
ବଲାଙ୍ଗିର, (କେପିଏନ୍ଏସ୍) : ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ମଲମୁଣ୍ଡାର ନୂତନ ବିଦ୍ୟାଳୟ ଭବନର ଶିଳାନ୍ୟାସ ଉତ୍ସବ ବହୁ ଉତ୍ସାହ ଓ ଜନସହଭାଗିତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ବିଜୟ ସାହୁ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ଡିଆର୍ଡିଏ ପ୍ରତିନିଧି; କୁମରମଣି ସେଠ, ଜିଲ୍ଲା ପରିଷଦ ସଦସ୍ୟ, ଜୋନ–୧୮; ବିଷ୍ଣୁ ପ୍ରସାଦ ପଟେଲ, ସରପଞ୍ଚ, ମଲମୁଣ୍ଡା ଗ୍ରାମ ପଞ୍ଚାୟତ; ସତ୍ୟାନନ୍ଦ ରାଉତ, ପଞ୍ଚାୟତ ସମିତି ସଦସ୍ୟ; ନନ୍ଦଲାଲ ସେଠ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି; ସେବାଶ୍ରୀ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ବଲାଙ୍ଗିର; ରତ୍ନମୟୀ ପୁରୋହିତ, ବ୍ଲକ ଶିକ୍ଷା ଅଧିକାରୀ ପୁଇଁନ୍ତଲା ଏବଂ ପୂର୍ବତନ ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିତ୍ୟାନନ୍ଦ ଗଣ୍ଡ (ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ), ପୃଥ୍ୱୀରାଜ ହରିଚନ୍ଦନ (ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ), ସୁରେଶ ପୂଜାରୀ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ), ଏନ୍. ତିରୁମଲା ନାୟକ, କମିଶନର ତଥା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନନ୍ୟା ଦାସ, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା, ଓସେପା ଯୋଗଦେଇ ବିଦ୍ୟାଳୟର ଉତ୍ତରୋତ୍ତର ପ୍ରଗତି ପାଇଁ ଶୁଭେଚ୍ଛା ଜଣାଇଥିଲେ । ଅତିଥିମାନେ ନିଜ ଅଭିଭାଷଣରେ ମୂଳଭିତ୍ତିକ ଶିକ୍ଷାର ସୁଦୃଢ଼ୀକରଣ ଓ ବିଦ୍ୟାଳୟ ଭିତ୍ତିଭୂମିର ଉନ୍ନତି ପ୍ରତି ରାଜ୍ୟ ସରକାରଙ୍କ ଦୃଢ଼ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ନୂତନ ବିଦ୍ୟାଳୟ ଭବନ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧୁନିକ, ନିରାପଦ ଓ ଶିଶୁ-ବନ୍ଧବ ଶିକ୍ଷା ପରିବେଶ ସୃଷ୍ଟି କରିବ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ବିଆର୍ଟି ଅଳକା ଦାଶ ସୁନ୍ଦର ଭାବେ ସଂଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସିଆର୍ସିସି ପ୍ରମୋଦ କୁମାର ପଟେଲ ଧନ୍ୟବାଦ ଅର୍ପଣ କରି ସମସ୍ତ ଶିକ୍ଷକ, ଅତିଥି, ଅଧିକାରୀ, ଅଭିଭାବକ, ଗ୍ରାମବାସୀ ଏବଂ ଶୁଭେଚ୍ଛୁମାନଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ ଜନସାଧାରଣ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଏବଂ ଶିକ୍ଷା ସହ ଜଡିତ ବିଭିନ୍ନ ମହଳର ବ୍ୟାପକ ଉପସ୍ଥିତି ଦେଖିବାକୁ ମିଳିଥିଲା । ମଲମୁଣ୍ଡା ଗ୍ରାମର ଶିକ୍ଷା କ୍ଷେତ୍ରରେ ଏହା ଏକ ଐତିହାସିକ ଓ ମାଇଲଖୁଣ୍ଟ ସଦୃଶ ପଦକ୍ଷେପ ବୋଲି ମନେ କରାଯାଉଛି ।