jayashree

ଚାଞ୍ଚଲ୍ୟକର ଘଟଣା, ବ୍ୟାଗରୁ ଅଜଣା ମହିଳାଙ୍କ ମୃତଦେହ ଠାବ : ତଦନ୍ତ ଆରମ୍ଭ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ରାୟଗଡା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏକ ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଠାବ ହୋଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍କଣ୍ଠା ଦେଖାଦେଇଛି । ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାୟଗଡା ଜିଲ୍ଲା ସଦର ଅଞ୍ଚଳ ଖଲିଗୁଡା ନିକଟସ୍ଥ ହ୍ୟୁଣ୍ଡାଇ ଶୋରୁମ୍ ପଛପଟେ ରହିଥିବା ପଡିଆରୁ ଏକ ବ୍ୟାଗ ଭିତରେ ମହିଳାଙ୍କ ମୃତଦେହ ଠାବ ହୋଇଛି । ବ୍ୟାଗରୁ ଦୁର୍ଗନ୍ଧ ବାହାରୁଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା । ହ୍ୟୁଣ୍ଡାଇ ଶୋରୁମର ମ୍ୟାନେଜର ଏହା ଦେଖି ତୁରନ୍ତ ଚାନ୍ଦିଲି ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗକୁ ଖୋଲି ଦେଖିବା ପରେ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଜବତ କରିଥିଲେ । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ରାୟଗଡା ସହକାରୀ ଜିଲ୍ଲାପାଳ ଶୁଭେନ୍ଦୁ ସାହୁ ଓ ଏସ୍‌ଡିପିଓ ଗୌରହରି ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଥିଲେ । ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି । ମୃତ ମହିଳାଙ୍କ ପରିଚୟ ଏପର୍ୟ୍ୟନ୍ତ ଜଣାପଡିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି । ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଏହି ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

Leave A Reply

Your email address will not be published.