ଓଡିଶାରୁ କୋଟିଆକୁ କେହି ନେଇ ପାରିବେ ନାହିଁ – ସାଂସଦ ସୁଭାଷ ସିଂ

  • ସମୀକ୍ଷା ସମ୍ବାଦପତ୍ରର ୧୬ତମ ସ୍ୱନକ୍ଷତ୍ର ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି “ସମୀକ୍ଷା ଆମ ସମୟର” ସାପ୍ତାହିକ ସମ୍ବାଦପତ୍ରର ୧୬ତମ ବାର୍ଷିକୋତ୍ସବ ଓ ସମ୍ମାନ ପ୍ରଦାନ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଭାଷ ଚନ୍ଦ୍ର ସିଂ ଯୋଗ ଦେଇ ଓଡିଶାରୁ କୋଟିଆକୁ କେହି ନେଇ ପାରିବେ ନାହିଁ ବୋଲି କହିଛନ୍ତି । ଆନ୍ଧ୍ର ସୀମାନ୍ତବର୍ତ୍ତୀ କୋଟିଆ ଆନ୍ଧ୍ର ପ୍ରଦେଶ ଅଧିନକୁ ଚାଲିଯିବ ବୋଲି କେତେକ ମହଲରେ ସୃଷ୍ଟି ହୋଇଥିବା ଆଶଙ୍କା ଭିତ୍ତିହୀନ ବୋଲି ସେ କହିଛନ୍ତି । ତେଣୁ ରାଜ୍ୟ ତଥା ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଗଣମାଧ୍ୟମ ଏକ ଜାଗ୍ରତ ପ୍ରହରୀ ଭଳି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଜୟଦେବ ଭବନଠାରେ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପ୍ରାକ୍ତନ ସୂଚନା କମିଶନର ଜଗଦାନନ୍ଦ ଉତ୍ସବକୁ ଉଦ୍‌ଘାଟନ କରି ତୃଣମୂଳ ସ୍ତରରେ ଥିବା ସଂବେଦନଶୀଳ ସମସ୍ୟାଗୁଡିକୁ ସଂବାଦପତ୍ର ମାଧ୍ୟମରେ ଲୋକଲୋଚନକୁ ଅଣାଯିବା ଉଚିତ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ‘ବଡ ଖବର’ର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସୁପ୍ତ ଜନତାଙ୍କୁ ଜାଗ୍ରତ କରିବା ଗଣମାଧ୍ୟମର ପ୍ରଧାନ ଦାୟିତ୍ୱ ବୋଲି ମତ ପ୍ରକାଶ କରିଛନ୍ତି । ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବାପି ମିଶ୍ର ଯୋଗ ଦେଇ ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଲୋକଲୋଚନକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ ବୋଲି କହିଥିଲେ । ଏହି ଅବସରରେ ‘ସମୀକ୍ଷା’ର ଏକ ସ୍ୱତନ୍ତ୍ର ବିଶେଷାଙ୍କକୁ ଅତିଥିମାନେ ଉନ୍ମୋଚନ କରିଥିଲେ । ଏହି ସଭାରେ ‘ସମୀକ୍ଷା’ର ସମ୍ପାଦକ ଡଃ ମହେଶ୍ୱର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସାମ୍ବାଦିକା ଦେବସ୍ମିତା ମହାନ୍ତି ମାନପତ୍ର ପାଠ କରିଥିଲେ । ସଭାପତିଙ୍କ ଅଭିଭାଷଣ ପରେ ସାମ୍ବାଦିକ ଜିତେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 + eight =