pakka

ଡାଏଲିସିସ୍‌ ବିଭାଗର ସାଂଘାତିକ ଅବସ୍ଥା, ମୃତ୍ୟୁ ଅପେକ୍ଷାରେ କିଡିନି ରୋଗୀ

bbehera
  • ଗତ ଦେଢ ମାସରେ ୧୦ ମୃତ, ୯୦ ରୋଗୀଙ୍କ ପାଇଁ ଜଣେ ଟେକ୍‌ନିସିଏନ୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଥିବା ଏକ ମାତ୍ର ଡାଏଲିସିସ୍‌ ସେଣ୍ଟରର ଅବସ୍ଥା ସାଂଘାତିକ ରହିଛି । ଜଣେ ବେସରକାରୀ ସଂସ୍ଥା ହାତକୁ ଏହି ଅତି ସମ୍ବେଦନଶୀଳ ବିଭାଗକୁ ଟେକି ଦିଆଯାଇଛି । ସେହି ସଂସ୍ଥାର ଅପାରଗତା ଓ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ବେପରୁଆ ମନୋଭାବ ଡାଏଲିସିସ୍‌ ବିଭାଗକୁ ଜମକୁଣ୍ଡରେ ପରିଣତ କରିଛି ବୋଲି ଡାଏଲିସିସ୍‌ ରୋଗୀମାନେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ଜିଲ୍ଲାପାଳ ଚଂଚଲ ରାଣାଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ, ଭୀମ ଭୋଇ ମେଡିକାଲରେ ଡାଏଲିସିସ୍‌ ବିଭାଗ ଚଳାଇବା ପାଇଁ ସମସ୍ତ ଦାୟିତ୍ୱ ରାହୀ କେଆର ନାମକ ବେସରକାରୀ ସଂସ୍ଥାକୁ ଦିଆଯାଇଛି । କିନ୍ତୁ ଉକ୍ତ ସଂସ୍ଥା ପକ୍ଷରୁ ୯୦ ଜଣ ଡାଏଲିସିସ୍‌ ରୋଗୀଙ୍କ ପାଇଁ ମାତ୍ର ଜଣେ ଟେକନିସିଏନ୍‌ଙ୍କୁ ନିଯୁକ୍ତ କରାଯାଇଛି । ସେହି ଟେକନିସିଏନ୍‌ଙ୍କୁ ମଧ୍ୟ ବାରମ୍ବାର ବଦଳି ପରେ ଏବେ ଜଣେ ଅନଭିଜ୍ଞ ଟେକନିସିଏନ୍‌କୁ ଆଣି ବିଭାଗରେ ନିୟୋଜିତ କରାଯାଇଛି । ଉକ୍ତ ଟେକନିସିଏନ୍‌ଟି ଅନଭିଜ୍ଞ ଥିବା ବେଳେ ଅନେକ ଡାଏଲିସିସ୍‌ ରୋଗୀଙ୍କ ପିସ୍ତୁଲା ସଂଯୋଗ କରି ପାରୁନାହିଁ, ଫଳରେ କେଉଁ ରୋଗୀଙ୍କ ପ୍ରବଳ ରକ୍ତଶ୍ରାବ ହେଉଛି ତ ଆଉ କାହାରି ପିସ୍ତୁଲା ସଂପୂର୍ଣ୍ଣ ନଷ୍ଟ ହୋଇ ରୋଗୀଙ୍କ ପାଇଁ ଘାତକ ପରିସ୍ଥିତି ସୃଷ୍ଟି ହେଉଛି । ସେହିପରି ଡାଏଲିସିସ୍‌ ବିଭାଗରେ ୧୦ଟି ମେସିନ ରହିଥିଲା । ସେଥିରୁ ଏବେ ଦୁଇଟି ଅଚଳ ଥିବା ବେଳେ କେବଳ ୮ଟି ମେସିନରେ ୮୮ଜଣ ରୋଗୀଙ୍କ ଡାଏଲିସିସ୍‌ ବୋଝ ପଡୁଛି । ଯଦ୍ୱାରା କିଡନୀ ରୋଗୀଙ୍କ ପାଇଁ ପ୍ରଯୁଯ୍ୟ ସାଢେ ତିନି ଘଣ୍ଟାର ଡାଏଲିସିସ୍‌ ପରିବତ୍ତେ ରୋଗୀଙ୍କୁ ମାତ୍ର ୨ ଘଣ୍ଟା ଡାଏଲିସିସ୍‌ କରାଯାଉଛି । ଯାହା ରୋଗୀଙ୍କ ପାଇଁ ନିଅଣ୍ଟିଆ ହେବା ସହିତ ଡାଏଲିସିସ୍‌ ମେସିନକୁ ନିୟମ ମୁତାବକ ପ୍ରକ୍ରିୟାରେ ସଫା କରାଯାଉନଥିବା ବେଳେ ରୋଗୀଙ୍କ ଶରୀରରେ ସଂକ୍ରମଣ ବଢାଉଛି । ବିଭାଗରେ ଲାଗିଥିବା ୫ଗୋଟି ଏସି ମଧ୍ୟରୁ ୪ ଗୋଟି ଦୀର୍ଘ ଦୁଇ ମାସ ହେବ ବନ୍ଦ ରହିଛି । ଆହୁରି କିଡିନି ରୋଗୀଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ତରଫରୁ ଲୋକାଲ ପର୍ଚେଜ ଫର୍ମ ମାଧ୍ୟମରେ ଦିଆଯାଉଥିବା ମାଗଣା ଔଷଧକୁ ମଧ୍ୟ ଗତ ନଭେମ୍ବର ମାସଠାରୁ ବନ୍ଦ କରି ଦିଆଯାଇଛି । ତା’ଛଡା ବିଭାଗରେ ୨୪ ଘଣ୍ଟା ପିଇବା ପାଣି ଓ ବିଜୁଳି ମଧ୍ୟ ଯୋଗାଯାଇ ପାରୁ ନାହିଁ । ଡାକ୍ତରଖାନା ତରଫରୁ ହସପିଟାଲ ସୁପରିଷ୍ଟେଡେଣ୍ଟ ମଧ୍ୟ ପରିଦର୍ଶନକୁ ଆସୁନଥିବା ବେଳେ ରୋଗୀଙ୍କ ଆକୁଳ ଅଭିଯୋଗ ଅଶୁଣା ରହୁଛି । ଏ ସବୁ ସମସ୍ୟା ଭୋଗି ଭୋଗି ଗତ ଦେଢ ମାସରେ ୧୦ ଜଣ ମୃତ୍ୟୁବରଣ କଲେଣି, ତଥାପି ପ୍ରଶାସନ ଓ ବ୍ୟବସ୍ଥାର ଆଖି ଖୋଲିନି । ଯଦି ଯଥାଶୀଘ୍ର ଏହି ସମସ୍ୟା ଗୁଡିକର ସମାଧାନ ନ କରାଯାଏ, ତେବେ ଆମେ ମୁର୍ମୁଷୁ ରୋଗୀମାନେ ଆମର ଜୀବନ ରକ୍ଷା ପାଇଁ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେବାକୁ ବାଧ୍ୟ ହେବୁ ବୋଲି ଡାଏଲିସିସ୍‌ କରାଉଥିବା ରୋଗୀବୃନ୍ଦ ପ୍ରକାଶ କରିଛନ୍ତି । ଏ ସମ୍ବନ୍ଧରେ ବେସରକାରୀ ସଂସ୍ଥା ଓ ହସ୍‌ପିଟାଲ କର୍ତ୍ତୁପକ୍ଷଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଅଭିଯୋଗକାରୀଙ୍କର ନାମ ଗୋପନ ରଖାଯାଇଛି ।

Leave A Reply

Your email address will not be published.

eleven − 7 =