pakka

ସରକାରଙ୍କ ବୈମାତୃକ ମନୋଭାବକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ

bbehera
  • କ୍ରମାଗତ ଅବହେଳା ରାଜ୍ୟକୁ ଦୁଇ ଭାଗ କରିପାରେ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ସରକାର କ୍ରମାଗତ ଭାବରେ ବଲାଙ୍ଗିର ଅଧିକାର ପ୍ରତି ବୈମାତୃକ ମନୋଭାବ ଦେଖାଉଛି । ମୁଁ ବ୍ୟକ୍ତଗତ ଭାବରେ ରାଜ୍ୟକୁ ଦୁଇ ଭାଗ କରିବାର ସପକ୍ଷରେ ନାହିଁ, କିନ୍ତୁ ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, କୃଷିର ବିକାଶକୁ ନେଇ ସରକାର ଆମ ଅଂଚଳକୁ କରୁଥିବା କ୍ରମାଗତ ଅବହେଳା ପାଇଁ ଲୋକେ ପ୍ରତିକ୍ରିୟାଶୀଳ ହେଲେଣି । ସରକାରଙ୍କ ଏପରି ମନୋଭାବ ଜାରି ରହିଲେ ଓ ଲୋକେ ତାତିଲେ ରାଜ୍ୟ ଦୁଇ ଭାଗ ହୋଇପାରେ ବୋଲି ଆଜି ସ୍ଥାନୀୟ ସାର୍କିଟ ହାଉସଠାରେ ବଲାଙ୍ଗିର ବିଧାୟକ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି । ସେ କହିଛନ୍ତି ଯେ, ଉପକୁଳ ଅଂଚଳରେ ବିଭିନ୍ନ ପ୍ରକଳ୍ପ ପାଇଁ ହଜାର ହଜାର କୋଟି ଖର୍ଚ୍ଚ ହେଉଥିବା ବେଳେ ଆମ ଅଂଚଳର ଛୋଟ ଛୋଟ ପ୍ରକଳ୍ପ ପାଇଁ ମଧ୍ୟ ଲୋକଙ୍କୁ ରାଜ ରାସ୍ତାକୁ ଓହ୍ଲାଇବାକୁ ପଡୁଛି । ସରକାର ଓ ତାଙ୍କ ପ୍ରଶାସନିକ ଅଧିକାରୀ ଲୋକ ପ୍ରତିନିଧିଙ୍କୁ କିମ୍ବା ତାଙ୍କ ମତକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି । ଏପରିକି ବଲାଙ୍ଗିର ହେଉଥିବା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସରକାରୀ ନିୟମକୁ ଉଲ୍ଲଂଘନ କରାଯାଇ ଲୋକ ପ୍ରତିନିଧିଙ୍କୁ ନିମନ୍ତ୍ରଣ କରାଯାଉ ନାହିଁ । ଦରକାର ହେଲେ ଏହି ପ୍ରସଙ୍ଗ ବିଧାନସଭାରେ ସେ ସ୍ୱାଧୀକାର ଭଂଗ ନୋଟିସ ଆଗତ କରିବେ ବୋଲି କ୍ଷୋଭର ସହିତ କହିଥିଲେ । ମୁଖ୍ୟମନ୍ତ୍ରୀ ଟେଣ୍ଡର ହୋଇନଥିବା ପ୍ରକଳ୍ପ ଗୁଡିକୁ ସ୍ଥାନୀୟ ଜନ ପ୍ରତିନିଧିଙ୍କୁ ନିମନ୍ତ୍ରଣ ନକରି ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କରୁଛନ୍ତି । ଫଳରେ ତାଙ୍କର ଅନୁଗାମୀ ଓ ଅଧିକାରୀମାନେ ମଧ୍ୟ ନିୟମ ଭଙ୍ଗ କରି ଏଭଳି କାର୍ଯ୍ୟକ୍ରମ ଜାରି ରଖୁଛନ୍ତି । ଯାହା ଅତି ଦୁଖର ବିଷୟ । କିଛି ଦିନ ପୂର୍ବରୁ ରାଣୀ ଏଲିଜାବେଥ୍‌ଙ୍କ ମୃତ୍ୟୁରେ ସର୍ବଭାରତୀୟ ସ୍ତରରେ ଶୋକ ଦିବସ ଦିନ ଜିଲ୍ଲାର ଅଧିକାରୀମାନେ ଜିଲ୍ଲାର ବିଭନ୍ନ ସ୍ଥାନରେ ମନୋରଞ୍ଜନ ଧମୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଯାହାକି ସରକାରୀ ନିର୍ଦ୍ଦେଶର ସଂପୂର୍ଣ୍ଣ ଅବମାନନା ଅଟେ । ସେହିପରି ବନ ବିଭାଗ ଏବଂ ଅଧିକାରୀମାନେ ଗରିବ କରଡି ବେପାରୀଙ୍କଠାରୁ କରଡି ଜବତ କରି ତାଙ୍କୁ ଦଣ୍ଡ ବିଧାନ କରୁଥିବା ସ୍ଥଳେ ସରକାରୀ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାରେ ହୋଇଥିବା ଏହି କରଡି ବ୍ୟଞ୍ଜନ ପ୍ରଦର୍ଶନୀ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ କାହିଁକି ବୋଲି ବିଧାୟକ ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଲକ୍ଷ୍ମୀଯୋର ଓ ମହାରଣୀ ସାଗର ଉନ୍ନତି ପାଇଁ ଟଙ୍କା ଥାଇ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବରେ କାମକୁ ବନ୍ଦ କରାଯାଇଛି ବୋଲି କ୍ଷୋଭର ସହ କହିଥିଲେ । ଆହୁରି ମଧ୍ୟ ବଲାଙ୍ଗିର ରିଂ ରୋଡ ଓ ବାଇପାସ୍ କାମ ଆରମ୍ଭ କରି ସଂପୂର୍ଣ୍ଣ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ । ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ଆମ ଜିଲ୍ଲା ପ୍ରତି କ୍ରମାଗତ ଅବହେଳା କରୁଛନ୍ତି । ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନ ବୋର୍ଡରେ ସିମିତ ରହିଛି । ଏହାର ନିଜସ୍ୱ ଜମି ନାହିଁ । ପ୍ରାଧ୍ୟାପକ ନାହାନ୍ତି । ମହିଳା ମହାବିଦ୍ୟାଳୟର ବିଜ୍ଞାନ ବିଭାଗରେ ଜଣେ ମଧ୍ୟ ଅଧ୍ୟାପକ ନାହାନ୍ତି । ଠିକ୍‌ ସେହିପରି ପ୍ରାଇମେରି ଓ ହାଇସ୍କୁଲମାନଙ୍କରେ କେବଳ କୋଠା ଥିବାବେଳେ ଶିକ୍ଷକ ନାହାନ୍ତି । ଗାଁ ମାନଙ୍କରେ ତ ସ୍କୁଲ କୋଠା ମଧ୍ୟ ନାହିଁ । ଯେହେତୁ ଶିକ୍ଷା ଏକ ମୌଳିକ ଅଧିକାର ସରକାର ଓ ତାଙ୍କ ଅଧିକାରୀମାନେ ସମ୍ବିଧାନକୁ ମଧ୍ୟ ମାନୁ ନାହାନ୍ତି । ସ୍ୱାସ୍ଥ୍ୟ ବିଭାଗକୁ ଦେଖିଲେ ବଲାଙ୍ଗିର ମେଡିକାଲ କଲେଜ ପାଇଁ ଆମେ ବହୁତ ଉତ୍ସହିତ ଥିଲେ । କିନ୍ତୁ ସେଠାରେ ମଧ୍ୟ ଡାକ୍ତରଙ୍କ ଘୋର ଅଭାବ । ଯାହା ଅଛନ୍ତି ସେଥିରୁ ୬୦ ଶତକଡା ସପ୍ତାହକୁ ୫ ଦିନ ଅନୁପସ୍ଥିତ ରହୁଛନ୍ତି । ଦେଓଗାଁ ଓ ଚୁଡାପାଲିକୁ ସରକାରଙ୍କ ସହ ଲଢେଇ କରି ଅଣା ଯାଇଥିବା ଡାକ୍ତରଙ୍କୁ ଜିଲ୍ଲା ଚିକିତ୍ସା ଅଧିକାରୀ ସେମାନଙ୍କୁ ଅନ୍ୟତ୍ର ବଦଳି କରି ଉଭୟ ଅଂଚଳକୁ ପୁଣି ଡାକ୍ତର ଶୂନ୍ୟ କରିଛନ୍ତି । ୬୫୦ ଶଯ୍ୟା ବିଶିଷ୍ଟ ଭୀମ ଭୋଇ ମେଡିକାଲ କଲେଜର ଡାକ୍ତରଖାନା ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବା କଥା କିନ୍ତୁ ନିର୍ମାଣକାରୀ ସଂସ୍ଥାକୁ ସଂପୂର୍ଣ୍ଣ କରିବା ସମୟ ଅବଧି ବଢାଇବା ପାଇଁ ସରକାରଙ୍କ ଅନୁମତି ପ୍ରଦାନ କରିବାରୁ ପ୍ରମାଣିତ ହେଉଛି ଯେ, ଆମ ଅଂଚଳ ପ୍ରତି ସରକାରଙ୍କ ବୈମାତୃକ ମନୋଭାବ କେତେ ପ୍ରଖର ଅଛି । ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର ଲୋୟର ସୁକତେଲ ବିସ୍ଥାପିତଙ୍କ ପାଇଁ ଆର୍‌ପିଡିଏସି ବୈଠକ ନହେବା, ଭୀମ ଭୋଇ ମେଡିକାଲ କୋଠାରୁ ପାଣି ଗଳୁଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ସ୍ଥାନୀୟ ରାଜ ପରିବାରଙ୍କ ଦ୍ୱାରା ଚାରି ହଜାର କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ସରକାର ଜାଣିଥିଲେ ସୁଦ୍ଧା ସେମାନେ ତାଙ୍କ ଦଳର ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଘଟଣାରେ ଚୁପ୍‌ ରହିଛନ୍ତି ବୋଲି ଅଭିଯୋଗ କରିଥିଲେ । ଆହୁରି ମଧ୍ୟ ଜଳସେଚନ, କୃଷି ବୀମାକୁ ନେଇ ସରକାର ପାତର ଅନ୍ତର କରୁଥିବା ଅଭିଯୋଗ କରିବା ସହ ଯଦି ସରକାର ଅନ୍ୟ ଅଂଚଳ ପରି ବଲାଙ୍ଗିରର ମଧ୍ୟ ସମାନ୍ତରାଳ ବିକାଶ ନକରି ଅଂଚଳ ପ୍ରତି କ୍ରମାଗତ ଅବହେଳା କରନ୍ତି ତେବେ ସରକାର ଏବଂ ତାଙ୍କ ଅଧିକାରୀମାନେ ଲୋକଙ୍କ ପ୍ରତକ୍ରିୟାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଲୋକେ ଏକ ଭୟଙ୍କର ଆନ୍ଦୋଳନ କରି ତାଙ୍କର ହକ୍ ଛଡାଇ ଆଣିବେ ବୋଲି ଶ୍ରୀ ମିଶ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ରଙ୍କ ସହ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର ମଞ୍ଚାସୀନ ଥିଲେ ।

Leave A Reply

Your email address will not be published.

9 − five =