pakka

ବଲାଙ୍ଗିରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ରାଜ୍ୟରେ ଶିଶୁ ଶ୍ରମିକ ଉଚ୍ଛେଦ ସଂପର୍କିତ ଏକ ୧୫ ଦିନିଆ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଆଜି ବଲାଙ୍ଗିର ଜିଲ୍ଲା ଶ୍ରମ ବିଭାଗ ତରଫରୁ ଆୟୋଜିତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ଜିଲ୍ଲାପାଳ ଚଂଚଳ ରାଣା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ଅଂଚଳ ପରିକ୍ରମା କରି ଶିଶୁ ଶ୍ରମିକ ନିରାକରଣ, ଶିଶୁ ଶ୍ରମିକ ଆଇନରେ ଥିବା ବ୍ୟବସ୍ଥା, କଟକଣା ଇତ୍ୟାଦି ସଂପର୍କରେ ସଚେତନତା ରଥ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ । ଏତତ୍‌ବ୍ୟବୀତ ଜନସାଧାରଣଙ୍କୁ ଶିଶୁ ଶ୍ରମିକ ନିରାକରଣ ସଂପର୍କରେ ର‍୍ୟାଲିର ଆୟୋଜନ କରାଯାଇ ସଚେତନ କରାଯିବ । ଏହି ସଚେତନତା ରଥର ଶୁଭାରମ୍ଭ କାର୍ୟ୍ୟକ୍ରମରେ ଜିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତୀ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ, ସହକାରୀ ଶ୍ରମ ଅଧିକାରୀ ପାନାମଣି ସୋରେନ୍‌, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଲକ୍ଷ୍ମୀ ସିଂ, ଜିଲ୍ଲା ଶ୍ରମ ନିରୀକ୍ଷକ ଅଶୋକ କୁମାର ଡୁଙ୍ଗ୍‌ଡ଼ୁଙ୍ଗ୍‌, ନିରଂଜନ ଭୂୟାଁ, ପ୍ରଶାନ୍ତ କୁମାର ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରମ ଆଇନ ୧୯୮୬ ଅନୁସାରେ ୧୪ ବର୍ଷ ପୂର୍ଣ୍ଣ କରି ନ ଥିବା ଶିଶୁଙ୍କୁ କୌଣସି ପ୍ରକାରର ବୃତ୍ତି ଏବଂ ପ୍ରକ୍ରିୟାରେ ତଥା ୧୫ ବର୍ଷରୁ ୧୮ ବର୍ଷ ବୟସର କିଶୋରଙ୍କୁ ବିପଦସଂକୁଳ ବୃତ୍ତି ଏବଂ ପ୍ରକ୍ରିୟାରେ ନିୟୋଜନ କରିବା ଏକ ଧର୍ତ୍ତବ୍ୟ ଅପରାଧ ଅଟେ । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ ଥିବା କିଶୋରଙ୍କୁ ବିପଦସଂକୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜିତ କରିବାର ନଜରକୁ ଆସେ, ତେବେ ତୁରନ୍ତ ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଅବଗତ କରିପାରିବେ । ଏହା ବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ୍‌ ନମ୍ବର ୧୫୫୩୬୮ ଏବଂ ଚାଇଲ୍ଡ ନମ୍ବର ୧୦୯୮କୁ ଯୋଗାଯୋଗ କରିବାକୁ ଜିଲ୍ଲା ଶ୍ରମ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

twelve − 7 =