ଲୋୟର ସୁକତେଲ ବିସ୍ଥାପିତ କଲୋନିରେ ସମସ୍ୟା ଶୁଣିଲେ ନରସିଂହ

csstore
  • ବିନା କ୍ଷତିପୁରଣରେ ବିସ୍ଥାପନ ଠିକ୍‌ ନୁହେଁ – ନରସିଂହ
  • ବିସ୍ଥାପିତଙ୍କ ଉଚିତ କ୍ଷତିପୂରଣ ପାଇଁ ପଦକ୍ଷେପ ନେଉ ଜିଲ୍ଲା ପ୍ରଶାସନ – ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଜୀବନ ରେଖା କହୁଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପାଇଁ ଅଂଚଳର ଲୋକଙ୍କ ବଳିଦାନ ଭୁଲିଯିବା କଥା ନୁହେଁ । ବିଗତ ସରକାର ସମୟରେ ଯେତେ ସମ୍ଭବ ଲୋକଙ୍କର କ୍ଷତିପୂରଣ ସମସ୍ୟାକୁ ଦୂର କରାଯାଇଥିଲା କିନ୍ତୁ ତରବରରେ ଏହି ପ୍ରକଳ୍ପର ଉଦ୍‌ଘାଟନ ଓ ପରେ ସରକାର ବଦଳି ଯିବା ଦ୍ୱାରା ଅନେକ ଲୋକଙ୍କ କ୍ଷତିପୂରଣ ଠିକ୍‌ ହିସାବରେ ପ୍ରଦାନ କରାଯାଇ ପାରିନାହିଁ । ସେ ସବୁକୁ ବର୍ତ୍ତମାନର ସରକାର ଏବଂ ଜିଲ୍ଲା ପ୍ରଶାସନ ସଠିକ ହିସାବରେ ଆକଳନ କରି ସେମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ସଦାଇପାଲିର ବିସ୍ଥାପିତ କଲୋନି ଠାରେ ଅଂଚଳର ଲୋକଙ୍କ ସହ ଆଲୋଚନା ସମୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ, ଏଠାରେ ରହିଯାଇଥିବା ଲୋକଙ୍କୁ ଏଠାରୁ ପୋଲିସ ଲଗାଇ ବିସ୍ଥାପନ କରିବା ପୂର୍ବରୁ ଏମାନଙ୍କର ହକ୍‌ ଓ ଅଧିକାରର କଥା ଜିଲ୍ଲା ପ୍ରଶାସନ ଚିନ୍ତା କରିବାର ଥିଲା । ଖଣ୍ଟପାଲି ଅଂଚଳରେ ୧୫ଟି ପରିବାର ଏମିତି ଅଛନ୍ତି ଯେଉଁମାନେ କି କୌଣସି ପ୍ରକାର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ପାଇନାହାନ୍ତି । ଏମାନେ ଭୂମିହୀନ, ଜମିହୀନ । ସେମାନେ ତାଙ୍କ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବେ କେମିତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ଆହୁରି ମଧ୍ୟ ଦୁଇଟି ପରିବାର ଏମିତି ଅଛନ୍ତି ଯେଉଁମାନେ ଜମିର ପଇସା ପାଇଛନ୍ତି ସତ କିନ୍ତୁ ଘର ଡିହର କ୍ଷତିପୂରଣ ପାଇନାହାନ୍ତି । ଏମାନଙ୍କୁ ବିସ୍ଥାପନ କରିବା ପୂର୍ବରୁ ଜିଲ୍ଲା ପ୍ରଶାସନ ଏ ଅଭିଯୋଗର ସମାଧାନ କରୁନାହାନ୍ତି କାହିଁକି? ବର୍ତ୍ତମାନ ରହୁଥିବା ବିସ୍ଥାପନ କଲୋନିରେ ମୌଳିକ ସୁବିଧା ପାଇଁ ଲୋକେ ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହେଉଛନ୍ତି । ଗାଧୋଇବା କିମ୍ବା ଶୁଦ୍ଧିକ୍ରିୟା ପାଇଁ ପୋଖରୀ ନାହିଁ, ପିଇବା ପାଣିର ଘୋର ଅସୁବିଧା । କୁଟେନସିଲେଟର ଅନେକ ପରିବାରକୁ ଜାଗା ଦିଆଯାଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇନାହିଁ ଫଳରେ ସେମାନେ ସରକାରୀ କାମରେ ଦରକାର ହେଉଥିବା କୌଣସି ପ୍ରକାର ପ୍ରମାଣ ପତ୍ର ପାଇଁ ଆବେଦନ କଲେ ସମସ୍ୟା ଦେଖାଦେଉଛି । ଠିକ୍‌ ସେହିପରି ଧୁମାମରା ଗାଁରେ ପିଇବା ପାଣି ସମସ୍ୟା, ରିନବଚନ ଓ ବିରମୁଣ୍ଡାରେ ଡ୍ରେନ ଓ ପାଇପ ବିଛାଇବା କାମ ପାଇଁ ଖରାପ ହୋଇଯାଇଥିବା ରାସ୍ତା ମରାମତି କରାଯାଉନାହିଁ । ଏପରି ଅନେକ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ଜିଲ୍ଲା ପ୍ରଶାସନ ସହ କଥା ହୋଇ ଏହାର ସମାଧାନର ରାସ୍ତା ବାହାର କରିବେ ବୋଲିି ଉପସ୍ଥିତ ଲୋକଙ୍କୁ କହିଥିଲେ । ଏହି ସଭାରେ ମାଧିଆପାଲି, ସଦେଇପାଲି ଓ ଖୁଣ୍ଟପାଲି ପଂଚାୟତର ଫକିର ମୋହନ ଥାଟି, ବିଭୁତି ଭୂଷଣ ସାହୁ, କୃଷ୍ଣଚନ୍ଦ୍ର ବେହେରା, ଶିବ ଭେସ୍ରା, ପ୍ରହ୍ଲାଦ ନାଏକ, ଲମ୍ବୋଦର ପଧାନ, ଦାମୋଦର ସେଠ, କାଶିନାଥ ପଶାୟତ, ସୁଦାମ ପଧାନ, ଖ୍ରୀଷ୍ଟ ଦାଶ, ହାଡୁ କୁମୁରା, ଲିଙ୍ଗ ମଲ୍ଲିକ, ବିରମୁଣ୍ଡା ତ୍ରିନାଥ ରାଉତ ଏବଂ ଖୁଣ୍ଟପାଲିର ନରସିଂହ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.