pr

୬ଜଣ ପ୍ରଧାନ ଶିକ୍ଷକ ଏବଂ ଶିକ୍ଷୟିତ୍ରୀମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

dr. purohit

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମହରାପଦର ପଞ୍ଚାୟତ ଅନ୍ତର୍ଗତ ବାଗଝରଣ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ସେଠ କାର୍ଯ୍ୟରୁ ଅବସର ଗ୍ରହଣ କରିଥିବାରୁ ସୋମବାର ତାଙ୍କୁ ବାଗଝରଣ ଗ୍ରାମବାସୀ, ଶିକ୍ଷା କମିଟି ଏବଂ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସେହିପରି ଖପ୍ରାଖୋଲ ପଞ୍ଚାୟତ ବଡ଼ ଗୁର୍ଜିଭଟା ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସତ୍ୟଭାମା ସାହୁ, ପଡ଼ିଆବାହାଲ ପଞ୍ଚାୟତ ଦେଦରୋ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ନମିତା ମହାପାତ୍ର, ଗୁଣ୍ଡୁରୁପାଲି ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିବାକର ମହାପାତ୍ର, ଚଙ୍ଗରିଆ ପଞ୍ଚାୟତ ଦୁନ୍ଦେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଭୋଇ, ଲାଠୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସହକାରୀ ଶିକ୍ଷକ ମୁକୁନ୍ଦଲାଲ ସାହୁଙ୍କୁ ସୋମବାର ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ସୂଚନା ମିଳିଛି । ଏହି ଅବସରରେ ଶ୍ରୀ ସେଠଙ୍କୁ ବାଗଝରଣ ଗ୍ରାମରେ ପୁଷ୍ପଗୁଛ ଓ ଉପଢୌକନ ପ୍ରଦାନ କରାଯାଇ ଗ୍ରାମରେ ଡି ଜେ ବାଜା ସହ ପରିକ୍ରମା କରାଯାଇଥିବାବେଳେ ଅନ୍ୟ ଶିକ୍ଷୟିତ୍ରୀ ଏବଂ ଶିକ୍ଷକମାନଙ୍କୁ ମଧ୍ୟ ନିଜ ନିଜ ସ୍କୁଲରେ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବା ଜଣାପଡିଛି । ସମସ୍ତ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକାଳରେ କର୍ତବ୍ୟନିଷ୍ଠା, କର୍ମପ୍ରବଣତା, ସୌହାର୍ଦ୍ୟପୂର୍ଣ୍ଣତା ଓ ବ୍ୟକ୍ତିତ୍ୱ ସମ୍ପର୍କରେ ସ୍କୁଲ କମିଟି ସଭାପତି ବୃନ୍ଦ ବକ୍ତବ୍ୟ ରଖି ତାଙ୍କ ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ଗ୍ରାମବାସୀମାନଙ୍କ ସହ ସମସ୍ତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.