pakka

ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଂଘ ତରଫରୁ ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଏବଂ ପୂଜ୍ୟପୂଜା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରମ୍ଭା ଗାୟତ୍ରୀ ଶକ୍ତିପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରମ୍ଭା ଗାୟତ୍ରୀ ଶକ୍ତିପୀଠର ପ୍ରାକ୍ତନ ଟ୍ରଷ୍ଟି ତଥା ଅବସରପ୍ରାପ୍ତ ଶିକ୍ଷକ ଗୋକୁଳ ଚନ୍ଦ୍ର ନାହକଙ୍କ ବେଦମନ୍ତ୍ର ଓ ସଂଘର ସଭାପତି ବାନମ୍ବର୍ ପାଲେଇଙ୍କ ପୌରାହିତ୍ୟରେ ଆରମ୍ଭ ହୋଇଥିବା ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି, କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣୀ ସଂଘମିତ୍ରା, ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ପଳେଇ, ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ, ଗଞ୍ଜାମ ବ୍ଲକ ଶିକ୍ଷାଧିକାରୀ ଭାଗିରଥି ବେହେରା ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସମୟାନୁବର୍ତ୍ତିତା, କଠିନ ପରିଶ୍ରମ ଦ୍ୱାରା କିପରି ଭବିଷ୍ୟତରେ ଭଲ ମଣିଷ ହୋଇ ଅଞ୍ଚଳ ଓ ଦେଶର ନାମ ରଖିପାରିବ ସେ ସମ୍ବନ୍ଧରେ ମତ ରଖିଥିଲେ । ଅବସରପ୍ରାପ୍ତ କର୍ମଚାରୀମାନେ ସେମାନଙ୍କର ବଳକା ସମୟରେ ଯୋଗ, ବ୍ୟାୟାମ, ପଠନ ଏବଂ ସାମାଜିକ କାର୍ଯ୍ୟକ୍ରମ ସହିତ ଯୋଡ଼ିହୋଇ ରହିଲେ ନିଜେ ସୁସ୍ଥ ରହିବା ସହିତ ସମାଜର କିଛି କଲ୍ୟାଣକାରୀ କାର୍ଯ୍ୟ କରି ନିଜକୁ ଖୁସି ରହିବା ସହିତ ଅନ୍ୟକୁ ଖୁସି ରଖିପାରିବେ । ସଂଘର ସମ୍ପାଦକ ବାଳକୃଷ୍ଣ ମହାରଣା ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ସ୍ୱାଧୀନତାର ୭୫ ବର୍ଷକୁ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଗାୟତ୍ରୀ ଶକ୍ତିପୀଠ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ସହ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନରସିଂହ ବେହେରା, ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ଗଞ୍ଜାମ ବ୍ଲକର ୨୨ଟି ହାଇସ୍କୁଲର ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହିତ ଅଶି ବର୍ଷରୁ ଅଧିକ ବୟସ୍କ ଅବସରପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ଗୌଡ଼ ଏବଂ ଉମା ଚରଣ ବିଶ୍ୱାଳଙ୍କୁ ମୁଖ୍ୟ ଅତିଥି ଭାବେ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର କୋଷାଧ୍ୟକ୍ଷ ଭଗବାନ ଦାସ, ଉମେଶ ଚନ୍ଦ୍ର ମହାନ୍ତି, ରାମଚନ୍ଦ୍ର ବାଡ଼ତ୍ୟା, ପ୍ରସନ୍ନ କୁମାର ମିଶ୍ର, ରମେଶ ଚନ୍ଦ୍ର ପଟ୍ଟନାୟକ, ଶେଷଦେବ ବେହେରା, ପ୍ରକାଶ ଚନ୍ଦ୍ର ହୋତା, ବ୍ରଜକିଶୋର ସାହୁ, ଚରଣ ଜେନା, ଆନନ୍ଦ ସାହୁ ପରିଚାଳନା କରିଥିଲେ । ଶେଷରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନାରାୟଣ ନାହାକ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Leave A Reply

Your email address will not be published.

fourteen − seven =