ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କେଦାର ସିଂ ବରିହାଙ୍କୁ ବିଂଝାଲ ସମାଜ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା

  • ନିଜ ଜନ୍ମ ମାଟି ତଥା ସମଗ୍ର ବିଝାଲ ସମାଜର ଗର୍ବ ଓ ଗୌରବ କେଦାର ସିଂ ବରିହା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସର୍ଗିବାହାଲ ଗ୍ରାମର ଭୂତପୂର୍ବ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସ୍ୱର୍ଗତ ଶେଷଦେବ ବରିହାଙ୍କ ସୁପୁତ୍ର କେଦାର ସିଂ ବରିହା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୪୦୮ ନମ୍ବର ସ୍ଥାନ ପାଇ ଉତ୍ତୀର୍ଣ୍ଣ ହୋଇଥିବାରୁ ନିଜ ଜନ୍ମ ମାଟି ସର୍ଗିବାହାଲ ଗାଁର ତଥା ସମଗ୍ର ବିଂଝାଲ ସମାଜର ଗର୍ବ ଓ ଗୌରବ ଆଣିଛନ୍ତି । ଆଜି ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଞ୍ଝାଲ ସମାଜ ସର୍ଗିବାହାଲ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ତାଙ୍କର କୃତକାର୍ଯ୍ୟ ପାଇଁ ଶୁଭେଚ୍ଛା ଜ୍ଞାପନ କରିବା ସହ ବାପାଙ୍କ ଅଧୁରା ସ୍ୱପ୍ନ ପୁରଣ କରିବା ସାଙ୍ଗକୁ ସମାଜର ଅବହେଳିତ ନିଷ୍ପେସିତ ଲୋକଙ୍କୁ ସେବା କରିବାକୁ ଆଶୀର୍ବାଦ ଦିଆଯାଇଥିଲା । ଗ୍ରାମର ଗୌନ୍ତିଆ ତ୍ରିଲୋଚନ ବରିହାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଖୋଳ ତାଳ ସଂକୀର୍ତ୍ତନ ସହ କେଦାର ସିଂ ବରିହା ପାଛୋଟି ଆଣିଥିଲେ । ଫୁଲ ଚନ୍ଦନ ଓ ଉତ୍ତରୀୟ ସହ କୃତି ଅର୍ଜନ ପାଇଁ ଏକ ସାର୍ଟିଫିକେଟ ସମାଜ ପକ୍ଷରୁ ଅର୍ପଣ କରାଯାଇ ସର୍ମଦ୍ଧିତ କରାଯାଇଥିଲା । କେଦାର ସିଂ ବରିହା ଓଡ଼ିଶା ପ୍ରଶାସନିକ ସେବାରେ ଉର୍ତ୍ତୀର୍ଣ୍ଣ ହୋଇଥିବାରୁ ଗାଁରେ ଖୁସିର ଲହରୀ ଖେଳିଯାଇଛି । ଏଥିରେ ପଦ୍ମପୁର ଜୋନ ୨ର ବିଂଝାଲ ସମାଜର ସଭାପତି ଶ୍ୟାମସୁନ୍ଦର ବରିହା, ଗ୍ରାମର ବିଶିଷ୍ଠ ବ୍ୟକ୍ତିଗଣ ଲୋଚନ ବରିହା, ମାଧ ବରିହା, ଗୋବର୍ଦ୍ଧନ ବରିହା, ରାମଚନ୍ଦ୍ର ବରିହା, ଦେବାର୍ଚ୍ଚନ ବରିହା, ପ୍ରଫୁଲ୍ଲ ସାହୁ ସମସ୍ତେ ଉପସ୍ଥିତ ଥିଲେ । ଏଥିରେ ମଞ୍ଚ ପରିଚାଳନା କରିଥିଲେ ସର୍ଗିବାହାଲ ବିଁଝାଲ ସମାଜର ସମ୍ପାଦକ ଧନଞ୍ଜୟ ବରିହା, ସଭା ଉଦ୍ଦେଶ୍ୟ କରିଥିଲେ ପୁରୁଷୋତ୍ତମ ବରିହା, ଯୁବ ଗୌନ୍ତିଆ ଶୀତଳ ବରିହା, ଆଲୋକ ବରିହା, ବିଶ୍ଵ ବରିହା, ରୂପକ କୁମାର ବରିହା ତଥା ଅନ୍ୟ ବିଂଝାଲ୍ ଜାତି ଭାଇର ଯୁବକମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.