- ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର-୧ ରୁ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ କମିଟିରେ ବାର୍ଷିକ ବିବରଣୀ, ଅଡ଼ିଟ୍ ରିପୋର୍ଟ ଆସନ୍ତା ବର୍ଷ ପାଇଁ ବଜେଟ୍ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା ହୋଇଥିଲା । ଉକ୍ତ ବୈଠକଟି ସଭାପତି ଡ. ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ପ୍ରହ୍ଲାଦ ଶତପଥୀ, ସାଧାରଣ ସଂପାଦକ ହରିନାରାୟଣ ପୂଜାରୀ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂ, ଜିଲ୍ଲା ଅଧିକାରୀ ପରାସର ବାଗ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, ଫୁଟବଲ ସଂପାଦକ ଶରତ ନନ୍ଦ, କ୍ରିକେଟ ସଂପାଦକ ଓମ ପ୍ରକାଶ ଚାନ୍ଦ, ଭଲିବଲ ସଂପାଦକ ସଂଗ୍ରାମ ବହିଦାର, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା, ଗ୍ରାମାଂଚଳ କ୍ରୀଡ଼ା ସଂପାଦକ ସୁଧାଂଶୁ ସେଠ, କାର୍ଯ୍ୟକାରୀ କମିଟି ସଦସ୍ୟ ଦ୍ୱାରିକା ପଣ୍ଡା, ରାଜେନ୍ଦ୍ର ପୁରୋହିତ, ବିଜୟ ବଂଶଲ, ଶିଶିର ବହିଦାର, ପ୍ରଭାତ ମିଶ୍ର, ସୁଧିର ପଣ୍ଡା ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାରେ କ୍ରୀଡ଼ାର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେବା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର୍ କମିଟି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ସାହାଣୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ପରିପେକ୍ଷୀରେ ଜିଲ୍ଲା ଖେଳାଳୀ ଚୟନ ପାଇଁ ଆସନ୍ତା ସେପ୍ଟେମ୍ବର ୧ ତାରିଖରୁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପାଇଁ ନିଷ୍ପତି ହୋଇଛି । ପ୍ରତ୍ୟେକ ଦଳରେ ନୂତନ ଖେଳାଳୀ ୩୨ବର୍ଷରୁ ଅଧିକ ହୋଇନଥିବେ ଏବଂ ଗତ ବର୍ଷ ଯେଉଁ ଖେଳାଳୀ ଖେଳି ସାରିଛନ୍ତି ଆସନ୍ତା ୩୧.୧୨.୨୦୨୬ ସୁଦ୍ଧା ତାଙ୍କର ବୟସ ୩୫ ବର୍ଷରୁ ଅଧିକ ହୋଇନଥିବ, ସେମାନେ ଅଂଶ ଗ୍ରହଣ କରିପାରିବେ । ୫ ଜଣ ଖେଳାଳୀ ୧୯ ବର୍ଷରୁ କମ୍ ପଞ୍ଜୀକରଣ କରିବା ବାଧ୍ୟତା ମୂଳକ ଅଟେ । ତନ୍ମଧ୍ୟରୁ ୩ ଜଣ ଖେଳାଳୀ ଟିମରେ ଖେଳିବା ପାଇଁ ବାଧ୍ୟ । ସମସ୍ତ ଖେଳାଳୀ ଡ଼ିଜିଟାଲ ଜନ୍ମ ପ୍ରମାଣପତ୍ର କିମ୍ବା ହାଇସ୍କୁଲ ପାସ୍ ସାର୍ଟିଫିକେଟ, ଆଧାରକାର୍ଡ ଓ ୨ ଗୋଟି ପାସପୋର୍ଟ ଫଟୋ ଖେଳାଳୀ ରେଜିଷ୍ଟ୍ରେସନ ପାଇଁ ଦେବାକୁ ପଡ଼ିବ । ଇଚ୍ଛୁକ ଦଳ ଆସନ୍ତା ଅଗଷ୍ଟ ୭, ୮ ଓ ୯ ତାରିଖ ସକାଳ ୧୦ଘ. ଠାରୁ ଅପରାହ୍ନ ୫ଘ. ମଧ୍ୟରେ ତାଙ୍କର ଆବେଦନ ଫର୍ମ ସହ ଖେଳାଳୀ ରେଜିଷ୍ଟ୍ରେସନ ଓ ଏନ୍ଟ୍ରି ଫିଜ୍ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ଦେବାକୁ ସଂସଦ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ବୈଠକରେ କ୍ରୀଡ଼ା ସଂସଦର ଫୁଟବଲ ସଂପାଦକ ଶରତ କୁମାର ନନ୍ଦ, ସଦସ୍ୟ କୈଳାସଚନ୍ଦ୍ର କର୍ତି, ଭୂପେନ୍ଦ୍ର ପ୍ରସାଦ ସିଂ, ଇଂ ନାରାୟଣ ପ୍ରସାଦ ମିଶ୍ର, ଶ୍ରୀକାନ୍ତ ରାଉତ ପ୍ରମୁଖ ମଂଚାସୀନ ଥିଲେ । ସବିଶେଷ ସୂଚନା ପାଇଁ ହେମନ୍ତ କୁମାର ବେହେରା, ଶରତ କୁମାର ନନ୍ଦ, ଡା. ସିଦ୍ଧେଶ୍ଵର ମିଶ୍ର ଓ ଜିତୁ କୁମାର ଦଲାଇଙ୍କ ସହ ଯୋଗାଯୋଗ କରିବା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ଅନୁରୋଧ କରାଯାଇଛି । ସଭା ଶେଷରେ ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
