ପାଟଣାଗଡ଼, (ଗୋରେଖନାଥ ବରିହା) : ଆଜି ଭୁବନେଶ୍ୱର ଟେକ ସପୋର୍ଟ ଇଲେକ୍ଟ୍ରିକାଳ ଫାର୍ମ ଦ୍ୱାରା ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଅଧିନସ୍ଥ ବେଲପଡା ବିଦ୍ୟୁତ ସେକ୍ସନର କାନୁଟ ୩୩/୧୧ କେଭି ଗ୍ରୀଡ଼ ସବ ଷ୍ଟେସନ ଠାରେ ଚଉଦ ଜଣ ଟେକ୍ନିସିଏନ, ଲାଇନମେନ ଏବଂ ହେଲ୍ପର ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ କରାଯାଇଥିଲା । ଅଭିଯୋଗ ଅନୁସାରେ ଉକ୍ତ ଇଣ୍ଟରଭ୍ୟୁ ବେଳେ ୱେସ୍କୋ କିମ୍ବା ଟାଟା ପାୱାର ୱେଷ୍ଟର୍ଣ ଓଡିଶା ଡ଼ିସଟ୍ରିବ୍ୟୁସନ ଲିମିଟେଡ଼ର କୌଣସି ଇଞ୍ଜିନିଅର ଅଧିକାରୀ ଉପସ୍ଥିତ ନ ଥିଲେ । ପାଟଣାଗଡ, ବେଲପଡା, ଖପ୍ରାଖୋଲ ବ୍ଲକର ଆଇଟିଆଇ, ଡିପ୍ଲୋମା ଡିଗ୍ରୀ ଧାରୀ ପ୍ରାର୍ଥୀ, ଅଭିଜ୍ଞ, କୁଶଳୀ, ଅଣକୁଶଳୀ ଶ୍ରମିକ ମାନେ ମଧ୍ୟ ଖବର ପାଇ ନ ଥିଲେ । ଫଳରେ ସ୍ଥାନୀୟ ଯୋଗ୍ୟ ପ୍ରାର୍ଥୀ ମାନେ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ଟେକ ସପୋର୍ଟ ଫାର୍ମ ଲରମ୍ଭା, ଯୁରିଆ, କାନୁଟ, ଲାଠୋର, ଧୂମାଭଟା, ପିପଳପଦର, ଗୁଡିଘାଟ ପ୍ରଭୃତି ଦଶଟି ୩୩/୧୧ କେଭି ଗ୍ରୀଡ଼ ସବ ଷ୍ଟେସନରେ ସତୁରି ଜଣ ଲାଇନମେନ ଏବଂ ହେଲ୍ପରଙ୍କୁ ବିନା ଇଣ୍ଟରଭ୍ୟୁ ବିନା ପ୍ରଚାର ପ୍ରସାର ସୂଚନା ଏଡ଼ଭାଟିଜମେଣ୍ଟରେ ନିଯୁକ୍ତି ଦେଇଥିବାର ଅଭିଯୋଗ ହୋଇଥିଲା । ତତ୍କାଳୀନ ଟିଟିଲାଗଡ଼ ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଏହି ମାମଲାରେ ବିବାଦୀୟ ହୋଇ ପଡ଼ିଥିଲେ । କାରଣ ତାଙ୍କ ସୁପାରିଶରେ ସତୁରି ଜଣକୁ ଦଶ ଗୋଟି ଗ୍ରୀଡ଼ ସବ ଷ୍ଟେସନରେ ଟେକ ସପୋର୍ଟ ଠିକା ସଂସ୍ଥା ବିନା ଇଣ୍ଟରଭ୍ୟୁ ବିନା ବିଜ୍ଞାପନରେ ନିଯୁକ୍ତି ଦେଇଥିଲା । ବ୍ୟାପକ ଲାଞ୍ଚ କରବାର ହୋଇଥିବା ସେହି ବେଆଇନ ନିଯୁକ୍ତିକୁ ବାତିଲ କରି ସଠିକ ବିଜ୍ଞାପନ ଏବଂ ଚୟନ ପ୍ରକ୍ରିୟାରେ ପୁନଃ ନିଯୁକ୍ତି କରିବାକୁ ମୁଖ୍ୟମନ୍ତ୍ରୀ, ଶକ୍ତି ମନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀଙ୍କୁ ବିଭିନ୍ନ ସଂଗଠନ ସ୍ମାରକପତ୍ର ଦେଇଥିଲେ । କିନ୍ତୁ ଗ୍ରୀଡ଼ରେ କର୍ମଚାରୀ ନିଯୁକ୍ତିରେ ବ୍ୟାପକ ଅର୍ଥ କାରବାର ହୋଇଥିବାରୁ ଠିକା ସଂସ୍ଥା ଘଟଣାକୁ ଦବାଇ ରଖିଛି ବୋଲି ସ୍ଥାନୀୟ ଯୁବକ ମାନେ ଅଭିଯୋଗ କରିଥିଲେ । ଜାନୁଆରୀ ୨୦୨୧ରୁ ଟାଟା କମ୍ପାନୀ ଓଡିଶାର(ପୂର୍ବରୁ ୱେସ୍କୋ, ନେସ୍କୋ, ସାଉଥକୋ, ସେସୁ ଦାୟିତରେ ଥିବା)ବିଦ୍ୟୁତ ବିତରଣ, (ରକ୍ଷଣା ବେକ୍ଷଣ, ରାଜସ୍ୱ ଆଦାୟ କାର୍ଯ୍ୟ ପଚିଶ ବର୍ଷ ପାଇଁ ଲିଜ ନେଇଛି । ଓଡିଶା ଶକ୍ତି ବିଭାଗରେ ଟାଟା କମ୍ପାନୀର ୫୧ ପ୍ରତିଶତ ଅଂଶ ଥିବାବେଳେ ଓଡିଶା ସରକାରଙ୍କ ୪୯ ପ୍ରତିଶତ ସେୟାର ରହିଛି । ତେଣୁ ଓଡିଶା ଶକ୍ତି ବିଭାଗ ହେଉଛି ଓଡିଶା ସରକାର ଏବଂ ଟାଟା କମ୍ପାନୀର ଜଏଣ୍ଟ ଭେନଚର ସଂସ୍ଥା । ଟାଟା କମ୍ପାନୀ ମନମୁଖୀ କାର୍ଯ୍ୟ କରିବା ଅନୁଚିତ ବୋଲି ଜନସାଧାରଣରେ ଚର୍ଚ୍ଚା ହେଉଛି ।