pakka

ବେଲପଡ଼ା ଷ୍ଟ୍ରଙ୍ଗରୁମରେ ଅନିୟମିତତା ଅଭିଯୋଗ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ପାଟଣାଗଡ଼ ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟରେ ସରିଛି । ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲପଡ଼ା ଷ୍ଟ୍ରଙ୍ଗରୁମ୍‌ରେ ବ୍ଲକ୍‌ର ସମସ୍ତ ବାଲଟ ବାକ୍ସ ରଖାଯାଇଛି । ହେଲେ ‌ଷ୍ଟ୍ରଙ୍ଗରୁମ୍‌ରେ ଅବ୍ୟବସ୍ଥା ସନ୍ଦେହ କରି ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ସେଠାରେ ଧାରଣାରେ ବସିଥିବା ଜଣାପଡିଛି । ସେମାନଙ୍କ ସହିତ କିଛି ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ମଧ୍ୟ ସାମିଲ ହୋଇଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ବ୍ଲକ୍‌ରେ ଭୋଟ ଗ୍ରହଣ ପରେ ବ୍ଲକ୍‌ ଅଫିସ ଭିତରେ ଷ୍ଟ୍ରଙ୍ଗରୁମ କରାଯାଇ ଭୋଟବାକ୍ସଗୁଡ଼ିକ ରଖାଯାଇଛି । ଏଣୁ ଷ୍ଟ୍ରଙ୍ଗରୁମ ଭିତରେ ଅନିୟମିତତା ହେଉଥିବା ବିଜେପି ସନ୍ଦେହ କରି ଷ୍ଟ୍ରଙ୍ଗରୁମ ଭିତରେ ଓ ବାହାରେ ସିସିଟିଭି କ୍ୟାମେରା ଲଗାଯିବା ସହ ବାହାରେ ଡିସ୍‌ପ୍ଲେ କରାଯିବାକୁ ଦାବୀ କରି ଧାରଣା ଦିଆଯାଇଥିବା ସୂଚନା ରହିଛି । ଆନ୍ଦୋଳନକାରୀମାନେ ଭୋଟଗଣତି ଦିନ ପର୍ଯ୍ୟନ୍ତ ସେଠାରେ ବସିବେ ବୋଲି କହିଛନ୍ତି । ସେମାନେ ବ୍ଲକ୍‌ ନିର୍ବାଚନ ଅଧିକାରୀଙ୍କୁ ୨ଟି ଦାବୀପତ୍ର ଦେଇଛନ୍ତି । ଏ ସମ୍ପର୍କରେ ବେଲପଡ଼ା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଭିକ୍ଟର ସୋରେଙ୍ଗ କହିଛନ୍ତି ଯେ ସେମାନେ ଲାଇଟ ଜଳୁ ନଥିବା ନେଇ ମଙ୍ଗଳବାର ଅଭିଯୋଗ କରିଥିଲେ । ଷ୍ଟ୍ରଙ୍ଗରୁମର ଚାରି ପାଖରେ ପୂର୍ବରୁ ଲାଇଟ ଲଗାଯାଇଛି । ଅଭିଯୋଗ ପରେ ଆହୁରି ଅଧିକ ଲାଇଟ ଲଗାଯାଇଛି । ଭୋଟବାକ୍ସ ପହଞ୍ଚିବା ପୂର୍ବରୁ ଷ୍ଟ୍ରଙ୍ଗରୁମ ଓ ଏହାର ଚାରିପଟେ ୧୫ଟି ସିସିଟିଭି କ୍ୟାମେରା ଲଗାଯାଇଛି । ସବୁ କିଛି ସିସିଟିଭିରେ ରେକର୍ଡ ହେଉଛି । ପୁଲିସ କର୍ମଚାରୀ ମୁତୟନ ଅଛନ୍ତି । ସେଠାକୁ କେହି ଯାଇପାରିବେ ନାହିଁ ବୋଲି କହିଥିଲେ । ଦାବୀପତ୍ର ମଧ୍ୟରୁ ଗୋଟିକରେ ଜିଲ୍ଲା ପରିଷଦ ପ୍ରାର୍ଥୀ ଅନିମା ଦାଶ, ଶବ୍ଦ ମିର୍ଧା, ଝରଣା ଭୁଏଙ୍କ ଦସ୍ତଖତ ରହିଥିବା ବେଳେ ଅନ୍ୟଟିରେ ବନମାଳୀ ନାଏକ, ସବିତା ଭୁଏ, ଲଳିତ ମୋହନ ରାଉତ, ଲକ୍ଷ୍ମଣ ନାଏକ, କାମେଶ ନାଏକଙ୍କ ଦସ୍ତଖତ ରହିଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

four + four =