pakka

ଠାକୁରଦିଆ ଗ୍ରାମରେ ଦେବତା ବିବାହ ସମ୍ପନ୍ନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତ୍ୟେକ ଗ୍ରାମର ସୁଖ ସମୃଦ୍ଧି ତଥା ଉଜ୍ୱଳ ଭବିଷ୍ୟତ ପାଇଁ ପୂର୍ବ ପୁରୁଷାନୁକ୍ରମେ ଆରାଧ୍ୟ ଗ୍ରାମ ଦେବତାଙ୍କୁ ପୂଜାର୍ଚ୍ଚନା କରି ଚଳିତ ବର୍ଷ ଦେବତା ବିବାହ ଉତ୍ସବ ପାଳନ କରିଛନ୍ତି ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକର ଠାକୁରଦିଆ ଗ୍ରାମବାସୀ । ଆଜିକୁ ଏକ ମାସ ତଳେ ଦେବତା ପୂଜକ ଛତିଶଗଡ଼ର କେନ୍ଧୁମୁଡ଼ି ନିବାସୀ ରାମସାଏ ପଟେଲଙ୍କୁ ସାକ୍ଷାତ କରି ଗ୍ରାମବାସୀ ଦେବତା ବିବାହ ପାଇଁ ବିଧିବିଧାନ ସମ୍ପର୍କରେ ପଚାରି ବୁଝିଥିଲେ । ପୂଜକଙ୍କ ପରାମର୍ଶ ଅନୁସାରେ ପ୍ରତ୍ୟେକ ଘରର ପରିବାରରୁ ମୁଠାଏ ଅରୁଆ ଚାଉଳ ଏବଂ ତେଲ ସଂଗ୍ରହ କରି ଆବଶ୍ୟକୀୟ ପୂଜା ସାମଗ୍ରୀ ସହିତ ପୂଜକଙ୍କୁ ଦେଇଥିଲେ । ବିଧିବିଧାନ ଅନୁସାରେ ପୂଜକ ଗ୍ରାମର ଦେବତା ଠାକୁରଦିଆ ଓ ଭାତପୋର୍ସି କେଉଁ ସ୍ଥାନରେ ଅବସ୍ଥିତ ଅଛନ୍ତି ସ୍ଥାନ ନିରୂପଣ କରିଥିଲେ । ପରେ ଚାରି ଗୋଟି ସ୍ଥାନ ମଧ୍ୟରୁ ଦୁଇ ଗୋଟି ସ୍ଥାନରେ ସର୍ବ ପୁରାତନ କଞ୍ଚା ମାଟି ପାତ୍ରରେ ଦେବତା ଠାକୁରଦିଆ ଓ ଭାତପୋର୍ସି ଅବସ୍ଥାପିତ ଥିବା ପାତ୍ର ସହ ବରଣ କରି ଗ୍ରାମର ଗୌନ୍ତିଆ ଭୁବନେଶ୍ୱର ସାହୁଙ୍କ ଘରେ ରଖିଥିଲେ । ଏହି ଦିନ ଠାରୁ ଗ୍ରାମର ପ୍ରତ୍ୟେକ ମୁଖ୍ୟ ଦ୍ୱାରରେ କଳସ ସ୍ଥାପନ କରି ଦୀପ ପ୍ରଜ୍ୱଳନ ସହ ଗ୍ରାମ ଦେବତାଙ୍କୁ ପୂଜା ଆଳତି କରିଥିଲେ । ବିବାହ ଲଗ୍ନ ନିର୍ଦ୍ଧାରିତ ହେବା ପରେ ବିବାହ କାର୍ଯ୍ୟକ୍ରମ ପାଇଁ ଗ୍ରାମବାସୀ ତଥା ପ୍ରତ୍ୟେକ ପରିବାର ଖୁସି ଉଲ୍ଲାସର ସହିତ ପ୍ରସ୍ତୁତ ହୋଇଥିଲେ । ମାଟିପକା ଦିନ ପୂର୍ବରୁ ଠାକୁରଦିଆ ଦେବତା ଓ ଭାତପୋର୍ସି ଦେବତାଙ୍କୁ ଦେବରାଜ ସାହୁଙ୍କ ଘରେ ରଖା ଯାଇ ବିବାହ କାର୍ଯ୍ୟକ୍ରମ ଆଗକୁ ବଢିଥିଲା । ଚୈତ୍ର କୃଷ୍ଣପକ୍ଷ ପଞ୍ଚମୀ ରବିବାର ଦିନ ବର ଟଙ୍କଧର ସାହୁ କନ୍ୟାପିତା ଅମୃତଲାଲ ସାହୁଙ୍କ ଘରକୁ ବିବାହ ପରମ୍ପରାର ସମ୍ପୂର୍ଣ୍ଣ ରୀତିନୀତି ହିସାବରେ ବାଜା ରୋଷଣୀ, ବାଣ ସହ ବରଯାତ୍ରୀଙ୍କୁ ନେଇ ବରାନୁଗମନ କରିଥିଲେ । ବରାଯାତ୍ରୀଙ୍କୁ ପୁଷ୍ପ ଚନ୍ଦନ ଦେଇ ସ୍ୱାଗତ କରିଥିଲେ । ପୂଜକ ରାମସାଏ ପଟେଲ ବର ଟଙ୍କଧର ସାହୁ କନ୍ୟା ରଦୁନା ସାହୁଙ୍କୁ ଉଭୟ ବରପକ୍ଷ ଓ କନ୍ୟାପକ୍ଷଙ୍କ ଉପସ୍ଥିତିରେ ବିବାହ କାର୍ଯ୍ୟ ସମାପନ କରିଥିଲେ । ଏହି ଉତ୍ସବରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଯୋଗଦେଇ ଥିଲେ । ଆଜି ବହୁ ନିରାଡ଼ମ୍ବରରେ ଧୁମ୍‌ଧାମ୍‌ ଜକଯମକରେ ପ୍ରିତିଭୋଜନ ସମାପନ ହୋଇଛି । ଏହି ଦେବତା ବିବାହ କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଜନ ସମାଗମ ହୋଇଥିଲା । ମନୋରଞ୍ଜନ ପାଇଁ ନାଟକ, ଅପେରା, ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଉପଭୋଗ କରି ଏକ ନିଆରା ଅନୁଭୂତି ପାଇଥିବାର ଲୋକେ କହିଛନ୍ତି । ଦେବତା ବିବାହ କାର୍ଯ୍ୟକ୍ରମକୁ ଠାକୁରଦିଆ, ଡ଼ଭା, ହରିଡାଟାଲ, ଚାରଭାଟି ଗ୍ରାମର ସମସ୍ତ ଜନସାଧାରଣଙ୍କ ମିଳିତ ସହଯୋଗ ତଥା ମିଳିତ ଉଦ୍ୟମରେ ସାଫଲ୍ୟ ମଣ୍ଡିତ କରିଥିଲେ ।

Leave A Reply

Your email address will not be published.

five × 5 =