ସମ୍ବଲପୁର, (କେପିଏନ୍ଏସ୍) : ପଶ୍ଚିମ ଓଡ଼ିଶା ଆର୍ଯ୍ୟସମାଜର ଆହ୍ୱାନ କ୍ରମେ ରବିବାର ପୂର୍ବାହ୍ନ ସାଢେ଼ ଦଶ ଘଣ୍ଟା ସମୟରେ ବୈଦିକ ମଞ୍ଚ (ମଣ୍ଡପ)ପ୍ରଭୁ ଭକ୍ତି ଆଶ୍ରମ ଗୁଡକାଟିକ୍ରା, ଗୋଡଭଗା, ସମ୍ବଲପୁର ଠାରେ ସଂଗଠନର ପ୍ରଧାନ ଆଚାର୍ଯ୍ୟ ବୃହସ୍ପତି ଶାସ୍ତ୍ରୀଙ୍କ ସଭାପତିତ୍ୱରେ ମହାମନ୍ତ୍ରୀ ପଣ୍ଡିତ ଧନୁର୍ଦ୍ଧର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ତଥା ସ୍ୱାମୀ ବିଶୁଦ୍ଧାନନ୍ଦ ସରସ୍ଵତୀ, ସ୍ୱାମୀ ସୋମବେଶ ଜୀ, ସ୍ୱାମୀ ଭାଗବତାନନ୍ଦ ସରସ୍ଵତୀଙ୍କ ମହତ୍ ମାର୍ଗଦର୍ଶନରେ ଆର୍ଯ୍ୟଜଗତର ସମ୍ମାନିତ, ପ୍ରତିଷ୍ଠିତ କର୍ମକର୍ତ୍ତା, ବୈଦିକ ବିଦ୍ୱାନ୍, ବିଦୂଷୀ, ସନ୍ୟାସୀ, ବାନପ୍ରସ୍ଥୀ, ଆଦରଣୀୟ, ଧର୍ମପ୍ରେମୀ ଆର୍ଯ୍ୟଜନ, ପ୍ରୀୟ ପବିତ୍ରାତ୍ମା ବନ୍ଧୁଗଣଙ୍କ ପ୍ରତ୍ୟକ୍ଷ ଉପସ୍ଥିତି ଓ ସକ୍ରିୟ ଅଂଶଗ୍ରହଣରେ ସଭାକାର୍ଯ୍ୟ ଆରମ୍ଭ ପାଇଁ ସହ ସଂପାଦକ ରାଜ୍ କୁମାର ବରାଡ ସମସ୍ତ ସମ୍ମାନନୀୟ ଅତିଥି ମାନଙ୍କୁ ମଂଚାସୀନ ହେବାକୁ ଅନୁରୋଧ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଆର୍ଯ୍ୟଜନ କରତାଳି ମାଧ୍ୟମରେ ସ୍ଵାଗତ ଜଣାଇଥିଲେ ଏବଂ ସଭାରେ ଉପସ୍ଥିତ ସମସ୍ତ ଆର୍ଯ୍ୟଜନ ମାନଙ୍କୁ ମଧ୍ୟ ଶ୍ରୀ ବରାଡ ମହାଶୟ ସ୍ଵାଗତ ଜଣାଇ ତଥା ଅଭିନନ୍ଦନ ଜ୍ଞାପନ କରି ସଭାପତିଙ୍କୁ ସଭାକାର୍ଯ୍ୟ ପରିଚାଳନା ପାଇଁ ଅନୁରୋଧ କରିଥିଲେ । ସର୍ବ ପ୍ରଥମେ ସଭାପତି ଈଶ୍ୱରଙ୍କ ସ୍ତୁତି ପ୍ରାର୍ଥନା ଉପାସନା ମନ୍ତ୍ର ମାଧ୍ୟମରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ଦୁଇ ଜଣ ବିଦ୍ୱାନ୍ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା । ତା’ପରେ ସଭାକାର୍ଯ୍ୟ ଆରମ୍ଭ କରି ଅପରାହ୍ନ ଦୁଇ ଘଣ୍ଟା ସମୟରେ ସଭାରେ ଉପସ୍ଥାପିତ ସମସ୍ତ ପ୍ରସ୍ତାବ ଗୁଡିକ ସର୍ବସମ୍ମତି କ୍ରମେ ଗୃହିତ ହୋଇଥିଲା । ସମସ୍ତ ଜିଲ୍ଲାର ଜିଲ୍ଲା ପ୍ରତିନିଧି ତଥା ଉତ୍ସାହୀ କର୍ମକର୍ତ୍ତା ନିଜର ବହୁମୂଲ୍ୟ ଭାବଗର୍ଭକ ମତାମତ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ ସମ୍ମାନନୀୟ କର୍ମକର୍ତ୍ତା ତଥା ସଦସ୍ୟ ସଦସ୍ୟାଙ୍କ ପୂର୍ଣ୍ଣ ସମର୍ଥନ କ୍ରମେ ଆଗାମୀ ତିନି ବର୍ଷ ପାଇଁ ପଶ୍ଚିମ ଓଡ଼ିଶା ଆର୍ଯ୍ୟସମାଜ ସଂଗଠନର କର୍ମକର୍ତ୍ତା ଚୟନ କରାଯାଇଥିଲା ଏବଂ ନୂତନ ଭାବେ ଗଠିତ କର୍ମକର୍ତ୍ତା ମାନଙ୍କୁ ଦାୟିତ୍ୱ ଅର୍ପଣ କରାଯାଇ କରତାଳି ମାଧ୍ୟମରେ ସମସ୍ତେ ସମର୍ଥନ ଜଣାଇଥିଲେ । ଆଗାମୀ ଦିନରେ ନୂତନ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ତଥା ଗ୍ରହଣ ପୂର୍ବକ ଉପସ୍ଥିତ ସମସ୍ତ ସମ୍ମାନନୀୟ କର୍ମକର୍ତ୍ତା, ସନ୍ୟାସୀ ବାନପ୍ରସ୍ଥୀ, ବିଦ୍ୱାନ୍ ବିଦୂଷୀ, ମାତୃଶକ୍ତିଙ୍କୁ କୃତଜ୍ଞତା ପୂର୍ବକ ଧନ୍ୟବାଦ ଜଣାଇ ଶାନ୍ତି ପାଠ ପୂର୍ବକ ସଭାପତିଙ୍କ ଦ୍ଵାରା ସଭାର ପରିସମାପ୍ତି ଘୋଷଣା କରାଯାଇଥିଲା ।
