ପ୍ରାଥମିକ ଶିକ୍ଷାର ଦୟନୀୟ ଚିତ୍ର : ଗୋଟିଏ କୋଠରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ୬୪ ଛାତ୍ରଛାତ୍ରୀ, ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସ୍ମାର୍ଟ ସ୍କୁଲ ନିର୍ମାଣ କରି ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ସର୍ବଶିକ୍ଷା ଅଭିଯାନରେ ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ ନାରାରେ ସରକାର ବାହାବାହା ନେଉଛନ୍ତି ସତ, ହେଲେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡିରହିଛି ପ୍ରାଥମିକ ସ୍କୁଲ । ବ୍ଲକ ହେଡ଼କ୍ଵାଟର ଠୁ ଦୂରଦୁରାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ଲହଡୁଙ୍ଗରି ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ମାତ୍ର କୋଠରୀ ଉଦ୍ଧିଷ୍ଠ ଥିବା ଜଣାପଡ଼ିଛି । ଏହି ଗୋଟିଏ କୋଠରୀରେ କିପରି ପାଠପଢା ହେଉଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁଯାୟୀ ୧୯୭୨ ମସିହାରେ ପ୍ରତିଷ୍ଠିତ ଉକ୍ତ ସ୍କୁଲଟି ଆଜି ବି ପାରିପାଶ୍ୱିର୍କ ପରିସ୍ଥିତିର ସୁଧାର ଆଣିବା ପାଇଁ ସଂଘର୍ଷ ଜାରି ରଖିଛି । ତେବେ ଆଜି ବି ପିଲାଙ୍କ ପାଇଁ ଶ୍ରେଣୀ ଗୃହ ନିର୍ମାଣ ହୋଇପାରି ନାହିଁ କି ମୌଳିକ ସମସ୍ୟାଗୁଡ଼ିକର ସମାଧାନ ହୋଇପାରି ନାହିଁ । ସ୍କୁଲ ଅବସ୍ଥା ଅତି ଶୋଚନୀୟ ହୋଇ ଗୋଟିଏ କୋଠରୀ ଭଙ୍ଗା ଦଦରା ହୋଇ ପଡ଼ିଥିବା ବେଳେ ଆଉ ଗୋଟିଏ କୋଠରୀରେ ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ଚାଲିଛି । ଉକ୍ତ ସ୍କୁଲରେ ୩୫ ଜଣ ଛାତ୍ର ଏବଂ ୨୯ ଜଣ ଛାତ୍ରୀ ଥିବା ବେଳେ ୨ ଜଣ ଶିକ୍ଷକ ଶିକ୍ଷାଦାନ ପାଇଁ ନିୟୋଜିତ ଅଛନ୍ତି । ଗୋଟିଏ କୋଠରୀରେ ୬୪ ଜଣ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ତା’ ସହ ଅଫିସ କାର୍ଯ୍ୟାଳୟ ଏବଂ ଏମ୍‌ଡିଏମ୍‌ ଚାଉଳ ସବୁଯାକ ଗୋଟିଏ କୋଠରୀରେ । ଅଳ୍ପ ଟିକିଏ ବର୍ଷାରେ ବିଦ୍ୟାଳୟ କୋଠରୀ ଭିତରକୁ ପାଣି ପଶି ଆସୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି । ଏପରି ସ୍ଥିତିରେ ନାହିଁ ନାହିଁରେ ଚାଲିଛି ବଲାଙ୍ଗିର ଜିଲ୍ଲାର ଏହି ପ୍ରାଥମିକ ବିଦ୍ୟାଳୟ । ଶ୍ରେଣୀ ଗୃହ ସମସ୍ୟା ବିଷୟରେ ନୂତନ ପ୍ରଧାନ ଶିକ୍ଷକ ବିନୋଦ ଭୋଇଙ୍କୁ ପଚାରିବାରୁ ସେ ଏହି ସବୁ ସମସ୍ୟା ବିଷୟରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଥିଲେ । ଏନେଇ ଖପ୍ରାଖୋଲ ବିଡ଼ିଓ ବିଜୟ କୁମାର ହୋତାଙ୍କୁ ପଚାରିବାରୁ ତଦନ୍ତ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି । ଅପରପକ୍ଷରେ ଚଳିତ ବର୍ଷ ୫ ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଛି ଯଥା ଶୀଘ୍ର ନୂତନ କୋଠା ନିର୍ମାଣ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ସ୍ଥାନୀୟ ସରପଞ୍ଚ ଉମାକାନ୍ତ ମେହେର । ରାଜ୍ୟ ସରକାର ସ୍ମାର୍ଟ ସ୍କୁଲକୁ ନେଇ ବାହାବାହା ମାରୁଛନ୍ତି ହେଲେ ପ୍ରାଥମିକ ସ୍କୁଲ ପ୍ରତି ସରକାରଙ୍କ ନଜର ନାହିଁ । ନାଁ ଶିକ୍ଷା ଭିତ୍ତିଭୂମି ଅଛି ନା ଆବଶ୍ୟକ ସ୍କୁଲ କୋଠରୀ ଅଛି ଏହି ପ୍ରାଥମିକ ବିଦ୍ୟାଳୟ ପାଇଁ । ତୁରନ୍ତ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ନୂତନ ସ୍କୁଲ କୋଠା ଯୋଗାଇ ଦେବା ଜରୁରୀ ହୋଇ ପଡିଛି । ତେବେ ଦେଖିବା ବାକି ରହିଲା ଯେ, କେତେ ଶୀଘ୍ର ପ୍ରଶାସନ ଏଥିପ୍ରତି ତତ୍ପରତା ଦେଖାଉଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

one × 5 =