ଉଲୁଣ୍ଡା ବ୍ଲକରେ ଅତିରିକ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

  • ବିଭିନ୍ନ ୩୧ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦାୟିତ୍ଵରେ ଥିବା ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୧ ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ । ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୨ ଗୋଟି ଗ୍ରହଣ କରାଯାଇଥିବା ବେଳେ ୯ଟି ସାମୁହିକ ଦରଖାସ୍ତ ଗ୍ରହଣ କରାଯାଇଛି । ୧୫ ଗୋଟି ଦରଖାସ୍ତର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଦରଖାସ୍ତଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ସହାୟତା କୋଷରୁ ସାହାଯ୍ୟ ପାଇଁ ଗୋଟିଏ ଦରଖାସ୍ତ ଆସିଛି । ଶିବିରରେ ହାତଲିମୁଣ୍ଡା ଗ୍ରାମର ୧୧ ଜଣ ଅଧିବାସୀଙ୍କୁ ଜଙ୍ଗଲ ଜମି ଅଧିକାର ଆଇନ ଅନୁସାରେ ବାସଗୃହ ପଟ୍ଟା ଯୋଗାଇ ଦିଆଯାଇଥିଲା । ଏହା ସହିତ ବ୍ଲକର ଦୁଇଟି ଭିନ୍ନକ୍ଷମ ଦମ୍ପତ୍ତିଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ଦୁଇଟି ଚେକ୍ ପ୍ରଦାନ କରାଯାଇଥିଲା । ବିଡିଓ, ଉଲୁଣ୍ଡା କରିଶ୍ମା ବେଶ୍ରାଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ, ଏସ୍‌ଡିପିଓ ବୀରମହାରାଜପୁର ଡ଼ୋଲାମଣୀ ଭୋଇ, ଜିଲ୍ଳା ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଅବକାରୀ ଅଧିକ୍ଷକ ସୁମତୀ ତ୍ରିପାଠୀ, ତହସିଲଦାର ଉଲୁଣ୍ଡା ଦିଲ୍ଲିପ ମାଝି, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଉଲୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକସ୍ତରୀୟ କର୍ମଚାରୀ ଏବଂ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

four + 18 =