ପ୍ରଦେଶ କଂଗ୍ରେସର ଗ୍ୟାରେଣ୍ଟି ଘୋଷଣା ସହ ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ଘୋଟାଲାର ନିରପେକ୍ଷ ତଦନ୍ତ ଦାବୀ କଲେ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ସହରର ହୋଟେଲ ସେଲିବ୍ରେସନ୍‌ରେ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସର ଗ୍ୟାରେଣ୍ଟି ଘୋଷଣା କରିବା ସହ ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ପ୍ରଦେଶ କଂଗ୍ରେସ ପକ୍ଷରୁ ୨୦୨୪ ନିର୍ବାଚନ ପାଇଁ ପୂର୍ବରୁ କଂଗ୍ରେସର ଗ୍ୟାରେଣ୍ଟି ଘୋଷଣା ହୋଇ ସାରିଥିବା ବେଳେ ଶାସନକୁ ଆସିଲେ କେଉଁ ସବୁ ଦିଗକୁ ଗୁରୁତ୍ୱ ଦେଇ କଂଗ୍ରେସ କାମ କରିବ ସେ ସଂପର୍କରେ ପୁଙ୍ଖାନୁପୁଂଖ ଆଲୋଚନା କରିଛନ୍ତି କଂଗ୍ରେସ ଦଳର ବରିଷ୍ଠ ନେତା ତଥା ବିଧାୟକ ନରସିଂହ । ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ଶାସନକୁ ଆସିଲେ ବୋନସ୍‌ ସହ ଧାନର କ୍ରୟ ମୂଲ୍ୟ କୁଇଣ୍ଟାଲ୍‌ ପ୍ରତି ୩୦୦୦ ଟଙ୍କା କରାଯିବ । କୃଷି ଋଣ ଛାଡ଼ ହେବ । କୃଷକମାନଙ୍କୁ ମାସିକ ୨ ହଜାର ଟଙ୍କା ପେନ୍‌ସନ୍‌ ଦିଆଯିବ । ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କୁ ୨ ଶହ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦିଆଯିବ । ୫ ଲକ୍ଷ ଯୁବକ ଯୁବତୀଙ୍କ ନିଯୁକ୍ତି ବ୍ୟବସ୍ଥା କରାଯିବ । ବେକାରୀ ଭତ୍ତା ମାସକୁ ୩ ହଜାର ଟଙ୍କା ପ୍ରଦାନ କରାଯିବ । ଏସ୍‌ଏଚ୍‌ଜି ମହିଳାମାନଙ୍କ ବ୍ୟାଙ୍କ ଋଣ ଛାଡ଼ ହେବ । ସ୍ୱତନ୍ତ୍ର ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ପରିବାରର ମୁଖ୍ୟ ମହିଳାଙ୍କୁ ମାସକୁ ୨ ହଜାର ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ । ପ୍ରତ୍ୟକ ପରିବାରକୁ ୫ ଶହ ଟଙ୍କାରେ ଗୋଟିଏ ଗ୍ୟାସ୍‌ ସିଲିଣ୍ଡର ପ୍ରତି ମାସରେ ଦିଆଯିବ । ସରକାରୀ କର୍ମଚାରୀଙ୍କ ସହ ସମସ୍ତଙ୍କ ପାଇଁ ସରକାରୀ ତଥା ବେସରକାରୀ ଡାକ୍ତରଖାନାରେ ୨୫ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା କରାଯିବ । ବାର୍ଦ୍ଧକ୍ୟ ଭତ୍ତା, ଦିବ୍ୟାଙ୍ଗ ଭତ୍ତା ତଥା ବିଧବା ଭତ୍ତା ୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ ଏବଂ ରାଜ୍ୟରେ ଜାତିଭିତ୍ତିକ, ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ଦୂରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରୀ କ୍ଷେତ୍ରରେ ଓବିସି ମାନଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ । ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ପ୍ରସଙ୍ଗକୁ ନେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଡ଼ା ମନ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ୨୦୧୮ ମସିହାରେ ଯେତେବେଳେ ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ବ୍ୟବସ୍ଥା କେନ୍ଦ୍ର ବିଜେପି ସରକାର ଲାଗୁ କରିଥିଲେ, ସେହି ସମୟରେ କଂଗ୍ରେସ ଏହାକୁ ପ୍ରବଳ ବିରୋଧ କରିଥିଲା । ଏପରିକି ସୁପ୍ରିମ କୋର୍ଟ କେସ୍‌ ମଧ୍ୟ ହୋଇଥିଲା । ସୁପ୍ରିମକୋର୍ଟ ଏହା ସମ୍ବିଧାନ ବିରୋଧୀ ତଥା ଆଇନ ବିରୋଧୀ ବୋଲି ମଧ୍ୟ ଘୋଷଣା କରିବା ସହ ଏହାକୁ ନାକଚ୍‌ କରିଥିଲେ । ନରସିଂହ ଆହୁରି କହିଛନ୍ତି ଯେ, ସେହି ସମୟରେ ସୁପ୍ରିମ କୋର୍ଟ ଏଥିଯୋଗୁଁ କେନ୍ଦ୍ର ସରକାରଙ୍କୁ ଯେଭଳି ଟିକ୍କା ଟିପ୍‌ଣୀ କରିଥିଲେ ସେଥିରେ ମାନ୍ୟବର ପ୍ରଧାନମନ୍ତ୍ରୀ ଦେବା କଥା । କିନ୍ତୁ ପ୍ରଧାନମନ୍ତ୍ରୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ଏ ପର୍ଯ୍ୟନ୍ତ କିଛି କହିନାହାନ୍ତି । ନରସିଂହ ମିଶ୍ର କଡ଼ା ଭାଷାରେ କହିଛନ୍ତି ଯେ, ଦେଶର ସବୁ ରାଜନୈତିକ ଦଳ ମିଶି ଯେତିକି ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ମାଧ୍ୟମରେ ଯେତେ ଟଙ୍କା ପାଇଛନ୍ତି ତା’ ଠାରୁ ଅଧିକ ଟଙ୍କା ପାଇଛି ବିଜେପି ଦଳ । ପୁଣି ଖଣି ମାଲିକମାନଙ୍କଠାରୁ ଇଲେକ୍‌ଟ୍ରୋରାଲ୍‌ ବଣ୍ଡ ବଳରେ ହଜାର ହଜାର କୋଟି ଟଙ୍କା ବିଜେପି ହାତେଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ । ତେବେ ଏ ଦିଗରେ ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି ।

Leave A Reply

Your email address will not be published.

four × two =