jayashree

ଭୁବନେଶ୍ୱରରୁ ପବିତ୍ର ଗଞ୍ଜାମର ତପ୍ତପାଣି ପର୍ଯ୍ୟନ୍ତ ମାନ୍ୟବର ରାଷ୍ଟ୍ରପତିଙ୍କ ଐତିହାସିକ ଗସ୍ତ ସଫଳ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରକୃତି, ପରମ୍ପରା ଓ ଆଧ୍ୟାତ୍ମିକତା ଏକ ଅପୂର୍ବ ସମନ୍ୱୟର ସାକ୍ଷୀ ପାଲଟିଲା ଗଞ୍ଜାମ । ଭାରତର ପ୍ରଥମ ନାଗରିକ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗଞ୍ଜାମ ଗସ୍ତ କେବଳ ଏକ ସରକାରୀ କାର୍ଯ୍ୟକ୍ରମରେ ସୀମିତ ରହିନଥିଲା; ଏହା ଥିଲା ଓଡ଼ିଶାର ସାଂସ୍କୃତିକ ଚେତନା, ପ୍ରାକୃତିକ ବୈଭବ ଓ ଜନଆସ୍ଥାର ଏକ ଅନନ୍ୟ ଉତ୍ସବ । ଭୁବନେଶ୍ୱରରୁ ରେଳ ଯୋଗେ ଯାତ୍ରା ଆରମ୍ଭ କରିବା ପରେ ଚିଲିକାର ନୀଳ ଜଳରାଶି, ସବୁଜ ଧାନକ୍ଷେତ, ଘନନୀଳ ବନାନୀ ଓ ଗ୍ରାମୀଣ ଜୀବନର ସରଳ ସୌନ୍ଦର୍ଯ୍ୟ ମାଧ୍ୟମରେ ଆଗେଇ ଚାଲିଥିଲା ଏହି ଗୌରବମୟ ଯାତ୍ରା । ପ୍ରକୃତି ନିଜେ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଉଥିଲା । ଏହା ହେଉଛି ଓଡିଶା । ରେଳପଥର ବିଭିନ୍ନ ଷ୍ଟେସନ, ଲେଭେଲ୍ କ୍ରସିଂ ଓ ଜନବସତିରେ ହଜାର ହଜାର ଜନସାଧାରଣ, ଛାତ୍ରଛାତ୍ରୀ ଏବଂ ଲୋକକଳାକାରମାନେ ହାତରେ ଜାତୀୟ ପତାକା ଓ ବାଦ୍ୟଯନ୍ତ୍ର ଧରି ଉତ୍ସାହର ସହ ଅପେକ୍ଷା କରିଥିଲେ । ସେମାନଙ୍କର ଉତ୍ସାହ, ଆନନ୍ଦ ଓ ଆତ୍ମୀୟ ସ୍ୱାଗତ ଏହି ଯାତ୍ରାକୁ ଏକ ଜନ ଉତ୍ସବରେ ପରିଣତ କରିଥିଲା । ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ବ୍ରହ୍ମପୁର ରେଳଷ୍ଟେସନରେ ପହଞ୍ଚିବା ପରେ ସତୀର୍ଥ ସଂକୀର୍ତ୍ତନ, ଶୁଭ ଶଙ୍ଖଧ୍ୱନି, ଘଣ୍ଟନାଦ, ବ୍ୟାଘ୍ର ନୃତ୍ୟ ଓ ଗଞ୍ଜାମର ବିବିଧ ଲୋକକଳାର ମନୋମୁଗ୍ଧକର ପରିବେଷଣ ମଧ୍ୟରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ଅଭ୍ୟର୍ଥନା ଜଣାଯାଇଥିଲା । ସମଗ୍ର ପରିବେଶ ଭକ୍ତି, ପରମ୍ପରା ଓ ଗୌରବର ଅନନ୍ୟ ସମାଗମରେ ପରିଣତ ହୋଇଥିଲା । ବ୍ରହ୍ମପୁରରୁ ତପ୍ତପାଣି ଅଭିମୁଖେ ଯାତ୍ରା ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ଗଞ୍ଜାମବାସୀ ମାନ୍ୟବର ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇଥିଲେ । ସବୁଜ ପାହାଡ଼, ଘଞ୍ଚ ଅରଣ୍ୟ ଓ ପ୍ରକୃତିର ଅପରୂପ ଶୋଭା ମଧ୍ୟରେ ଏହି ଯାତ୍ରା ଗଞ୍ଜାମର ପର୍ଯ୍ୟଟନ ସମ୍ଭାବନାର ଏକ ଜୀବନ୍ତ ପରିଚୟ ପ୍ରଦାନ କରିଥିଲା । ପବିତ୍ର ତପ୍ତପାଣିରେ ପହଞ୍ଚି ମାନ୍ୟବର ରାଷ୍ଟ୍ରପତି ମା’ କାନ୍ଧୁଣୀ ଦେବୀ ଓ ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଦିବ୍ୟ ଆରତିରେ ଅଂଶଗ୍ରହଣ କରିଥିଲେ । ପ୍ରକୃତିର କୋଳରେ ଅବସ୍ଥିତ ଏହି ପବିତ୍ର ପୀଠ ଆଦିବାସୀ ପରମ୍ପରା, ଆଧ୍ୟାତ୍ମିକ ଚେତନା ଓ ଲୋକବିଶ୍ୱାସର ଏକ ଜୀବନ୍ତ ପ୍ରତୀକ । ଏହି ଗସ୍ତ ଗଞ୍ଜାମର ପର୍ଯ୍ୟଟନ, ସଂସ୍କୃତି ଓ ଧାର୍ମିକ ଐତିହ୍ୟକୁ ଜାତୀୟ ସ୍ତରରେ ନୂତନ ପରିଚୟ ପ୍ରଦାନ କରିବା ସହ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ଗତିଶୀଳ କରିବ ବୋଲି ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଉଲ୍ଲେଖ କରିଛନ୍ତି । ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ, ସ୍ଥାନୀୟ ରୋଜଗାର ସୃଷ୍ଟି ଏବଂ ବିଶେଷ କରି ଆଦିବାସୀ ଅଞ୍ଚଳର ଆର୍ଥିକ ସଶକ୍ତିକରଣ ଦିଗରେ ଏହି ଗସ୍ତ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି । ମାନ୍ୟବର ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତ ଗଞ୍ଜାମ ଜିଲ୍ଲାପାଇଁ ଅତ୍ୟନ୍ତ ଗର୍ବର ବିଷୟ , କଳା ସାହିତ୍ୟ ମନସ୍କ ଗଞ୍ଜାମ ମାଟିର ସମୃଦ୍ଧ ସଂସ୍କୃତି, ଅତିଥି ସତ୍କାର ପରମ୍ପରା ଓ ପର୍ଯ୍ୟଟନ ସମ୍ଭାବନାକୁ ସମଗ୍ର ଦେଶ ସମ୍ମୁଖରେ ଆହୁରି ଉଜ୍ଜ୍ୱଳ କରିବାର ଏକ ଐତିହାସିକ ଅବସର ଭାବେ ସ୍ମରଣୀୟ ହୋଇ ରହିବ ।

Leave A Reply

Your email address will not be published.