ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ ମାଓବାଦୀ ମୁହାଁମୁହିଁ : ୨ ମାଓବାଦୀ ନିହତ ନେଇ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବରଗଡ ସୀମା ଗନ୍ଧମାର୍ଦ୍ଦନ ପାହାଡରେ ଆଜି ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଚାଲିଥିବା ସମୟରେ ପୋଲିସ ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ପୋଲିସ ମାଓବାଦୀଙ୍କ ଗୁଳିର ପାଲଟା ଜବାବ ଦେଇଥିଲା । ତେବେ ଏଥିରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଅନ୍ୟ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ଫାଇଦା ଉଠାଇ ଫେରାର ମାରିଥିଲେ । ପ୍ରାଥମିକ ତଦନ୍ତରୁ ନିହତ ମାଓବାଦୀ ଦ୍ୱୟ ବଲାଙ୍ଗିର-ବରଗଡ-ମହାସମୁନ୍ଦ ଡିଭିଜନରେ କାମ କରୁଥିବା ବେଳେ ଛତିଶଗଡ ବାସିନ୍ଦା ବୋଲି ବଲାଙ୍ଗିର ଏସ୍ପି ନୀତିନ କୁଶଲକର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଅନେକ ଦିନ ହେଲା ଗନ୍ଧମାର୍ଦ୍ଦନ ଅଂଚଳରେ ପୋଲିସ ତରଫରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । କିନ୍ତୁ ବର୍ତ୍ତମାନ ନିକଟସ୍ଥ ପଦ୍ମପୁରରେ ନିର୍ବାଚନ ଥିବା ବେଳେ ଏହି ଅଂଚଳ ବେଶ ସମ୍ବେଦନଶୀଳ ହୋଇ ରହିଥିଲା । ଗନ୍ଧମାର୍ଦ୍ଦନ ରିଜର୍ଭ ଫରେଷ୍ଟ, ଖପ୍ରାଖୋଲ ଲାଠୋର ଅଂଚଳରେ ସକ୍ରିୟ ଥିବା ଖବର ପାଇ ପୋଲିସ ଆଜି ସକାଳୁ ସେହି ଅଂଚଳରେ ସର୍ଚ୍ଚ ଅପରେସନ ଚଳାଇଥିଲା । ତେବେ ଆଜି ସକାଳୁ ପ୍ରାୟ ସାଢେ ଏଗାରଟା ସମୟରେ ପୋଲିସ ବିବିଏମ ଡିଭିଜନର ୫ରୁ ୭ ଜଣ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲା ।

ପୋଲିସ ପକ୍ଷରୁ ସେମାନଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିଲା, କିନ୍ତୁ ମାଓବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ । ପୋଲିସ ପକ୍ଷରୁ ପ୍ରାୟ ଅଧ ଘଣ୍ଟା କାଳ ପାଲଟା ଜବାବ ପରେ ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଏଥିରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ଜଣା ପଡିଥିଲା । ସେମାନଙ୍କୁ ପାଖରୁ ପୋଲିସ ୨ଟି ରାଇଫଲ, ୨ଟି ମ୍ୟାଗଜିନ୍‌, ଜୀବନ୍ତ ଗୁଳି ଓ ମାଓ ସାମଗ୍ରୀ ଜବତ ହୋଇଥିଲା । ତେବେ ଉକ୍ତ ଅଂଚଳରେ ପୋଲିସ୍‌ ପକ୍ଷରୁ କମ୍ବିଂ ଓ ଘଟଣାରେ ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ସବିଶେଷ ତଥ୍ୟ ପ୍ରଦାନ କରାଯିବ ବୋଲି ଏସ୍‌ପି ନୀତିନ କୁଶଲକରନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.

seventeen − 8 =