
- ସମ୍ବଲପୁରୀ ଭାଷାକୁ ସ୍ୱୀକୃତି ପ୍ରଦାନ ଦାବି
ବରଗଡ଼, (ନିରୋଜ କୁମାର ପାଣୀ) : ଇକ୍କତ ଶାଢ଼ି ଭଳି ପାରମ୍ପରିକ ହସ୍ତତନ୍ତ ବସ୍ତ୍ରର ବଜାର ଚାହିଦାରେ ବ୍ୟାପକ ବୃଦ୍ଧି ସହିତ, ଅଷ୍ଟମ ଅନୁସୂଚୀ ଅନୁଯାୟୀ ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରାଯାଉ ବୋଲି ସମ୍ବଲପୁରୀ ଦିନ ପାଳନ ସମାରୋହରେ ଗୃହୀତ ପ୍ରସ୍ତାବରେ ବରଗଡ଼ ମହିଳା ସମିତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ସମିତିର ସଭାନେତ୍ରୀ ମନ୍ଦାକିନୀ ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ହାସ୍ୟ କବି ଦେବେନ୍ଦ୍ର ସାହୁ ମୁଖ୍ୟଅତିଥି ଓ ହାସ୍ୟ ତଡକା ଶିଶିର ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମମତା ମିଶ୍ର ଅତିଥି ପରିଚୟ ପ୍ରଦାନ ଏବଂ ପଦ୍ମିନୀ ସାହୁ ଓ ସସ୍ମିତା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁସୂଚୀ ଅନୁଯାୟୀ ସମ୍ବଲପୁରୀ ଭାଷା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ସ୍ୱୀକୃତିପ୍ରାପ୍ତ ହୋଇନାହିଁ ଯଦିଓ ଏହା ବହୁଳ ଭାବରେ କଥିତ ବୋଲି ଅତିଥିଗଣ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟକାନ୍ତି ଭୋଇ ଓ ଅନିମା ଚକ୍ରବର୍ତ୍ତୀ ସମ୍ବଲପୁରୀ ଦିନର ଆଭିମୁଖ୍ୟ; ମୀନା ପଣ୍ଡା, କବିତା ଦେବତା ଓ ସୁଜାତା ପଣ୍ଡା କବିତା ପାଠ ଏବଂ ସମ୍ପାଦିକା ରିନୁ ପତି ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଭାରତୀ ମିଶ୍ର, ବୀଣାପାଣି ଦାଶ, ସୁଷମା ପଣ୍ଡା, ସୌଭାଗ୍ୟଲକ୍ଷ୍ମୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । ସମିତିର ସମସ୍ତ ସଦସ୍ୟଗଣ ସାମିଲ ହୋଇଥିଲେ ।