jayashree

ଫୁଲବାଣୀରେ ନଭେମ୍ବର ୧୬ରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ

  • ‘ସାମ୍ବାଦିକତା – ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଉପରେ ହେବ ଆଲୋଚନାଚକ୍ର

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଫୁଲବାଣୀ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମର ଭୂମିକା, ସାମ୍ବାଦିକତାର ନୈତିକ ମୂଲ୍ୟବୋଧ ଏବଂ ସାମ୍ବାଦିକଙ୍କ ସାମାଜିକ ଦାୟିତ୍ୱକୁ ଗୁରୁତ୍ୱ ଦେଇ କନ୍ଧମାଳ ଜିଲ୍ଲାରେ ଆସନ୍ତା ନଭେମ୍ବର ୧୬ ତାରିଖରେ ପାଳିତ ହେବ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ । ଏହି ଅବସରରେ ଫୁଲବାଣୀସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସମ୍ମିଳନୀ କକ୍ଷରେ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରେ ଏକ ସଭା ସହ ଆଲୋଚନାଚକ୍ର ଅନୁଷ୍ଠିତ ହେବ । ଚଳିତ ବର୍ଷ ଆଲୋଚନାର ଶୀର୍ଷକ ରହିଛି ‘ସାମ୍ବାଦିକତା – ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ । ଡିଜିଟାଲ ଓ ସାମାଜିକ ଗଣମାଧ୍ୟମର ପ୍ରଭାବ ବଢ଼ୁଥିବା ବର୍ତ୍ତମାନ ସମୟରେ ଖବରର ଲୋକପ୍ରିୟତା ଅପେକ୍ଷା ସତ୍ୟ, ନିରପେକ୍ଷତା ଓ ବିଶ୍ୱସନୀୟତାକୁ କିପରି ପ୍ରାଥମିକତା ଦିଆଯିବ, ସେନେଇ ବିଶେଷ ଆଲୋଚନା ହେବ । ଏଥିସହ ସାମ୍ବାଦିକତାରେ ନୈତିକତା, ଉତ୍ତରଦାୟିତ୍ୱ ଓ ସାମାଜିକ ପ୍ରତିବଦ୍ଧତାର ଗୁରୁତ୍ୱ ଉପରେ ମତ ବିନିମୟ କରିବେ ଅତିଥି ଓ ସାମ୍ବାଦିକମାନେ । କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦଙ୍କ ସମେତ କୁଶଳ ଚନ୍ଦ୍ର ନାୟକ ଓ ଯୁଧିଷ୍ଠିର ମେହେର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ । ସେହିପରି ଜିଲ୍ଲା ପ୍ରେସ୍ କ୍ଲବ୍ ଫୁଲବାଣୀର ସଭାପତି ସୁନୀଲ କୁମାର ପଟ୍ଟନାୟକ, ମିଡିଆ ଫୋରମ୍‌ର ସଭାପତି ସୁନୀଲ କୁମାର ବିଶ୍ୱାଳ, ଉତ୍କଳ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ସଭାପତି ସନ୍ତୋଷ କୁମାର ଦାସ, ଓଡ଼ିଶା ଜର୍ଣ୍ଣାଲିଷ୍ଟ ୟୁନିୟନ୍‌ର ସଭାପତି ରାଧାମୋହନ ମହାପାତ୍ର, ଓଡ଼ିଶା ୟୁନିୟନ୍ ଅଫ୍ ଜର୍ଣ୍ଣାଲିଷ୍ଟର ସଭାପତି ସୁଜିତ କୁମାର ବେହେରା ଏବଂ କନ୍ଧମାଳ ସାମ୍ବାଦିକ ସଂଘର ସଭାପତି ଅରୂପ କୁମାର ଜେନା ଯୋଗଦେବେ । ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରବୀଣ କୁମାର ବାଣୁଆ ମୁଖ୍ୟବକ୍ତା ଭାବେ ନିଜର ଅଭିମତ ରଖିବେ । ସାମ୍ବାଦିକତା କେବଳ ଖବର ପ୍ରସାରଣର ମାଧ୍ୟମ ନୁହେଁ, ବରଂ ଜନସାଧାରଣଙ୍କ ସ୍ୱରକୁ ଉପଯୁକ୍ତ ମଞ୍ଚ ଦେବା ସହ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବାର ଏକ ମହତ୍ତ୍ୱପୂର୍ଣ୍ଣ ଦାୟିତ୍ୱ । ଏହି ମୂଳ ଆଦର୍ଶକୁ ଆଧାର କରି ସତ୍ୟ ଓ ନିର୍ଭୀକ ଖବର ପରିବେଷଣ, ଜନସ୍ୱାର୍ଥର ସୁରକ୍ଷା ଏବଂ ସମାଜ ପ୍ରତି ଗଣମାଧ୍ୟମର ଉତ୍ତରଦାୟିତ୍ୱ ଉପରେ ଆଲୋକପାତ କରାଯିବ। ଏନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନଳିନୀକାନ୍ତ ସାହୁ ସୂଚନା ଦେଇଛନ୍ତି । ଏହି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାର ସମସ୍ତ ସାମ୍ବାଦିକ, ବିଭିନ୍ନ ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଯୋଗଦାନ ଆଶା କରାଯାଇଛି ।

Leave A Reply

Your email address will not be published.