ଗୁଡ଼ିଘାଟ ଗ୍ରାମରେ କିରାନା ଦୋକାନ ଜାଳିଦେଲେ ଦୁର୍ବୃତ୍ତ : ପୁଲିସର ତନାଘନା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ପଞ୍ଚାୟତ ସଦର ମହକୁମାରେ ଦୁର୍ବୃତ୍ତମାନେ ଏକ କିରାନା ଦୋକାନକୁ ଜାଳି ଦେଇଥିବା ମୁରିବାହାଲ ଥାନାରେ ଏତଲା ହୋଇଛି । ଗୁଡିଘାଟ ଗ୍ରାମର ଚନ୍ଦ୍ରଧ୍ଵଜ ରଣାଙ୍କ ପୁଅ କେଶବ ରଣା(୧୯) ଗୁଡିଘାଟ-ବିଜାମାଲ ଗାଁ ଛକ ପାଖରେ ଏକ କିରାନା ଦୋକାନ ଦେଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ବୁଧବାର ରାତି ୮ଟା ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ । ରାତିରେ ଦୁର୍ବୃତ୍ତମାନେ ତାଙ୍କ ଦୋକାନ ଘରକୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଜାଳି ନଷ୍ଟ କରିଦେଇଥିଲେ । ଦୋକାନ ଭିତରେ ଥିବା ସମସ୍ତ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା । ଦୋକାନରେ ଥିବା ଏକ ଫ୍ରିଜ୍ ମଧ୍ୟ ପୋଡ଼ି ପାଉଁଶ ହୋଇଯାଇଥିଲା । ରାତି ପ୍ରାୟ ୩.୩୦ମିରେ ଗାଁର ଲୋକେ କେଶବଙ୍କ ଦୋକାନରେ ନିଆଁ ଲାଗିଥିବା ଦେଖି ତାଙ୍କୁ ଖବର ଦେବାରୁ ସେ ଧାଇଁ ଆସି ପାଣି ଢାଳି ନିଆଁ ଲିଭାଇ ଥିଲେ । ଫଳରେ କିଛି ସାମଗ୍ରୀ ବଞ୍ଚି ଯାଇଥିଲା । ଦୋକାନ ଘରେ ଆନୁମାନିକ ୨ଲକ୍ଷ ଟଙ୍କାର ସାମଗ୍ରୀ ଥିଲା । କେଶବ ଏ ସମ୍ପର୍କରେ ମୁରିବାହାଲ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । କେଶବଙ୍କ ଏତଲା ଆଧାରରେ ପୁଲିସ ଘଟଣାସ୍ଥଳରେ ପହଂଚି ବିଭିନ୍ନ ଦିଗକୁ ନେଇ ତନାଘନା ତଦନ୍ତ ଜାରି ରଖିଥିଲା । ଏ ସମ୍ପର୍କରେ ଥାନା କେସ୍‌ ନଂ ୪୮/୨୦୨୪ ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four × 4 =