
- ସ୍ୱାଗତ କଲେ ନୂଆଁଖାଇ ପରିବାର ସଦସ୍ୟ ପ୍ରଶାନ୍ତ ଓ ଦିନେଶ
ପଦ୍ମପୁର, (ନିରୋଜ କୁମାର ପାଣୀ) : ମାଟିଠାରୁ ହଜାର ହଜାର କିଲୋମିଟର ଦୂରରେ ଦୁବାଇ ମାଟିରେ ଏବେ ଶୁଭିବ ସମ୍ବଲପୁରୀ ସଙ୍ଗୀତର ସୁର ଓ ନୃତ୍ୟର ତାଳ । ଚଳିତ ବର୍ଷର ନୂଆଁଖାଇ ଭେଟଘାଟକୁ ଆହୁରି ରଙ୍ଗାରଙ୍ଗ ଓ ଆକର୍ଷଣୀୟ କରିବା ପାଇଁ ନୂଆଁଖାଇ ପରିବାର, ଦୁବାଇ ପକ୍ଷରୁ ପଦ୍ମପୁର ଅଞ୍ଚଳର ପ୍ରସିଦ୍ଧ ୧ ଟଙ୍କିଆ ସଂଗୀତ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରଣ କରାଯାଇଛି । ଏହି ଅବସରରେ ୧ ଟଙ୍କିଆ ସଂଗୀତ ସ୍କୁଲର ପ୍ରତିଷ୍ଠାତା ସୁରେନ୍ଦ୍ର ସାହୁଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଦୁବାଇ ପହଞ୍ଚିବା ପରେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ ନୂଆଁଖାଇ ପରିବାରର ସଦସ୍ୟ ପ୍ରଶାନ୍ତ କୁମାର ମେହେର ଓ ଦିନେଶ ନାଏକ । ନୂଆଁଖାଇର ପରମ୍ପରା ଓ ମାଟିର ମହକକୁ ବିଦେଶ ମାଟିରେ ପହଞ୍ଚାଇବା ଲକ୍ଷ୍ୟରେ ସୁରେନ୍ଦ୍ର ସାହୁ ଓ ଛାତ୍ରଛାତ୍ରୀମାନେ ସାଙ୍ଗରେ ନେଇଯାଇଛନ୍ତି ନୂଆଁ ଧାନ, କୁରେ ପତ୍ର, କୁଲା ଓ ନୂଆଁ ଚୁରା । ଏହା ମାଧ୍ୟମରେ ଦୁବାଇ ମାଟିରେ ମଧ୍ୟ ପଶ୍ଚିମ ଓଡ଼ିଶାର ନୂଆଁଖାଇ ପରମ୍ପରାର ମହକ ଅନୁଭୂତ ହେବ । ପଦ୍ମପୁର ମାଟିରୁ ଆରମ୍ଭ ହୋଇଥିବା ୧ ଟଙ୍କିଆ ସଂଗୀତ ସ୍କୁଲର ଏହି ଅଭିନବ ପ୍ରୟାସ ଏବେ ବିଦେଶ ମାଟିରେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ଓ ପ୍ରସାରର ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି । ନୂଆଁଖାଇ ଭେଟଘାଟରେ ଛାତ୍ରଛାତ୍ରୀମାନଙ୍କ ସମ୍ବଲପୁରୀ ନୃତ୍ୟ ଓ ସଙ୍ଗୀତ ପରିବେଷଣ ଦୁବାଇରେ ଉପସ୍ଥିତ ପ୍ରବାସୀ ଓଡ଼ିଆ ଏବଂ ସମ୍ବଲପୁରୀ ପ୍ରେମୀଙ୍କ ମନ ଜିଣିବ ବୋଲି ଆଶା ପ୍ରକାଶ ପାଇଛି । ଦୁବାଇ ମାଟିରେ ନୂଆଁଖାଇର ମହକ, ସମ୍ବଲପୁରୀ ସୁର ଝଙ୍କାର ଓ ନୃତ୍ୟର ତାଳରେ ଝୁମିବେ ପ୍ରବାସୀ ସମ୍ବଲପୁରୀଆ ।