ଲେଖିକା ଜ୍ୟୋତ୍ସ୍ନରାଣୀ ସ୍ୱାଇଁଙ୍କ ପରଲୋକରେ ବିଭିନ୍ନ ବ୍ୟକ୍ତିଙ୍କ ଶୋକ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁରର ବିଶିଷ୍ଟ ଲେଖିକା ଜ୍ୟୋତ୍ସ୍ନରାଣୀ ସ୍ୱାଇଁ (୬୫)ଙ୍କ ଶନିବାର ଭୋରରେ ଗେଟବଜାର ସ୍ଥିତ ନିଜ ବାସଭବନରେ ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଅସୁସ୍ଥ ଥିଲେ । କୋଭିଡ଼-୧୯ ନିୟମ ଅନୁପାଳନ ପୂର୍ବକ ସୀମିତ ବ୍ୟକ୍ତିଙ୍କ ଉପସ୍ଥିତିରେ ଗେଟବଜାର ଗୋକର୍ଣ୍ଣେଶ୍ୱର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ଗତ ଛଅ ମାସ ତଳେ ତାଙ୍କ ସ୍ୱାମୀ ବରିଷ୍ଠ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ୱାଇଁଙ୍କ ଦେହାନ୍ତ ହୋଇଥିଲା । ବ୍ରହ୍ମପୁର ସାହିତ୍ୟ ଜଗତରେ ଉଭୟ ଲେଖକ ଦମ୍ପତି ଭାବେ ପରିଚିତ ଥିଲେ । ଜ୍ୟୋତ୍ସ୍ନରାଣୀଙ୍କ ବହୁ ଲେଖା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ଶିଶୁ ଗଳ୍ପ ସଂକଳନ ‘ଗଳ୍ପଗାମଲା’, ଭ୍ରମଣ କାହାଣୀ ପୁସ୍ତକ ଆସ ଯିବା ପିଲେ ଲଣ୍ଡନ ବୁଲି’ର ଲେଖିକା ଭାବେ ପାଠକ ମହଲରେ ଜଣାଶୁଣା ଥିଲେ । ଏହା ସହିତ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ଉପସଭାପତି, ଗଞ୍ଜାମ କଳା ପରିଷଦର କାର୍ଯ୍ୟକାରୀ ସଦସ୍ୟା, ଚନ୍ଦ୍ରଜ୍ୟୋତ୍ସ୍ନା ସାହିତ୍ୟ ସଂସଦର ପ୍ରତିଷ୍ଠାତ୍ରୀ ଥିଲେ । ସାରସ୍ୱତ ସାଧନା ନିମନ୍ତେ ବହୁ ଅନୁଷ୍ଠାନରୁ ସମ୍ମାନିତ ହୋଇଥିଲେ । ତାଙ୍କର ଅତ୍ୟନ୍ତ ମେଳାପୀ ସ୍ୱଭାବ ଓ ବନ୍ଧୁବତ୍ସଳତା ସମସ୍ତଙ୍କୁ ମୁଗ୍ଧ କରୁଥିଲା । ଶେଷ ଶଯ୍ୟା ନିକଟରେ ଦୁଇ ପୁତ୍ର ମଣ୍ଟୁ ଓ ପିଣ୍ଟୁଙ୍କ ସମେତ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ଡା. ପି. ସି. ସାହୁ, ବୈଜ୍ଞାନିକ ଡ. ଡ଼ମ୍ବରୁ ଧର ସାହୁ, ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ, ସମାଜସେବୀ ରାମକୃଷ୍ଣ ପାତ୍ର, ଭଗବତ ଚାରିଟେବଲ ଟ୍ରଷ୍ଟର ଅଧ୍ୟକ୍ଷ ଏସ୍‌. ପ୍ରକାଶ ଚନ୍ଦ୍ର ପାତ୍ର, ଡ଼ା. ଶଙ୍କର୍ଷଣ ପାତ୍ର, କବି କୃଷ୍ଣଚନ୍ଦ୍ର ତ୍ରିପାଠୀ, କପିଳ ଚନ୍ଦ୍ର ମହାନ୍ତି, ସୁଶାନ୍ତ କୁମାର କର, ଶିକ୍ଷାବିତ୍‌ ଜିତେନ୍ଦ୍ର ନାଥ ପଟ୍ଟନାୟକ, ଆଡଭୋକେଟ ଲାଲବାହାଦୁର ପଟ୍ଟନାୟକ, ବି. ସତ୍ୟମ୍‌ ଆଚାରୀ, ହରିହର ଚୌଧୁରୀ, କବି ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ଇଂ. ପ୍ରଫୁଲ୍ଲ କୁମାର ତ୍ରିପାଠୀ, କବି ନୀଳକଣ୍ଠ ସାହୁ, ଅଧ୍ୟାପିକା ଜ୍ୟୋତ୍ସ୍ନାକୁମାରୀ ପ୍ରଧାନ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

jittmm
Leave A Reply

Your email address will not be published.