csstore

ଓଡ଼ିଶୀ ସଂକୀର୍ତ୍ତନ ଗୁରୁଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଗଡ଼ମୋଟରୀ ପଞ୍ଚାୟତ ଅନ୍ତର୍ଗତ କୁମୁଣ୍ଡାଳ ଗ୍ରାମର ସୁପୁତ୍ର ତଥା ସ୍ୱନାମଧନ୍ୟ ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଦିବଂଗତ ସନାତନ ବେହେରାଙ୍କ ଚତୁର୍ଦ୍ଦଶ ଦିବସ ଉପଲକ୍ଷେ ତାଙ୍କ ନିଜସ୍ୱ ବାସଭବନ ପରିସରରେ ସ୍ୱର୍ଗୀୟ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ପାଲା ଗାୟକ ଅଭିମନ୍ୟୁ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପତିତପାବନ ସଂକୀର୍ତ୍ତନ ମଣ୍ଡଳୀ ସଭାପତି ନରେନ୍ଦ୍ର ପାଟ୍ଟଶାଣୀ, ଜଗନ୍ନାଥ ସଂସ୍କୃତି ପ୍ରବଚକ ଶରତ ଚନ୍ଦ୍ର ରାଉତ, ପାଲା ଗାୟକ ପ୍ରଫୁଲ୍ଲ ମହାରଣା, ଯୁଧିଷ୍ଠିର ମଙ୍ଗରାଜ, ପାଲା ଗାୟକ କୈଳାସ ଚନ୍ଦ୍ର ପାଣି, ବାୟକ ଦୁର୍ଯ୍ୟୋଧନ ପ୍ରଧାନ, ଭଜନ ଗାୟକ ନିଶାକର ପ୍ରଧାନ ପ୍ରମୁଖ ଯୋଗ ଦେଇ ଗୁରୁ ସନାତନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ପାଲା ଗାୟକ ବସନ୍ତ ମହାରଣା ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅନନ୍ତ ଗୋପାଳ ଗୁରୁଦାସ ପାଲା ସମିତି ସଂପାଦକ ପ୍ରମୋଦ କୁମାର ଜେନାଙ୍କ ତତ୍ୱାବଧାନରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ଯୋଗ ଦେଇ କୁମୁଣ୍ଡାଳ ଗ୍ରାମର ଗୋପୀନାଥ ସଂକୀର୍ତ୍ତନ ମଣ୍ଡଳୀର ମୁଖ୍ୟ ତଥା ଜଣେ ଉତ୍ସର୍ଗୀକୃତ, ତ୍ୟାଗୀ ଓ ସ୍ୱତନ୍ତ୍ର ଓଡ଼ିଶୀ ସଂକୀର୍ତ୍ତନ ଗାୟକ ଦିବଂଗତ ସନାତନଙ୍କ ଦୀର୍ଘ ୪୦ ବର୍ଷର ନିରବଚ୍ଛିନ୍ନ ଲୋକକଳା ଓ ସଂସ୍କୃତି ପରିବେଷଣ ଶୈଳୀର ନିଆରା ସ୍ୱତନ୍ତ୍ରତା ସଂପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତଃ ବେହେରା ଅସୁସ୍ଥ ଥିବା ବେଳେ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଯାଇଛି । ଦିବଂଗତ ଗାୟକଙ୍କ କାଞ୍ଚି ଅଭିଯାନ ବିଷୟ ସଂପର୍କିତ ସଂକୀର୍ତ୍ତନ ପରିବେଷଣ ତାଙ୍କୁ ବେଶ୍‌ ଲୋକପ୍ରିୟ କରିପାରିଥିଲା । ଈଶ୍ୱରଙ୍କ ସହ ଭାବ କଲେ ସମସ୍ତ ବିପଦରୁ ଉଦ୍ଧାର ପାଇବା ସହ ଆତ୍ମାର ସଦ୍‌ଗତି ହେବ ବୋଲି ସେ ସର୍ବଦା କହୁଥିଲେ । ଏହି ଅବସରରେ ଉପସ୍ଥିତ ଅତିଥି, ଗାୟକ ଓ ସାମ୍ବାଦିକମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।

jayashree
Leave A Reply

Your email address will not be published.