ସ୍ତ୍ରୀର ମାନ୍ୟତା ଦାବୀରେ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ଲକ୍ଷ୍ମୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ତ୍ରୀର ମାନ୍ୟତା ଦାବୀରେ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ଲକ୍ଷ୍ମୀ । ଗଞ୍ଜାମ ଜିଲ୍ଲା ଗୋଲନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଗ୍ରାମ ପଞ୍ଚାୟତର ପଞ୍ଚମା ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ପଞ୍ଚମା ଗ୍ରାମର ଝିଅ ଲକ୍ଷ୍ମୀ ମଣ୍ଡଳ ଏବଂ ସେହି ଗ୍ରାମର ଗୋବିନ୍ଦ ପ୍ରଧାନଙ୍କ ପୁଅ ନରସିଂହ ପ୍ରଧାନଙ୍କ ସହ ଦୀର୍ଘ ତିନି ବର୍ଷ ହେଲା ପ୍ରେମ ସମ୍ପର୍କରେ ରହିଆସିଥିଲେ । ଉଭୟେ ଗ୍ରାମରେ ଥିବା ଗଣେଶ ମନ୍ଦିରରେ ଗତ ତା.୨୩/୧୧/୨୦୨୧ରେ ଦେବତାଙ୍କୁ ସାକ୍ଷୀ ରଖି ବିବାହ ମଧ୍ୟ କରିଥିଲେ । ପରେ ତା.୨୭/୧୧/୨୦୨୨ରିଖରେ ଉଭୟ ପରିବାରର ସହମତିରେ କୋର୍ଟରେ ବିବାହ କରିଥିବା ଜଣାପଡିଛି । କୋର୍ଟରେ ବିବାହର ଦୁଇଦିନ ପରେ ନିଜ ଘରକୁ କନ୍ୟା ଲକ୍ଷ୍ମୀଙ୍କୁ ନେବାପାଇଁ ପ୍ରତିଶୃତି ଦେଇଥିଲେ । କିନ୍ତୁ ବର ନରସିଂହଙ୍କ ପ୍ରତିଶୃତି ପାଣିର ଗାର ହୋଇଥିଲା । ପରେ ଗୋଲନ୍ଥରା ଥାନାରେ ଲକ୍ଷ୍ମୀ ଏକ ମାମଲା ରୁଜୁ କରିଥିଲେ । ବର୍ତ୍ତମାନ ନରସିଂହ ଜାମିନରେ ଆସିଥିବା ବେଳେ, ତାଙ୍କ ପରିବାର ପକ୍ଷରୁ ଲକ୍ଷ୍ମୀଙ୍କୁ ଟାହି ଟାପରା କରାଯାଉଥିବା ଅଭିଯୋଗ କରିଛନ୍ତି । କନ୍ୟା ଲକ୍ଷ୍ମୀ ଶେଷରେ ନାରୀନେତ୍ରୀ ତଥା ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହଯୋଗ ଲୋଡିଥିଲେ । ଶ୍ରୀମତୀ ତ୍ରିପାଠୀ ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗର ହାତ ବଢ଼ାଇଥିଲେ । ଦୁଇ ପରିବାର ମଧ୍ୟରେ ଆପୋଷ ବୁଝାମଣା କରି ଗ୍ରାମର ଭଦ୍ର ଲୋକଙ୍କ ସହାୟତାରେ ସମାଧାନ ପାଇଁ ଚେଷ୍ଟା କରିଥିଲେ ପ୍ରମିଳା ତ୍ରିପାଠୀ । କିନ୍ତୁ ଲକ୍ଷ୍ମୀଙ୍କୁ ବୋହୂ ରୂପରେ ଗ୍ରହଣ କରିବା ପାଇଁ ଶ୍ୱଶୁର ଘର ଲୋକ କୌଣସି ପ୍ରକାରେ ରାଜି ନ ଥିଲେ । ଶେଷରେ ବାଧ୍ୟ ହୋଇ ସ୍ତ୍ରୀର ମାନ୍ୟତା ଦାବୀରେ ପ୍ରମିଳା ତ୍ରିପାଠୀଙ୍କ ସହ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ଲକ୍ଷ୍ମୀ । ଏନେଇ ଶ୍ୱଶୁର ଘର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେଣୁ ଲକ୍ଷ୍ମୀ ତୀବ୍ର କ୍ଷୋଭ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

13 + fifteen =