ବ୍ରହ୍ମପୁର କଲେଜମାନଙ୍କରେ ଛାତ୍ରୀଙ୍କ ଉପରେ ରାଗିଂ ବୃଦ୍ଧି ପାଉଛି

  • ଏହାକୁ ଦମନ କରି ଏହାର ମୂଳ ଉତ୍ପାଟନ ହେବା ଜରୁରୀ ବୋଲି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି ପ୍ରତିନିଧି ଦଳଙ୍କ ଦୃଢ଼ ଅଭିଯୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରରେ ପ୍ରାୟ ସମସ୍ତ କଲେଜମାନଙ୍କରେ ଛାତ୍ରୀଙ୍କ ଉପରେ ରାଗିଂ ବୃଦ୍ଧି ପାଉଛି । ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତି କରିଛି । ଏହାକୁ ଦମନ କରି ଏହାର ମୂଳ ଉତ୍ପାଟନ ହେବା ଜରୁରୀ ବୋଲି ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ଦୃଢ଼ ଅଭିଯୋଗ କରିଛନ୍ତି । ଏପରିକି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ରାଗିଂ ହେଉଥିବା ଅଭିଯୋଗ ଏକ ସ୍ୱାଭାବିକ ବିଷୟ ବୋଲି କୁହାଯାଇଛି । ରାଗିଂ କହିଲେ ଏବେ ସୁଦ୍ଧା ଏହାର ଚାପା ଉତ୍ତେଜନା ଲାଗି ରହିଛି । ସର୍ବୋପରି ବ୍ରହ୍ମପୁର ଖଲ୍ଲିକୋଟ କଲେଜ ତଥା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ, ମହାମାୟୀ ମହିଳା ମହାବିଦ୍ୟାଳୟ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ ଏବଂ ହସ୍ପିଟାଲ ସମେତ ବ୍ରହ୍ମପୁରରେ ଗଢ଼ିଉଠିଥିବା ଅଧିକାଂଶ ପ୍ରାଇଭେଟ କଲେଜମାନଙ୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଗିଂ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି । ମହାବିଦ୍ୟାଳୟମାନଙ୍କର ସ୍ଥିତି ଅନୁଧ୍ୟାନ କରି ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନର ମିଳିତରେ ଏକ ତଦନ୍ତ କମିଟି ଗଠନ ହେବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ଦାବୀ ହୋଇଛି ।

ଏଣେ ବିଜେପି ଦଳୀୟ ନେତ୍ତୃବର୍ଗଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଛତ୍ରପୁର ଆସି ରାଜସ୍ୱ ବିଭାଗ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଭେଟି ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ତଥ୍ୟ ଆଧାରରେ ଦର୍ଶାଇଥିଲେ ଏବଂ ଏହାର ବିହିତ ସମାଧାନ କରିବାକୁ ନେତ୍ତୃବର୍ଗ ଦାବୀ ଜଣାଇଥିଲେ । ଏନେଇ ଗତକାଲି ରାଜ୍ୟ ମହିଳାମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବଙ୍କ ନେତୃତ୍ୱରେ ତଥ୍ୟ ଅନୁଧ୍ୟାନକାରୀ କମିଟି ସଦସ୍ୟମାନେ ଛତ୍ରପୁର ଠାରେ ଅତିରିକ୍ତ ଜିଲ୍ଲାପାଳ (ରେଭିନ୍ୟୁ) ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ସାକ୍ଷାତ କରିଥିଲେ । ଗଞ୍ଜାମ ଜିଲ୍ଲାରେ ମହାବିଦ୍ୟାଳୟମାନଙ୍କରୁ ସଂଗ୍ରହ କରାଯାଇଥିବା ତଥ୍ୟ ଉପରେ ଆଲୋଚନା କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ମହାବିଦ୍ୟାଳୟ ଗୁଡ଼ିକରେ ଚାଲିଥିବା ରାଗିଂ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୢତି ଦେଇଥିଲେ । ଏହି ଆଲୋଚନା ବେଳେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର, ଜିଲ୍ଲା ମହିଳାମୋର୍ଚ୍ଚା ନେତ୍ରୀ ରତ୍ନଗର୍ଭା ସରସ୍ୱତୀ ଦେବୀ, ଜିଲ୍ଲା ଯୁବନେତା ଶିବ ଶଙ୍କର ନାୟକ, କର୍ପୋରେଟର ବନିତା ସାହୁ, ମାତା ପ୍ରସାଦ ନାୟକ, ଡ଼ି.ସୁରେଶ ରେଡ଼ୀ, ବର୍ଷା ବିଦ୍ୟୁସ୍ମିତା, ଅନୁଜାନନ୍ଦ ବିଶ୍ୱାଳ, ସୋମନାଥ ପାତ୍ର, ଟୁଟୁନ୍ ପାତ୍ର, ଜଗଦୀଶ ପ୍ରଧାନ ପ୍ରମୁଖ ବିଜେପି ଦଳୀୟ ପକ୍ଷରୁ ଏହି ପ୍ରତିନିଧି ଦଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − fourteen =