pakka

ଭୀମକଟାର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

bbehera
  • ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ର ପାଇଁ ନବୀନ ସରକାର ଯଥେଷ୍ଟ ଅନୁଦାନ ଦେଉଛନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟସରକାର ପ୍ରାୟ ୯କୋଟି ୯୭ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ସେଥିରୁ କିଛି ପରିମାଣର ଅନୁଦାନ ଖର୍ଚ୍ଚ ହୋଇସାରିଥିବା ବେଳେ ଏବେ ଭୀମକଟା ପୁଷ୍କରିଣୀର ପୁନଃରୁଦ୍ଧାର ଓ ଉନ୍ନୟନ ପାଇଁ ୨କୋଟି ୨୨ଲକ୍ଷ ଟଙ୍କା ଅନୁଦାନର ଟେଣ୍ଡର ସରିଛି । ତେଣୁ ଆଜି ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କ ଉପସ୍ଥିତିରେ ରାଜ୍ୟ ଗୃହ ନିର୍ମାଣ ନିଗମର ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥି ଭାବରେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ଅବସରରେ ହଜାର ସଂଖ୍ୟାରେ ମହିଳା ଯୋଗଦେଇ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳିରେ ଏକ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ପରେ କଲ୍ୟାଣମଣ୍ଡପ ପେଣ୍ଡାଲରେ ଏକ ସଭାର ଆୟୋଜନ କରାଯାଇଥିଲା । ଭୀମପାହାଡ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟଅତିଥି ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ନିଗମର ଅଧ୍ୟକ୍ଷ କଳିକେଶନାରାୟଣ ସିଂଦେଓ ଯୋଗଦେଇ ବଲାଙ୍ଗିର ଜିଲ୍ଲାର ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ରାଜ୍ୟର ନବୀନ ପଟ୍ଟନାୟକ ସରକାର ଯଥେଷ୍ଟ ଅନୁଦାନ ଦେଉଛନ୍ତି । ଭୀମଡୁଙ୍ଗୁରୀକୁ ୯କୋଟି ୯୭ଲକ୍ଷ ଦେଇଥିବା ବେଳେ ଦେଓଗାଁ ଦେଷଣ୍ଢ ନିକଟସ୍ଥ ଚାନ୍ଦଲି ପହାଡର ବିକାଶ ପାଇଁ ୧କୋଟି ଟଙ୍କାର ଅନୁଦାନ ଦେଇଛନ୍ତି । ଭୀମଡୁଙ୍ଗୁରୀରେ ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଆଗକୁ ଏଠିକି ଲକ୍ଷ୍ମୀବସ ସେବା ଯୋଗାଇଦିଆଯିବ । ସେହିପରି ରାସ୍ତାଗୁଡିକ ଉନ୍ନତ କରାଯାଇ ଲୋକଙ୍କ ଯିବା ଆସିବାର ବ୍ୟବସ୍ଥା କରାଯାଇ ସାରିଛି । ଆଗକୁ କେବଳ ନବୀନ ସରକାର ହିଁ ରାଜ୍ୟର ବିକାଶ କରିପାରିବ ବୋଲି ଶ୍ରୀ ସିଂଦେଓ କହିଥିଲେ । ସେହିପରି ସଭାରେ ଉପସ୍ଥିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ,ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେର, ଜିଲ୍ଲା ପରିଷଦ ସଭ୍ୟ ସୁମତି ସେଠ୍‌, ମମତା କୁମୁରା, ମକୁନ୍ଦପୁର ସରପଞ୍ଚ ଜାନକୀ ସାହୁ, ଦେଓଗାଁ ବ୍ଲକ ବିଜେଡି ସଭାପତି ସୁଶିଳ ଚାନ୍ଦ, ଯୁବସଭାପତି ଶୈଳେନ୍ଦ୍ର ସାହୁ, ଜିଲ୍ଲା ବିଜେଡି ଉପସଭାପତି କୈଳାଶ ମହାନ୍ତି ପ୍ରମୁଖ ବିଜେଡି ସରକାର ଅମଳରେ ହୋଇଥିବା ଉନ୍ନୟନ କାମ ଉପରେ ବକ୍ତବ୍ୟ ରଖିଥିଲେ । ଲକ୍ଷ୍ମଣ ମେହେର ତାଙ୍କ ବକ୍ତବ୍ୟରେ ଦେଓଗାଁ ବ୍ଲକରେ ରାଜ୍ୟ ସରକାର ଦେଇଥିବା ପ୍ରକଳ୍ପ ଯଥା- ଭୀମଡୁଙ୍ଗୁରୀ ପର୍ଯ୍ୟଟନକ୍ଷେତ୍ର, ଚାନ୍ଦଲି ପାହାଡର ବିକାଶ ପାଇଁ ଅନୁଦାନ, ପାଟଖଣ୍ଡା ମନ୍ଦିରର ବିକାଶ ପ୍ରକଳ୍ପ , ସୋନଗଡରେ ଆଇଏସ୍‌ଏସ୍‌ ପ୍ରକଳ୍ପ , ଦେଓଗାଁ-ଜରାସିଂହା କଲେଜକୁ ଅନୁଦାନ, ୫-ଟିରେ ହାଇସ୍କୁଲଗୁଡିକୁ ଅନୁଦାନ ବିଷୟରେ ସୂଚନା ଦେଇଥିଲେ । ଶେଷରେ ମକୁନ୍ଦପୁର ସମିତିସଭ୍ୟ ଅଭିମନ୍ୟୁ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

three + 3 =