jayashree

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମା’ ଝିଅ ମୃତ : ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ମୃତ ଦେହ ରଖି ପ୍ରତିବାଦ

​କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ବିଦ୍ୟୁତ୍ ବିଭାଗ ଓ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବାର ଅବହେଳା ଯୋଗୁଁ ଦୁଇଟି ମୂଲ୍ୟବାନ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କର୍ଲାସୋଡା ଗ୍ରାମରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’ ଓ ଝିଅଙ୍କ କରୁଣ ମୃତ୍ୟୁ ଘଟିଛି । ମୃତକ ଦ୍ୱୟ ହେଲେ ଲଳିତା ନାଏକ ଏବଂ ତାଙ୍କ ଝିଅ ଶୀତଳ ନାଏକ । ​ମିଳିଥିବା ସୂଚନା ଅନୁଯାୟୀ, କର୍ଲାସୋଡା ଗ୍ରାମରେ କୌଣସି କାରଣରୁ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅ ଗୁରୁତର ହୋଇପଡ଼ିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ମାତ୍ର ଦୀର୍ଘ ସମୟ ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନ ପହଞ୍ଚିବା ତଥା ଠିକ୍ ସମୟରେ ଚିକିତ୍ସା ନ ପାଇ ଉଭୟଙ୍କର ମୃତ୍ୟୁ ଘଟିଥିବା ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ​ଏହି ଅଭାବନୀୟ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ପରିବାରବର୍ଗ ଓ ଗ୍ରାମବାସୀ ମୃତଦେହ ଧରି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଦ୍ୟୁତ୍ ବିଭାଗ ତଥା ଆମ୍ବୁଲାନ୍ସ ସେବାର ଖାମଖିଆଲି ମନୋଭାବ ଯୋଗୁଁ ଏହି ଅଘଟଣ ଘଟିଥିବା ଦର୍ଶାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଏବଂ କ୍ଷତିପୂରଣ ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଶାନ୍ତ କରିବାକୁ ଚେଷ୍ଟା ଚଲାଇଛନ୍ତି ।

Leave A Reply

Your email address will not be published.