ବଲାଙ୍ଗିରବାସୀଙ୍କ ୨୨ ବର୍ଷର ସ୍ୱପ୍ନ ପୂରଣ ହେବ : ୪୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ବାଇପାସ ରାସ୍ତାର ହେଲା ଶିଳାନ୍ୟାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରବାସୀଙ୍କ ୨୨ ବର୍ଷର ସ୍ୱପ୍ନ ପୂରଣ ହେବାକୁ ଯାଉଛି । ଏକ ପ୍ରକାର ଅପେକ୍ଷାର ଅନ୍ତ ଘଟିଛି । ୪୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ବଲାଙ୍ଗିର ବାଇପାସ ରାସ୍ତାର ଶିଳାନ୍ୟାସ ହୋଇଛି । ବଲାଙ୍ଗିରବାସୀ ଏହି ୨୨ ବର୍ଷ ଭିତରେ କେତେ ଥର ରାଜରାସ୍ତାକୁ ଓହ୍ଲାଇଛନ୍ତି, ତାହାର ହିସାବ ନାହିିଁ । ବାଇପାସ୍‌ ରାସ୍ତାର ଅଭାବ ଯୋଗୁଁ ବଲାଙ୍ଗିର ସହରରେ ଅନେକ ଲୋକଙ୍କ ପ୍ରାଣହାନୀ ମଧ୍ୟ ଘଟି ସାରିଛି । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବାଇପାସ ରାସ୍ତାର ଶିଳାନ୍ୟାସ ହୋଇଛି । ୨୦୨୫ ଅକ୍ଟୋବର ସୁଦ୍ଧା ଏହି ବାଇପାସ୍‌ ରାସ୍ତା କାମ ସମାପ୍ତ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । କେନ୍ଦ୍ର ସଡକ, ପରିବହନ ଓ ରାଜମାର୍ଗ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ଆଭାସୀ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଏହାର ଶିଳାନ୍ୟାସ କରିଛନ୍ତି । ବଲାଙ୍ଗିର-ଟିଟିଲାଗଡ ରାସ୍ତାର ବିଜାଖମନ ଛକଠାରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆୟୋଜିତ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ପୂର୍ତ୍ତ ବିଭାଗୀୟ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ, ରାଜ୍ୟସଭା ସାଂସଦ ନିରଂଜନ ବିଶି, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଡକରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରି କହିଛନ୍ତି ଯେ, ଓଡିଶା ରାଜ୍ୟର ପଶ୍ଚିମାଞ୍ଚଳର ଏହା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏଠାରେ ବାଇପାସ ରାସ୍ତାର ଯଥେଷ୍ଟ ଆବଶ୍ୟକତା ଥିଲା । ଆଜିର ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ ଫଳରେ ଜନସାଧାରଣଙ୍କ ବହୁ ଦିନର ଦାବୀ ପୂରଣ ହୋଇପାରିଛି । ଦେଶର ବିଭିନ୍ନ ସ୍ଥାନରେ ରାଜପଥଗୁଡିକର ବିକାଶ କରାଯାଉଥିବା ବେଳେ ଏହି କ୍ରମରେ ଓଡିଶାକୁ ମଧ୍ୟ କେନ୍ଦ୍ର ସରକାର ବହୁ ପରିମାଣର ଅନୁଦାନ ଦେଉଛନ୍ତି ବୋଲି ଶ୍ରୀ ଗଡକରୀ କହିଥିଲେ । ଏନ୍‌ଏଚ୍‌ ବିଭାଗୀୟ ଏଡିଜି ଧର୍ମାନନ୍ଦ ଷଢଙ୍ଗୀ ଅତିଥିମାନଙ୍କୁ ସ୍ୱାଗତ କରି ବାଇପାସ୍‌ ରାସ୍ତାର ଅଟକଳ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ପ୍ରକଳ୍ପରେ ମୋଟ ୧୧.୬୭ କିମି ରାସ୍ତା ନିର୍ମାଣ ହେବ । ଏଥିରେ ୩ଟି ରେଲୱେ ଓଭର୍‌ ବ୍ରିଜ, ୨ଟି ଫ୍ଲାଇଓଭର୍‌ ବ୍ରିଜ, ୨୩ଟି କଲଭର୍ଟ ଓ ୪ଟି ଛୋଟ ବ୍ରିଜ ସାମିଲ୍‌ ହେବ ଏବଂ ପିଚୁ ରାସ୍ତା ୨ଲେନ ବିଶିଷ୍ଟ ହେବା ସହ ରାସ୍ତାରେ ସଂପୂର୍ଣ୍ଣ ଆଲୋକ ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସମ୍ମାନିତ ଅତିଥି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କିଭଳି ବାଇପାସ୍‌ ରାସ୍ତା ନିର୍ମାଣ ଧାର୍ଯ୍ୟ ସମୟରେ ସମାପ୍ତ ହୋଇପାରିବ, ସେଥିପ୍ରତି ସମସ୍ତେ ଧ୍ୟାନ ଦେବାକୁ କହିଥିଲେ । ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ବାଇପାସର ଅହେତୁକ ବିଳମ୍ବ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିବା ସହ କହିଥିଲେ ଯେ,୨୦୧୩ ମସିହାରେ ଖୋଲା ଯାଇଥିବା ବାଇପାସ ଫାଇଲ୍‌ ୨୦୧୪ ପରେ ଆରମ୍ଭ ହୋଇଥିଲା । ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମିର ଅନୁମତି ପାଇଁ ନାହିିଁ ନଥିବା ବିଳମ୍ବ ହୋଇଛି । ଶେଷରେ ୨୦୨୨ରେ ଏହି ପ୍ରକଳ୍ପ ସଂପୂର୍ଣ୍ଣ ଅନୁମୋଦିତ ହୋଇ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବା ସହିତ ଏବେ ୨୦୨୩ରେ ଶିଳାନ୍ୟାସ ହୋଇଛି, ଯାହା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ସେ ମତ ରଖିଥିଲେ । ବାଇପାସ ରାସ୍ତା ନିର୍ମାଣରେ ବିଳମ୍ବ ଯୋଗୁଁ ବଲାଙ୍ଗିର ସହରରେ ଅନେକଗୁଡିଏ ଦୁର୍ଘଟଣା ଘଟିସାରିଛି ଓ ବହୁ ଧନଜୀବନ ନଷ୍ଟ ହୋଇଛି । ସେଥିପାଇଁ ବଲାଙ୍ଗିରରେ ଅନେକ ଥର ଆନ୍ଦୋଳନ ମଧ୍ୟ ହୋଇଛି । କିନ୍ତୁ ବଲାଙ୍ଗିରକୁ ବାଇପାସ୍‌ ରାସ୍ତାଟିଏ ପାଇବା ପାଇଁ ଦୀର୍ଘ ବର୍ଷ ଲାଗିଥିବାରୁ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ବଲାଙ୍ଗିର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ତାଙ୍କ ବକ୍ତବ୍ୟରେ ମୋଦୀ ସରକାର ଅମଳରେ ହିଁ ବଲାଙ୍ଗିର ଜିଲ୍ଲାର ପ୍ରକଳ୍ପଗୁଡିକ ପାଇଁ ୧୧୫୧ କୋଟି ଟଙ୍କାର ଅନୁଦାନ ଆସିଥିବା କହିଥିଲେ । ଦୃଢ ଦାବୀ ରଖାଯାଇ କେନ୍ଦ୍ର ସରକାରଙ୍କ ପାଖରେ ୨୦୧୯ ପରେ ହିଁ ବଲାଙ୍ଗିର ଜିଲ୍ଲା ପାଇଁ ଅନୁଦାନ ଅଣାଯାଉଛି । ଏବେ ବଲାଙ୍ଗିରବାସୀଙ୍କ ବାଇପାସ ରାସ୍ତା ଦାବୀ ପୂରଣ ହୋଇ ପାରିଛି ବୋଲି ଶ୍ରୀମତୀ ସିଂହଦେଓ କହିଥିଲେ । ରାଜ୍ୟସଭା ସାଂସଦ ଶ୍ରୀ ବିଶି ଓ ଲୋଇସିଂହା ବିଧାୟକ ଡଃ. ମହାଲିଙ୍ଗ ଏହି ବାଇପାସ ବଲାଙ୍ଗିରର ବିକାଶ ଫର୍ଦ୍ଦରେ ଯୋଡି ହୋଇଛି ବୋଲି କହିଥିଲେ । ଶେଷରେ ଜାତୀୟ ରାଜପଥ ବିଭାଗର ଚିଫ୍‌ ଇଞ୍ଜିନିୟର ତୁଷାରକାନ୍ତ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ବହୁ ପ୍ରଶାସନିକ ଅଧିକାରୀଙ୍କ ସହ ବଲାଙ୍ଗିର ରାଜନୀତିକ ଦଳର ବହୁ ନେତା ଓ କର୍ମୀମାନେ ସାମିଲ୍‌ ଥିଲେ ।

Leave A Reply

Your email address will not be published.

five × 3 =