୁଢି, ଲିଆ, ଦୋ-ଭୋଜା ଆଦି ଏହି ବୁଲା ଜନ୍ତୁ ମାନଙ୍କୁ ଖାଇବାକୁ ଦେଉଥିଲେ । ବିଶେଷ କରି ଏହିତକ ଖାଇ ମାଙ୍କଡ଼ ମାନେ ଆନନ୍ଦରେ ଦିନ କାଟୁଥିଲେ । ହେଲେ ଏବେ ମନ୍ଦିରକୁ ଭକ୍ତଙ୍କ ପ୍ରବେଶକୁ ବାରଣ କରାଯିବା ପରେ ସେମାନେ ଖାଇବାକୁ ପାଉନାହାନ୍ତି । ଏଭଳି ସମୟରେ କବିସୂର୍ଯ୍ୟନଗର ଅଞ୍ଚଳର ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ କୁମୁଦ ସାହୁଙ୍କ ସୌଜନ୍ୟରେ ପୁରୁଷୋତ୍ତମପୁର ବ୍ଲକ୍‌ର ରାଇପୁର ଗ୍ରାମପଞ୍ଚାୟତ ପୂର୍ବତନ ସରପଞ୍ଚ ସୀମାଞ୍ଚଳ ସାହୁ ଓ ଛତ୍ରପୁର ଅଞ୍ଚଳର କିଛି ସମାଜସେବୀ ମାନେ ମନ୍ଦିର ନିକଟରେ ବାସ କରୁଥିବା ମାଙ୍କଡ଼ ମାନଙ୍କୁ ବିସ୍କୁଟ, ଆମ୍ବ, ନଡ଼ିଆ, ଆମ୍ବ, କଦଳୀ, ଚଣା, ମୁଡି, ଲିଆ, ଫଳ ଆଦି ବଣ୍ଟନ କରିଛନ୍ତି । ଏହା ସହ କୁକୁର ମାନଙ୍କୁ ମଧ୍ୟ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ଦେଖିବାକୁ ମିଳିଛି । ଏହି ବଣ୍ଟନ ବେଳେ ପୂର୍ବତନ ସରପଞ୍ଚ ଡ. ରାମସ୍ୱାମୀ ରେଡ୍ଡୀ, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, କ୍ୟୁୟର୍ସ ଅନୁଷ୍ଠାନର ସମ୍ପାଦକ ଅରୁଣ କୁମାର ଶତପଥୀ, ସୁସାହିତ୍ୟିକ ଗୌରହରି ପଣ୍ଡା, ଲିଆରୀ ସମାଜର କେନ୍ଦ୍ରୀୟ ସମ୍ପାଦକ ସୁରେଶ ବେହେରା, ଛତ୍ରପୁରର ଯୁବ ସାମ୍ବାଦିକ ପ୍ରଶାନ୍ତ ମହାରଣା, ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ସାହୁ ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.