ରାଉରକେଲା, (ସସ୍ମିତା ପ୍ରଧାନ) : ବିଗତବର୍ଷ ମାନଙ୍କ ପରି ଚଳିତବର୍ଷ ମଧ୍ୟ ରାଇଜିଂ କ୍ଲବ, ରାଉରକେଲା ପକ୍ଷରୁ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏସମ୍ପର୍କରେ ଏହି ଟୁର୍ଣ୍ଣାମେଣ୍ଟର ସାଂଗଠନିକ ସମ୍ପାଦକ ଶିଶିର ସାହୁ ଓ ଅନ୍ୟ ସଦସ୍ୟମାନେ ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ, ସେକ୍ଟର ୨୦ ରାଇଜିଂ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ‘୮ମ ସର୍ବଭାରତୀୟ ରାଇଜିଂ କପ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୬’ ଆସନ୍ତା ୨୮ ତାରିଖରେ ଉଦ୍ଘାଟିତ ହୋଇ ମାର୍ଚ୍ଚ ୧ ତାରିଖରେ ଉଦଯାପିତ ହେବ । ଏହି ଦୁଇ ଦିବସୀୟ ଲିଗ୍ ଭିତ୍ତିକ ଟୁର୍ଣ୍ଣାମେଣ୍ଟରେ ଓଡିଶା ସମେତ ହରିୟାଣା, ଜବଲପୁର ରେଳବାଇ (ମଧ୍ୟପ୍ରଦେଶ), ନାଗପୁର (ମହାରାଷ୍ଟ୍ର), ଉତ୍ତର ପ୍ରଦେଶ, ଦିଲ୍ଲୀ ଆଦି ସ୍ଥାନରୁ ପ୍ରମୁଖ ଭଲି ଦଳ ଅଂଶଗ୍ରହଣ କରିବେ । ଉଦ୍ଘାଟନୀ ଉତ୍ସବ ପୂର୍ବରୁ ମଶାଲ ଶୋଭାଯାତ୍ରା ସ୍ଥାନୀୟ ସୋମନାଥ ମନ୍ଦିରରୁ ବାହାରି ଅଞ୍ଚଳ ପରିକ୍ରମା କରି ରାଇଜିଂ ପଡିଆରେ ପହଞ୍ଚିବ । ସେହିପରି ଚମ୍ପିୟାନ ଓ ରନର୍ସଅପ ଦଳ ତଥା ତୃତୀୟ ସ୍ଥାନ ହାସଲ କରିଥିବା ଦଳକୁ ଟ୍ରଫି ସହ ନଗଦ ରାଶି ପ୍ରଦାନ କରାଯିବ । ଏହି ଟୁର୍ଣ୍ଣାମେଣ୍ଟଟିକୁ ବହୁସଂଖ୍ୟାରେ କ୍ରୀଡାପ୍ରେମୀ ଉପଭୋଗ କରିବା ପାଇଁ ରାଇଜିଂ କ୍ଲବ ପକ୍ଷରୁ ନିବେଦନ କରାଯାଇଛି ।