jayashree

ବୁଲା ଗୋରୁଗାଈଙ୍କ ଦଖଲରେ ଧାନବିଲ, ଚାଷୀ ବିଚରା କଲବଲ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଧାନବିଲରେ ଲହଡ଼ି ଭାଙ୍ଗୁଛି ଧାନ ଫସଲ । କିନ୍ତୁ ଫସଲ ପାଚିବା ପୂର୍ବରୁ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ବୁଲା ଗୋରୁଗାଈ । ଦଳଦଳ ହୋଇ ଧାନବିଲରେ ପଶି ଫସଲ ନଷ୍ଟ କରୁଛନ୍ତି ବୁଲା ଗୋରୁଗାଈ । ବିଲରେ ଫସଲ ନଷ୍ଟ ହେଉଥିବା ବେଳେ ରାସ୍ତା ଉପରେ ଗୋଠଗୋଠ ହୋଇ ଶୋଇ ରହୁଥିବାରୁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି । ଚଳିତ ଖରିଫ ଋତୁରେ ଚାଷୀମାନେ ବନ୍ୟା, ବାତ୍ୟା, ଅଦିନିଆ ବର୍ଷା, ରୋଗ ଓ ପୋକ ଭଳି ସମସ୍ୟା ସହ ଲଢ଼ୁଥିବା ବେଳେ ଏବେ ବୁଲା ଗୋରୁଗାଈ ଓ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବ ନୂଆ ଚିନ୍ତା ସୃଷ୍ଟି କରିଛି । ଆଧୁନିକ ଚାଷ ପ୍ରଣାଳୀ ଯୋଗୁଁ ହଳ, ଲଙ୍ଗଳ ଓ ବଳଦର ଆବଶ୍ୟକତା କମିଛି । ଫଳରେ ଅନେକ ଲୋକ ଗୋରୁଗାଈଙ୍କୁ ଖୋଲାରେ ଛାଡ଼ି ଦେଉଛନ୍ତି । ଏହି ଗୋରୁଗାଈ ଧାନବିଲରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ କରିଛନ୍ତି ଚାଷୀ । ବିଲକୁ ଗୋରୁଙ୍କ ପ୍ରବେଶ ରୋକିବା ପାଇଁ ଚାଷୀମାନେ ବାଉଁଶ ବାଡ଼ ଦେଉଥିଲେ ମଧ୍ୟ ତାହାକୁ ଭାଙ୍ଗି ଗୋରୁଗାଈ ଧାନକ୍ଷେତରେ ପଶି ଫସଲ ନଷ୍ଟ କରୁଥିବା କହିଛନ୍ତି ଚାଷୀ । କେବଳ ଗୋରୁଗାଈ ନୁହେଁ, ଧାନ ପାଚିବା ସମୟରେ ବଣୁଆ ଘୁଷୁରୀ ଓ ବାରହାଙ୍କ ଉପଦ୍ରବ ବଢ଼ିବାର ଆଶଙ୍କା ରହିଛି । ଏହାସହ ହାତୀପଲ ଓ ବଣୁଆ ମାଙ୍କଡ଼ଙ୍କ ଉପଦ୍ରବ ମଧ୍ୟ ଚାଷୀଙ୍କ ସମସ୍ୟାକୁ ଆହୁରି ଜଟିଳ କରୁଛି । ରବି ଋତୁରେ ମଧ୍ୟ ଗୋରୁଗାଈ, ମାଙ୍କଡ଼ ଓ ଅନ୍ୟ ଜଙ୍ଗଲୀ ଜନ୍ତୁଙ୍କ ଯୋଗୁଁ ପନିପରିବା, ବିରି, ମୁଗ ଓ କୋଳଥ ଭଳି ଫସଲ କ୍ଷତିଗ୍ରସ୍ତ ହେଉଥିବା ଚାଷୀମାନେ କହିଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ଓ ଚାଷୀଙ୍କ ଫସଲ ସୁରକ୍ଷା ଦାବିରେ ଡେଲାଙ୍ଗ ବ୍ଲକ କଂଗ୍ରେସ କମିଟିର ନେତୃତ୍ୱରେ ଚାଷୀମାନେ ଡେଲାଙ୍ଗ ଥାନା ଓ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିଲେ । ଚାଷୀମାନେ ଡେଲାଙ୍ଗ ଥାନା ଅଧିକାରୀଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ସମସ୍ୟାଟି ଗୁରୁତର ହୋଇଥିବା ଥାନା ଅଧିକାରୀ ସ୍ୱୀକାର କରିବା ସହ ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପର ଆଶ୍ୱାସନ ଦେଇଥିବା ଜଣାପଡ଼ିଛି । ସେହିପରି ଡେଲାଙ୍ଗ ଅତିରିକ୍ତ ତହସିଲଦାରଙ୍କୁ ମଧ୍ୟ ଚାଷୀମାନେ ଭେଟି ସମସ୍ୟା ଜଣାଇଥିଲେ । ପ୍ରଶାସନ ପକ୍ଷରୁ ସରକାରୀ ନିୟମ ଓ ଗାଇଡଲାଇନ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଥିଲେ ମଧ୍ୟ ଚାଷୀମାନେ ତୁରନ୍ତ ବ୍ୟବହାରିକ ସମାଧାନ ଦାବି କରିଛନ୍ତି । ଚାଷୀମାନଙ୍କ ମୁଖ୍ୟ ଦାବି ହେଉଛି—ବୁଲା ଗୋରୁଗାଈଙ୍କ ପାଇଁ ଗୋଶାଳାର ବ୍ୟବସ୍ଥା କରାଯାଉ । ଯାହାଦ୍ୱାରା ଚାଷୀଙ୍କ ଫସଲ ନଷ୍ଟ ହେବାରୁ ରକ୍ଷା ପାଇବ ଏବଂ ରାସ୍ତାରେ ବୁଲୁଥିବା ଗୋରୁଗାଈଙ୍କ ସମସ୍ୟା ମଧ୍ୟ ଦୂର ହେବ । ଏହି ସମସ୍ୟାର ସମାଧାନ ପାଇଁ ଡେଲାଙ୍ଗ ବ୍ଲକ କଂଗ୍ରେସ କମିଟି ପ୍ରଶାସନକୁ ୧୫ ଦିନର ମହଲତ ଦେଇଛି । ଏହି ସମୟ ମଧ୍ୟରେ ପଦକ୍ଷେପ ନିଆନଗଲେ ଚାଷୀମାନଙ୍କ ସହ ବୁଲା ଗୋରୁଗାଈଙ୍କୁ ଆଣି ଡେଲାଙ୍ଗ ଥାନା ଓ ତହସିଲ ପରିସରରେ ଛାଡ଼ି ଦିଆଯିବ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ପ୍ରଦ୍ୟୁମ୍ନ ପରିଡ଼ା, ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ନିର୍ମଳ ପରିଡ଼ାଙ୍କ ସମେତ କଂଗ୍ରେସର ବିଭିନ୍ନ ନେତା ଓ ଚାଷୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ପିପିଲି କଂଗ୍ରେସ ନେତା ପ୍ରିୟବ୍ରତ ସାମନ୍ତରାୟ ‘ରାଜା’ ମଧ୍ୟ ଚାଷୀଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି । ଆବଶ୍ୟକ ପଡ଼ିଲେ ଚାଷୀଙ୍କ ସହ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଚାଷୀଙ୍କ କହିବା କଥା—ଚାଷ ଚାରି ମାସର, କିନ୍ତୁ ଫସଲ ନଷ୍ଟ ହେଲେ କ୍ଷତିର ଭରଣା କରିବା ସହଜ ନୁହେଁ । ତେଣୁ ସାର, ବିହନ, ମଜୁରୀ ଓ ମଣ୍ଡି ସମସ୍ୟା ସହ ବୁଲା ଗୋରୁଗାଈ ଓ ଜଙ୍ଗଲୀ ଜନ୍ତୁଙ୍କ ଉପଦ୍ରବର ସ୍ଥାୟୀ ସମାଧାନ ହିଁ ଏବେ ଚାଷୀଙ୍କ ପ୍ରମୁଖ ଦାବି ।

Leave A Reply

Your email address will not be published.