
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଶ୍ରୁ ବଲାଙ୍ଗିର ଜିଲ୍ଲାର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ସମ୍ମିଳନୀରେ ସଂଗଠନର ବାର୍ଷିକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା ଏବଂ ବାର୍ଷିକ ଆୟର ହିସାବ ଉପସ୍ଥାପନା କରାଯାଇ ଗୃହୀତ କରାଯାଇଥିଲା । ଏହି ସମ୍ମିଳନୀକୁ ଜିଲ୍ଲା ସଭାପତି ସାଥି ବିକାଶ ରଂଜନ ପାତ୍ର, ଜିଲ୍ଲା ଉପସଭାପତି ସାଥି ଆକାଶ ମିଶ୍ର, ରାଜ୍ୟ ଉପସଭାପତି ସାଥି ଅନିରୁଦ୍ଧ ମହାପାତ୍ର ପରିଚାଳନା କରିଥିଲେ । ଜିଲ୍ଲା ସମ୍ପାଦକ ସାଥି ବାପୁନି କୁମାର ସାହୁ ସମ୍ପାଦନୀୟ ବିବରଣୀ ପରିବେଷଣ କରିଥିଲେ । ଜିଲ୍ଲା କୋଷାଧ୍ୟକ୍ଷ ସାଥି ସତ୍ୟ ନାରାୟଣ ରଥ ଆୟବ୍ୟୟର ହିସାବ ରଖିଥିଲେ । ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସାଥି ଭାସ୍କର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନିଜ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ସହରର ସମ୍ମାନନୀୟ ଡା. ନରେନ୍ଦ୍ର କୁମାର ସାହୁ ଏବଂ ବଲାଙ୍ଗିର କେମିଷ୍ଟ ଓ ଡ୍ରଗିଷ୍ଟ ସଂଗଠନର ସଭାପତି ଓ ସମ୍ପାଦକ ଯୋଗଦାନ କରି ନିଜର ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଅତିଥି ଭାବେ ଓଶ୍ରୁର ରାଜ୍ୟ ଉପସଭାପତି ସାଥି ଅନିରୁଦ୍ଧ ମହାପାତ୍ର, ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ସାଥି ଭାସ୍କର ମିଶ୍ର ଏହି ସମ୍ମିଳନୀରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଶ୍ରମିକ ମାରଣନୀତି ଉପରେ ଆଲୋକପାତ କରି ବକ୍ତବ୍ୟ ରଖିଥିଲେ । ମେଡିକାଲ ରିପ୍ରେଜେଣ୍ଟେଟିଭ୍ମାନେ କାର୍ଯ୍ୟକ୍ଷେତ୍ରରେ ଭୋଗୁଥିବା ଦୈନନ୍ଦିନ ଅସୁବିଧା ଉପରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ଆଗାମୀ ବର୍ଷ ପାଇଁ ନୂତନ ଜିଲ୍ଲା କମିଟି ଗଠନ କରାଯାଇଛି । ଜିଲ୍ଲା ସଭାପତି ଭାବେ ସାଥି ବିକାଶ ପାତ୍ର, ଉପସଭାପତି ଭାବେ ସାଥି ଏମ୍.ଏ. ଖାନ, ଜିଲ୍ଲା ସମ୍ପାଦକ ସାଥି ବାପୁନି କୁମାର ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ସାଥି ସତ୍ୟ ନାରାୟଣ ରଥ ସର୍ବସମ୍ମତିରେ ନିର୍ବାଚିତ ହୋଇଥିଲେ ।